ଘୋଷଣା ହେଲା ସ୍କ୍ୱାଡ: ଶେଷ ୩ ଟେଷ୍ଟ ବି ଖେଳିବେନି ବିରାଟ କୋହଲି

ବିରାଟ ଓ ଶ୍ରେୟସ ନଥିବାରୁ ସର୍ଫରାଜ ୧୫ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ସମ୍ଭାବନା ରହିଛି।

ଘୋଷଣା ହେଲା ସ୍କ୍ୱାଡ: ଶେଷ ୩ ଟେଷ୍ଟ ବି ଖେଳିବେନି ବିରାଟ କୋହଲି

ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଟିମ ଘୋଷଣା କରିଛି। ୧୭ ଜଣିଆ ସ୍କ୍ୱାଡରେ ବିରାଟ କୋହଲିଙ୍କ ନାଁ ନାହିଁ। ଏହାର ଅର୍ଥ ପ୍ରଥମ ୨ ଟେଷ୍ଟ ଭଳି ଶେଷ ୩ ଟେଷ୍ଟରେ ମଧ୍ୟରେ ଖେଳିବେ ନାହିଁ ବିରାଟ।

ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ ଛୁଟି ନେଇଥିଲେ। ପ୍ରଥମ ୨ ଟେଷ୍ଟରେ ସେ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁପସ୍ଥିତ ଅବଧି ବୃଦ୍ଧ ପାଇଛି।

ବିରାଟ ନିଜ ଆଡ଼ୁ ହିଁ ବ୍ୟକ୍ତିଗତ କାରଣ ପାଇଁ ବାକି ୩ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି କହିଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ସ୍କ୍ୱାଡରେ ସାମିଲ କରି ନାହିଁ।

ସେହିପରି ଆହତ ସମସ୍ୟା ଯୋଗୁ ଶ୍ରେୟସ ଆୟର ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ୧୭ ଜଣିଆ ସ୍କ୍ୱାଡରେ ଉଭୟଙ୍କ ନାଁ ରହିଛି। କିନ୍ତୁ ଉଭୟ ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ସେମାନଙ୍କର ଫିଟନେସ ଉପରେ ନିର୍ଭର କରିବ ବୋଲି ବିସିସିଆଇ କହିଛି।

ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଆବେଶ ଖାନ ରହିଥିଲେ। କିନ୍ତୁ ବାକି ୩ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ ବେଳେ ସ୍କ୍ୱାଡରୁ ରିଲିଜ ହୋଇଥିବା ମହମ୍ମଦ ସିରାଜ କମବ୍ୟାକ କରିଛନ୍ତି।

ଦ୍ୱିତୀୟ ଟେଷ୍ଟ ପାଇଁ ସ୍କ୍ୱାଡରେ ସାମିଲ ହୋଇଥିବା ଯୁବ ସ୍ପିନର ସୌରଭ କୁମାରଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳି ନଥିଲା। ଏବେ ସେ ବାକି ୩ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ମିଡିୟମ ପେସ ବୋଲର ଆକାଶ ଦୀପଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।