ଚପଲ ଉଦ୍ଧାର କରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ନଦୀ କୂଳରେ ବୁଲାବୁଲି କରୁଥିବା ବେଳେ ଅସାବଧାନତା ବଶତଃ ଆୟୁଷଙ୍କର ଗୋଟିଏ ଚପଲ ନଦୀରେ ପଡ଼ି ଯାଇଥିଲା।

ଚପଲ ଉଦ୍ଧାର କରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ନଦୀରୁ ଚପଲ ଉଦ୍ଧାର କରିବାକୁ ଯାଇ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମଧ୍ୟ ପ୍ରଦେଶର ସିଓନୀ ଜିଲ୍ଲାରେ ଘଟିଛି ଏହି ଘଟଣା।

ମୃତ ଯୁବକଙ୍କ ନାଁ ଆୟୁଷ। ସେ ତାଙ୍କର ୫ ଜଣ ସାଙ୍ଗଙ୍କ ସହିତ ପରେୱା ଖୋହକୁ ଭୋଜି କରିବାକୁ ଯାଇଥିଲେ। ପରେୱା ଖୋହ ସେଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ।

ସେମାନେ ସେଠାରେ ନଦୀ କୂଳରେ ବୁଲାବୁଲି କରୁଥିବା ବେଳେ ଅସାବଧାନତା ବଶତଃ ଆୟୁଷଙ୍କର ଗୋଟିଏ ଚପଲ ନଦୀରେ ପଡ଼ି ଯାଇଥିଲା।

ଚପଲଟିକୁ ନଦୀରୁ ଆଣିବା ପାଇଁ ଆୟୁଷ ଏକ ବାଡ଼ିର ସାହାଯ୍ୟ ନେଇଥିଲେ। ସେ ବାଡ଼ିଟିକୁ ଧରି ନଦୀକୁ ପ୍ରବେଶ କରିଥିଲେ। ସେ ବାଡ଼ିରେ ଚପଲଟିକୁ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେତେବେଳେ ଚପଲଟି ପାଣିରେ ଆଉ ଟିକେ ଆଗକୁ ଭାସି ଯାଇଥିଲା। ତେଣୁ ଚପଲଟିକୁ ଆଣିବା ପାଇଁ ନଦୀରେ ସେ ଆଉ ଟିକେ ଆଗକୁ ବଢ଼ିବା ମାତ୍ରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଭାସି ଯାଇଥିଲେ। ତାଙ୍କ ସାଙ୍ଗମାନେ ନଦୀ କୂଳରେ ଟିକେ ଦୂରରେ ଛିଡ଼ା ହୋଇଥିବା ବେଳେ ଏହି ଘଟଣା ଘଟିଛି।

ଆୟୁଷଙ୍କ ସାଙ୍ଗମାନେ ଘଟଣା ସଂପର୍କରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ନଦୀରୁ ଆୟୁଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।