ଚାଷୀଙ୍କ ବୁଦ୍ଧି ମାନିବାକୁ ପଡ଼ିବ! ପରିବା ଚାଷ ଭିତରେ ଲାଗିଛି ଗଞ୍ଜେଇ ଗଛ

ମାଜିଷ୍ଟ୍ରେଟ ଭାବେ ରାଇଘର ଅତିରିକ୍ତ ତହସିଲଦାର୍ ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ନଦୀ କୂଳରେ ପ୍ରାୟ ୩ ଏକର ପରିବା ଚାଷ ଜମିରେ ଲାଗିଥିବା ୩୦୦୦ରୁ ଅଧିକ ଗଞ୍ଜେଇ ଗଛ ଉପାଡ଼ିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷରୁ ଅଧିକ ଟଙ୍କା ହେବ।

ଚାଷୀଙ୍କ ବୁଦ୍ଧି ମାନିବାକୁ ପଡ଼ିବ! ପରିବା ଚାଷ ଭିତରେ ଲାଗିଛି ଗଞ୍ଜେଇ ଗଛ

ଚାଷୀଙ୍କ ବୁଦ୍ଧି ମାନିବାକୁ ପଡ଼ିବ! ଧରା ପଡ଼ିଯିବା ଭୟରେ ପରିବା ଚାଷ ଭିତରେ ଲଗାଇଛନ୍ତି ଗଞ୍ଜେଇ ଗଛ। ଯିଏ ଦୂରରୁ ଦେଖିବ ଶାଗ ବୋଲି ଭାବି ଫେରିଯିବ। ହେଲେ ବେଳା ଖରାପ ପଡ଼ିଲା। ନବରଙ୍ଗପୁର ଶଙ୍ଘୁଶୁଙ୍ଘୁ ସେଠାରେ ପହଞ୍ଚିଲା। ଆଉ ଲାଗିଥିବା ୩୦୦୦ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କଲା। ପରିବା ଚାଷ ଭିତରେ ଗଞ୍ଜେଇ ଗଛ ଲାଗିବା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି।

ରାଇଘର ବ୍ଲକ୍‌ କୁନ୍ଦେଇ ଥାନା କାଉଡୋଳା ପଞ୍ଚାୟତର ଧନରା ଛତିଶଗଡ଼ ସୀମାକୁ ଲାଗିଛି। ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହି ଗାଁ ଦେଇ ବୋହି ଯାଇଥିବା ନଦୀପଠାରେ ଥିବା ସରକାରୀ ଜମିରେ ଗାଁ ଲୋକେ ମକା ଓ ପନି ପରିବା ଚାଷ କରୁଛନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଛି ପୂରା ପରିବାର। ହେଲେ କେତେକ ଅସାଧୁ ଚାଷୀ ଶାଗ ଓ କୋବି ଚାଷ ମଝିରେ ଲଗାଇଛନ୍ତି ଗଞ୍ଜେଇ। ଯିଏ ଦୂରରୁ ଦେଖିବ, ଶାଗ ଚାଷ ଭାବି ପଳାଇବ। ଏମିତି ପ୍ରଣାଳୀରେ ଚାଷୀମାନେ ଦୀର୍ଘଦିନ ଧରି ଗଞ୍ଜେଇ ଚାଷ କରିଆସୁଥିଲେ।

ହେଲେ ଏପରି ନକଲି ପରିବା ଚାଷୀଙ୍କ ବେଳା ଖରା ପଡ଼ିଲା। ପରିବା ଚାଷ ଭିତରେ ଗଞ୍ଜେଇ ଚାଷ ହେଉଥିବା ନେଇ ନବରଙ୍ଗପୁର ଏସ୍‌ପିଙ୍କ ନିକଟରେ ଖବର ପହଞ୍ଚିଲା। ଏହା ପରେ ତତ୍ପର ହୋଇଥିଲା ପୁଲିସ୍‌ ପ୍ରଶାସନ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଉମରକୋଟ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ୱରେ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଓ DVF ଫୋର୍ସ ମିଳିତ ଭାବେ ରବିବାର ଉକ୍ତ ଗାଁରେ ଚଢ଼ଉ କରିଥିଲେ।

ମାଜିଷ୍ଟ୍ରେଟ ଭାବେ ରାଇଘର ଅତିରିକ୍ତ ତହସିଲଦାର୍ ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ନଦୀ କୂଳରେ ପ୍ରାୟ ୩ ଏକର ପରିବା ଚାଷ ଜମିରେ ଲାଗିଥିବା ୩୦୦୦ରୁ ଅଧିକ ଗଞ୍ଜେଇ ଗଛ ଉପାଡ଼ିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷରୁ ଅଧିକ ଟଙ୍କା ହେବ। ପରେ ସେହି ଗଞ୍ଜେଇ ଗଛରେ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ତେବେ ସେଠାରେ କିଏ ଏତେ ପରିମାଣରେ ଗଞ୍ଜେଇ ଚାଷ କରିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତନ୍ତ ଚଳାଇଛି। ପରିବା ଚାଷ ଭିତରେ ଗଞ୍ଜେଇ ଚାଷ ହେବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ