ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର ‘ଭେଜ ଦିୱାନୀ ହାଣ୍ଡି’

ଶୀତଦିନିଆ ପରିବାକୁ ବ୍ୟବହାର କରି ଆଜି ଘରେ ପ୍ରସ୍ତୁତ କରିବେ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର ଏକ ଡିସ୍‌।

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର ‘ଭେଜ ଦିୱାନୀ ହାଣ୍ଡି’

ଶୀତ ଦିନେ ବିଭିନ୍ନ ପ୍ରକାରର ପରିବାର ବଜାରରେ କମ୍‌ ଦାମ୍‌ରେ ମିଳିଥାଏ। ତେଣୁ ଏହି ଶୀତଦିନିଆ ପରିବାକୁ ବ୍ୟବହାର କରି ଆଜି ଘରେ ପ୍ରସ୍ତୁତ କରିବେ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର ଏକ ଡିସ୍‌। ଯାହାକୁ ଆପଣ ନିଜେ ଖାଇବା ସହ ଘରକୁ ଆସୁଥିବା ଅତିଥିଙ୍କୁ ମଧ୍ୟ ସର୍ଭ କରି ପାରିବେ । ଏହାର ନାମ ହେଉଛି ‘ଭେଜ ଦିୱାନୀ ହାଣ୍ଡି’ ।

ଆବଶ୍ୟକ ଉପକରଣ- ଫୁଲକୋବି, ବିନ୍ସ, ଗାଜର, ଗ୍ରୀନ ମଟର,ପନୀର, କାଜୁ, ପିଆଜ, ଅଦା, ରସୁଣ, ଟମାଟୋ, ଡାଲଚିନି, ଲବଙ୍ଗ, ତେଜପତ୍ର, ଗୋଲମରିଚ, ରିଫାଇନ ତେଲ, ଫୁଟଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଫ୍ରେଶ୍‌ କ୍ରିମ, କସ୍ତୁରୀ ମେଥି, ଗରମ ମସଲା ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ଗରମ କରନ୍ତୁ। ଏହାପରେ ସ୍ଲାଇସ୍‌ କଟା ହୋଇଥିବା ପିଆଜକୁ ଡିପ୍ ଫ୍ରାଏ କରି ଦିଅନ୍ତୁ। ଗୋଲଡେନ ଫ୍ରାଏ ହୋଇଯିବା ପରେ ପିଆଜକୁ ଏକ ପାତ୍ରରେ ବାହାର କରି ଦିଅନ୍ତୁ।

ଏହାପରେ ଅବଶିଷ୍ଟ ତେଲରେ କାଜୁ, କଟା ଯାଇଥିବା ଟମାଟୋ, ଅଦା, ରସୁଣ ଖଣ୍ଡ, କଞ୍ଚା ଲଙ୍କା ଓ ଶୁଖିଲା ଲଙ୍କା ଦେଇ କିଛି ସମୟ ଫ୍ରାଏ କରି ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଓ ଲୁଣ ଦେଇ ସିମ୍‌ରେ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ ତାହାକୁ ବାହାର କରି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡରରେ ପେଣ୍ଟ କରି ଦିଅନ୍ତୁ।

 ଉକ୍ତ ପ୍ୟାନ୍‌ରେ ଆଉ କିଛି ତେଲ ନେଇ, ଫୁଲକୋବି, ବିନ୍ସ, ଗାଜର, ଗ୍ରୀନ ମଟରକୁ ଭଲ ଭାବେ ଫ୍ରାଏ ଦିଅନ୍ତୁ। ତାହାକୁ ଏକ ପାତ୍ରରେ ବାହାର କରି ଦିଅନ୍ତୁ। ସେଥିରେ କିଛି ଗୋଟା କାଜୁ ଫ୍ରାଏ କରିବା ସହ ପନିରକୁ ଛୋଟ ଛୋଟ ଖଣ୍ଡ କରି ହାଲକା ଫ୍ରାଏ କରି ବାହାର କରି ରଖନ୍ତୁ।

ଏହାପରେ ଉକ୍ତ ପାତ୍ରରେ ତେଲ ଗରମ କରି ଫୁଟଣ ପକାନ୍ତୁ। ପରେ ସେଥରେ ଟିକି ଟିକି କଟା ହୋଇଥିବା ଡାଲଚିନି, ଲବଙ୍ଗ, ତେଜପତ୍ର, ଗୋଲମରିଚ ପକାନ୍ତୁ। ତାହା ସାମାନ୍ୟ ଭାଜି ହୋଇ ଯିବା ପରେ ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା, ପକାଇ ଭାଜନ୍ତୁ। ଏହାପରେ ଗ୍ୟାସ୍‌କୁ ସିମ୍‌ କରି ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ପକାନ୍ତୁ।

ଏହାପରେ ଗ୍ରାଇଣ୍ଡର ଜାର୍‌ରେ ଥିବା ପେଷ୍ଟକୁ ପ୍ୟାନ୍‌ରେ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଭଜା ହୋଇଥିବା ଭେଜିଟେବୁଲ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।

ଏବେ ସେଥିରେ ଫ୍ରାଏ ହୋଇଥିବା ପନୀର ପକାନ୍ତୁ। ପରେ ସେଥିରେ ଫ୍ରେଶ୍‌ କ୍ରିମ, କସ୍ତୁରୀ ମେଥି, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍‌କୁ ବନ୍ଦ କରି ଭେଜ ଦିୱାନି ହାଣ୍ଡି ସର୍ଭ କରନ୍ତୁ। ତାହା ଉପରେ କିଛି ଫ୍ରାଏଡ କାଜୁ, ଧନିଆ ପତ୍ର ଦେଇ ସର୍ଭ କରନ୍ତୁ।

ଏହାକୁ ଗରମାଗରମ ଲଚ୍ଛା ପରଟା କିମ୍ବା ଗାର୍ଲିକ ନାନ୍‌ ସହ ସର୍ଭ କରନ୍ତୁ।