ଚନ୍ଦ୍ରରେ ଓହ୍ଲାଇଲା ଜାପାନ; କିନ୍ତୁ, ‘SLIM’ ରେ ଦେଖାଦେଲା ସାମାନ୍ୟ କେଁ

ଜାପାନର ସ୍ମାର୍ଟ ଲ୍ୟାଣ୍ଡର ବା ମୁନ୍‌ ସ୍ନିପର ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଥିଲେ ବି ଏଥିରେ ସାମାନ୍ୟ ତ୍ରୁଟି ରହିଥିବା ଜଣାଯାଇଛି।

ଚନ୍ଦ୍ରରେ ଓହ୍ଲାଇଲା ଜାପାନ; କିନ୍ତୁ, ‘SLIM’ ରେ ଦେଖାଦେଲା ସାମାନ୍ୟ କେଁ

ମହାକାଶ ଗବେଷଣା କ୍ଷେତ୍ରରେ ଜାପାନ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଜାପାନର ସ୍ଲିମ୍‌ ମୁନ୍‌ ମିଶନ(SLIM - Smart Lander for Investigating Moon) ସଫଳତା ପୂର୍ବକ ଚନ୍ଦ୍ରରେ ଅବତରଣ କରିଛି। । ଜାପାନର ସ୍ମାର୍ଟ ଲ୍ୟାଣ୍ଡର ବା ମୁନ୍‌ ସ୍ନିପର ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଥିଲେ ବି ଏଥିରେ ସାମାନ୍ୟ ତ୍ରୁଟି ରହିଥିବା ଜଣାଯାଇଛି।

ଜାପାନର ମହାକାଶ ଗବେଷଣା ସଂସ୍ଥା ଜାପାନ ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି (ଜାକ୍ସା) ପକ୍ଷରୁ ପ୍ରସ୍ତୁତ ଏହି ସ୍ମାର୍ଟ ଲ୍ୟାଣ୍ଡର ଅବତରଣ ସମୟରେ ଏକ ବାଧା ସୃଷ୍ଟି ହୋଇଥିବା ଜଣାଯାଇଛି। ଫଳରେ ଏହାର ସୋଲାର ସେଲ୍‌ କାର୍ଯ୍ୟକ୍ଷମ ହୋଇ ପାରିନି। ଏହି ମହାକାଶଯାନ ବର୍ତ୍ତମାନ ବ୍ୟାଟେରୀ ଜୀବନ ଉପରେ ଚାଳିତ, ଯାହାକି ମାତ୍ର କିଛି ଘଣ୍ଟା ପର୍ଯ୍ୟନ୍ତ ରହି ପାରିବ ବୋଲି ଜାକ୍ସା ପକ୍ଷରୁ କୁହାଯାଇଛି। 

ସୋଲାର ସେଲ୍‌ ପୁନଃ କାର୍ଯ୍ୟକ୍ଷମ ହୋଇ ନ ପାରିଲେ ବି ଏହି ମିଶନକୁ ସଫଳ କୁହାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ଜାପାନ । କାରଣ ଏହା ପୂର୍ବ ନିର୍ଦ୍ଧାରିତ ଚନ୍ଦ୍ରର ପିନ୍‌ ପଏଣ୍ଟ ଅଞ୍ଚଳରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରି ପାରିଛି । ଏହା ଖୁବ୍‌ ଚ୍ୟାଲେଞ୍ଜିଂ ଥିବା ଜାକ୍ସା ସୂଚନା ଦେଇଛି।

ଜାକ୍ସା ସୂଚନା ଦେଇଛି, ଲ୍ୟାଣ୍ଡିଂ ପାଇଁ ୬୦୦x୪୦୦ କିମି ଅଞ୍ଚଳକୁ ବଛା ଯାଇଥିଲା। ସ୍ମାର୍ଟ ଲ୍ୟାଣ୍ଡର ଏହି ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଂ କରି ପାରିଛି। କାରଣ ଲ୍ୟାଣ୍ଡିଂ ସାଇଟ୍‌ର ଶହେ ମିଟର ମଧ୍ୟରେ ଏହାର ସ୍ପେଶକ୍ରାଫ୍ଟକୁ ଲ୍ୟାଣ୍ଡ କରିବାକୁ ଟାର୍ଗେଟ ରଖାଯାଇଥିଲା ଯାହାବି ସଫଳ ହୋଇଛି। ଏହି ଲ୍ୟାଣ୍ଡିଂ ସାଇଟ୍‌ ଚନ୍ଦ୍ରର ସବୁଠୁ ଅନ୍ଧକାରମୟ ଅଞ୍ଚଳ ।

ସ୍ମାର୍ଟ ଲ୍ୟାଣ୍ଡ ସହ ଏକ୍ସରେ ଇମେଜିଙ୍ଗ ଆଣ୍ଡ ସ୍ପେକ୍ଟ୍ରୋସ୍କୋପି ମିଶନ(XRISM) ବି ଚନ୍ଦ୍ରକୁ ଯାଇଛି। ଏହା ଚନ୍ଦ୍ର ଚାରିପଟେ ପରିକ୍ରମା କରି ସେଠାରେ ପପ୍ରବାହିତ ହେଉଥିବା ପ୍ଲାଜମା ବାୟୂକୁ ଯାଞ୍ଚ କରିବ । ଏହାଦ୍ୱାରା ବ୍ରହ୍ମାଣ୍ଡରେ ତାରା ଓ ଆକାଶଗଙ୍ଗାଙ୍କ ଉତ୍ପତି ସମ୍ପର୍କରେ ସୂଚନା ମିଳି ପାରିବି । ଜାପାନ, ନାସା ଓ ୟୁରୋପିଆନ ସ୍ପେଶ୍‌ ଏଜେନ୍ସି ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ଏହି ମିଶନ ଏବେ ଯାଏ ସମ୍ପୂର୍ଣ୍ଣ ସଫଳ ହୋଇ ପାରି ନ ଥିଲେ ବି ବିଶ୍ୱର ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସଫଳତା ପାଇ ପାରିଛି। ପୂର୍ବରୁ ଆମେରିକା, ଋଷ, ଚୀନ୍‌ ଓ ଭାରତ ଏହି କ୍ଲବରେ ସାମିଲ ଥିଲେ।

ସ୍ମାର୍ଟ ଲ୍ୟାଣ୍ଡର ବା ‘ମୁନ୍‌ ସ୍ନିପର’ ଚନ୍ଦ୍ରର ଏକ ଜ୍ୱାଳାମୁଖୀର ଗଡ଼ାଣିଆ ଅଞ୍ଚଳରେ ପିନ୍‌ ପଏଣ୍ଟ (ଧାର୍ଯ୍ୟ ସ୍ଥାନର ଅତି ନିକଟରେ) ଅବତରଣ କରିଛି। ଚନ୍ଦ୍ର ମଧ୍ୟରେଖାର ଦକ୍ଷିଣରେ ଏହା ଅବତରଣ କରିଛି। ଯାନର ଅବତରଣ ଧାର୍ଯ୍ୟ ସ୍ଥାନର ୧୦୦ ମିଟର (୩୩୦ ଫୁଟ୍‌)ରେ ଏହା ଅବତରଣ କରିଥିବା କୁହାଯାଇଛି।

ସାଧାରଣତଃ ମହାକାଶ ଅବତରଣ ଅଞ୍ଚଳ ଧାର୍ଯ୍ୟ ସ୍ଥାନର ଅନେକ କିଲୋମିଟର ମଧ୍ୟରେ ହୋଇଥାଏ। ଅନ୍ୟ କୌଣସି ଦେଶ ଏହି ସଫଳତା ହାସଲ କରି ପାରି ନ ଥିବା ବେଳେ ପିନ୍‌ ପଏଣ୍ଟ ପ୍ରଯୁକ୍ତି ଜରିଆରେ ଜାପାନ ଏହା ହାସଲ କରି ପାରିଛି। 

ଆଗାମୀ ଦିନରେ ଅନ୍ତର୍ଜାତୀୟ ମହାକାଶ ମିସନରେ ଉକ୍ତ ପ୍ରଯୁକ୍ତି ବିଶେଷ ସହାୟକ ହେବ ବୋଲି ଜାକ୍ସାର ସ୍ଲିମ ପ୍ରକଳ୍ପ ଅଧିକାରୀ ସିନିସିରୋ ସାକାଇ କହିଛନ୍ତି।

ଚନ୍ଦ୍ରର ପାହାଡ଼ିଆ ମେରୁ ଅଞ୍ଚଳରେ ଯାନ ପହଞ୍ଚାଇବାରେ ଉକ୍ତ ପ୍ରଯୁକ୍ତି ଶକ୍ତିଶାଳୀ ସାଧନ ହେବ ବୋଲି ଜାକ୍ସା କହିଛି। ଏହି ସ୍ଥାନରେ ଅମ୍ଳଜାନ, ଇନ୍ଧନ ଏବଂ ଜଳ ଥିବା କୁହାଯାଉଛି। ଦୁଇଟି ବିଫଳତା ପରେ ଜାପାନ ଚନ୍ଦ୍ରରେ ଯାନ ଅବତରଣ କରିବାରେ ଏହି ସଫଳତା ହାସଲ କରିଛି।

ଚନ୍ଦ୍ରପୃଷ୍ଠକୁ ଜାପାନ ପଠାଇଥିବା ଯାନରେ ଦୁଇଟି ମୁଖ୍ୟ ଉପକରଣ ରହିଛି। ସେଥିରୁ ଗୋଟିଏ ହେଲା ମାଇକ୍ରୋ‌ୱେଭ ଓଭେନ ଆକାରର ଏକ ହପିଂ ଯାନ ଏବଂ ଅନ୍ୟଟି ହେଲା ବେସବଲ୍ ଆକାରର ଚକା ଥିବା ରୋଭର। ଏହି ରୋଭର ମହାକାଶ ଯାନର ଫଟୋ ନେବ। ସୋନି ଗ୍ରୁପ, ଖେଳନା ନିର୍ମାତା ଟମି ଏବଂ ଜାପାନର କେତେକ ବିଶ୍ୱବିଦ୍ୟାଳୟ ମିଶି ଏଥିପାଇଁ ରୋବଟ୍‌ ପ୍ରସ୍ତୁତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୩ର ଧୀର ଅବତରଣ କରି ବିରଳ ସଫଳତା ହାସଲ କରିଥିଲା। ଭାରତ ସହିତ ମିଶି ୨୦୨୫ରେ ଜାପାନ ଏକ ମାନବରହିତ ଚନ୍ଦ୍ରଯାନ ମିସନ ଯୋଜନା ରଖିଛି।