ଚାଲିଗଲେ ପଙ୍କଜ ଉଧାସ

 ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ଚାଲିଗଲେ ପଙ୍କଜ ଉଧାସ

ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା  ଦେଇଛନ୍ତି।

ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ସାମ୍ନାକୁ ଆସିବା ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟ୍‌କା ଲାଗିଛି ବି-ଟାଉନରେ ଶୋକର ଛାୟା ଖେଳି ଯାଇଛି। 

ପଙ୍କଜ ଉଧାସ  ଗଜଲ ଗାୟକ ପାଇଁ ଫେମସ୍‌ ଥିଲେ। ୧୯୮୦ରେ ତାଙ୍କର ପ୍ରଥମ ଆଲବମ୍‌ 'ଆହଟ୍' ରିଲିଜ ହୋଇଥିଲା। ଏଥିରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ସେ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ 'ତୁ ହସିନ୍‌ ମେ ଯବାଁ' ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ କିଶୋର କୁମାର ସହ ଗୀତ ଗାଇଥିଲେ। ତେବେ  'ନାମ୍‌’ ଫିଲ୍ମର ‘ଚିଠି ଆଇ ହେ’ ଗୀତରୁ ତାଙ୍କୁ ମିଳିଥିଲା ଲୋକପ୍ରିୟତା। 

କେବଳ ସେତିକି ନୁହେଁ  ଚାନ୍ଦି ଜେସା ରଙ୍ଗ ହୈ ତେରା, ନା କଜରେ କି ଧାରା, ମତ୍‌ କର ଇତନା ଗୁରୁର, ଜିଏଁ ତୋ ଜିଏଁ କେସେ ବିନ୍‌ ଆପ୍‌କେ.. ଭଳି ଅନେକ ହିଟ୍‌ ଗୀତ ଗାଇଛନ୍ତି ପଙ୍କଜ ଉଧାସ। ସେ ନିଜ କ୍ୟାରିୟର୍‌ରେ ୫୦ରୁ ବି ଅଧିକ ଆଲବମ୍‌ ଗୀତ ଗାଇଛନ୍ତି। ସେହିପରି ୫୦ରୁ ଅଧିକ ଫିଲ୍ମରେ ଗୀତ ଗାଇ ମ୍ୟଜିକ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ୨୦୦୬ରେ ପଙ୍କଜଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୫୧ ମେ' ୧୭ ତାରିଖରେ ଗୁଜରାଟର ଜୀତପୁରରେ ଜନ୍ମ ଗ୍ରହଣ କରିଥିଲେ ପଙ୍କଜ ଉଧାସ। ତାଙ୍କ ବାପା ଜଣେ କୃଷକ ଥିବା ବେଳେ ତାଙ୍କର ଦୁଇ ଭାଇ ମଧ୍ୟ ସିଙ୍ଗର ଥିଲେ। ପଙ୍କଜ ଫରିଦାଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ଝିଅ ଅଛନ୍ତି।