ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା ଘଟଣା; ଦୁଷ୍କର୍ମ କରିନି କହିଲା ଅଭିଯୁକ୍ତ

ଟ୍ୟୁସନରୁ ଫେରିବା ବେଳେ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା ଘଟଣା; ଦୁଷ୍କର୍ମ କରିନି କହିଲା ଅଭିଯୁକ୍ତ

ପଶ୍ଚିମବଙ୍ଗରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ମାମଲାର ସତ ମାନିଛି ଅଭିଯୁକ୍ତ। ଛାତ୍ରୀକୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିଛି। କିନ୍ତୁ ଦୁଷ୍କର୍ମ କରିନଥିବା କହିଛି।

ପୁଲିସର କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ସାତଟା ସମୟରେ ଛାତ୍ରୀ ଜଣକ ଟ୍ୟୁସନରୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ମୋସ୍ତାକିନ ସରଦାର ତାଙ୍କୁ ଘରେ ଛାଡ଼ିଦେବେ ବୋଲି କହିଥିଲେ। ଛାତ୍ରୀ ଜଣକ ମଧ୍ୟ ତାଙ୍କ ସାଙ୍ଗରେ ଯାଇଥିଲେ।

କିନ୍ତୁ ମୋସ୍ତାକିନ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଏକ ନିଛାଟିଆ ଚାଷ ଜମିକୁ ନେଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାବେଳେ ସେ ଜୋରରେ ଚିତ୍କାର କରିବାରୁ ମୋସ୍ତାକିନ ତାଙ୍କୁ ମାରି ଦେଇଥିବା ସ୍ୱୀକାର କରିଛି। ଏଥିସହ ମୃତଦେହକୁ ନିକଟସ୍ତ ଏକ କେନାଲକୁ ଫିଙ୍ଗି ଦେଇଥିବା ମାନିଛି।

ପ୍ରକାଶ ଥାଉକି, ବେଙ୍ଗଲର ଦକ୍ଷିଣ ୨୪ ପରାଗଣର ମହିଷାମାରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଶୁକ୍ରବାର ଛାତ୍ରୀ ଜଣକ ଟ୍ୟୁସନ ଯାଇଥିଲେ। କିନ୍ତୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ମାମଲା ଦାଖଲ କରିଥିଲେ। ପୁଲିସ ଖୋଜାଖୋଜି କରୁଥିବା ବେଳେ ଏକ ପଡ଼ିଆ ନିକଟରୁ ମୃତଦେହ ମିଳିଥିଲା। 

କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ମୋସ୍ତାକିନ ସରଦାରକୁ ଗିରଫ କରି ପଚରା ଉଚରା କରୁଥିବାବେଳେ ସେ ସତ ମାନିଛି। 

ସେପଟେ, ଘଟଣାକୁ ନେଇ ବିଜେପି ଟିଏମସିର ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି, ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି।