ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର
କେନ୍ଦୁଝର ଜିଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ଡା. ଫକିର ମୋହନ ନାଏକ (୫୦) ବିଧାୟକ ହୋଇଛନ୍ତି। ଭାଜପା ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯, ୪୩୯ ଭୋଟରେ ପରାସ୍ତ କରିଥିଲେ। ସେ ୮୩, ୮୧୮ ଭୋଟ ପାଇଥିବା ବେଳେ ମାଧବ ୭୪, ୩୭୯ ଭୋଟ ପାଇଥିଲେ। ଏହି ଆସନରେ ବିଜେଡିରୁ ଯାଇ ଭାଜପାରେ ମିଶି ଥିବା ୨ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ ଓ […] The post ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର appeared first on Dharitri Odia News.
କେନ୍ଦୁଝର ଜିଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ଡା. ଫକିର ମୋହନ ନାଏକ (୫୦) ବିଧାୟକ ହୋଇଛନ୍ତି। ଭାଜପା ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯, ୪୩୯ ଭୋଟରେ ପରାସ୍ତ କରିଥିଲେ। ସେ ୮୩, ୮୧୮ ଭୋଟ ପାଇଥିବା ବେଳେ ମାଧବ ୭୪, ୩୭୯ ଭୋଟ ପାଇଥିଲେ। ଏହି ଆସନରେ ବିଜେଡିରୁ ଯାଇ ଭାଜପାରେ ମିଶି ଥିବା ୨ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ ଓ ବେଦବ୍ୟାସ ନାୟକ ଟିକେଟ ପାଇବା ସମ୍ଭାବନା ଥିଲା। ହେଲେ ଶେଷ ମୁହୂର୍ତ୍ତରେ ଫକିର ଟିକେଟ ପାଇ ବିଜୟୀ ହୋଇଥିଲେ।
କେନ୍ଦୁଝର ଜିଲାର କୋଳିମାଟି ଭଳି ଛୋଟ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଜନ୍ମ ହୋଇଥିବା ଫକିର ଲୋକସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ। ପିତା ନିରାକର ନାଏକ (୬୭) ଅଧ୍ୟାପକ ଓ ମାତା ସାବିତ୍ରୀ ନାଏକ (୬୧) ଥିଲେ ଜଣେ ଗୃହିଣୀ। ଫକିର ଘରର ଦ୍ୱିତୀୟ ସନ୍ତାନ ହୋଇଥିବା ବେଳେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ମେଧା ବଳରେ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ। ୧୯୯୨ରେ ବିଜ୍ଞାନରେ ଦ୍ୱାଦଶ ଶେଷ କରିବା ପରେ ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ, ଆଲ୍ଲାହାବାଦରେ ନାମ ଲେଖାଇଥିଲେ। ହେଲେ ଲୋକଙ୍କ ପ୍ରତି ସେବା ମନୋଭାବ ରଖିଥିବାରୁ ବୈଷୟିକ ଶିକ୍ଷାରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେ ପ୍ରବେଶିକା ପରୀକ୍ଷା ଦେଇ ମେଡିକାଲ ପାଠ ପଢ଼ିଲେ। ୧୯୯୪ରେ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ୨୦୦୧ରେ ଡାକ୍ତରୀ ପାଠ ସରିବା ପରେ ୨୦୦୩ରେ ପ୍ରଥମ ନିଯୁକ୍ତି ଯୋଡ଼ା ବ୍ଲକ୍ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଇଥିଲେ। ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। ଫକିରଙ୍କ ଆଗରେ ମ୍ୟାଲେରିଆ ନିରାକରଣ ଏକ ବଡ଼ ଆହ୍ବାନ ଥିଲା। ସେ ପରିଶ୍ରମ କରି ଓ ଲୋକଙ୍କ ସହଯୋଗରେ ଏହାର ସଫଳ ମୁକାବିଲା କରିପାରିଥିଲେ। ୨୦୧୭ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍)ରେ ସାମିଲ ହୋଇଥିଲେ।
ଚାକିରି ସାଙ୍ଗକୁ ଲୋକଙ୍କ ସେବା କରିବାର ମନୋବୃତ୍ତି ଓ ଦେଶ ପାଇଁ କିଛି କରିବାର ଦକ୍ଷତାକୁ ଦେଖି ଆର୍ଏସ୍ଏସ୍ ପକ୍ଷରୁ ତାଙ୍କୁ ଜିଲା ସହ ସଂଘଚାଳକ ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା। ଦୀର୍ଘ ୧୭ ବର୍ଷ ଧରି ଆଦିବାସୀ ଓ ଖଣି ପ୍ରଭାବିତ ଯୋଡ଼ା ଅଞ୍ଚଳରେ କାମ କରିବାକୁ ସୁଯୋଗ ପାଇଥିଲେ। ୨୦୨୦ରେ ତାଙ୍କର ବଦଳି ସେଠାରୁ ୧୧୦ କି.ମି. ଦୂର ତେଲକୋଇକୁ ହୋଇଥିଲା। କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସେ ଗାଁ ଗାଁ ବୁଲି ଲୋକଙ୍କ ସେବା କରି ତେଲକୋଇବାସୀଙ୍କ ପ୍ରିୟଭାଜନ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ତାଙ୍କର ବଦଳି କଳାହାଣ୍ଡି ଜିଲା ଭବାନୀପାଟଣାକୁ ହୋଇଥିଲା।
ବିଧାୟକ କହନ୍ତି:
ଦୂର ସ୍ଥାନକୁ ବଦଳି ହେବା ପରେ ପରିବାରର ସ୍ଥିତି, ମାତାପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ତେଲକୋଇ ଲୋକଙ୍କ ଭଲପାଇବାକୁ ଦେଖି ୨୦୨୩ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା କହିଛନ୍ତି। ସରକାରୀ ଚାକିରିରୁ ମୁକ୍ତ ହେବା ପରେ ୨୦୨୩ ନଭେମ୍ବର ୮ରେ ଭାଜପାରେ ବିଧିବଦ୍ଧ ଭାବରେ ଯୋଗଦେଇଥିଲେ। ଅବସର ପରେ ମଧ୍ୟ ସେ ଗଁା ଗଁା ବୁଲି ରୋଗୀ ସେବା କରି ଆସୁଥିଲେ। ପରେ ତାଙ୍କ କାମ ଓ ଦଳ ପ୍ରତି ଆନୁଗତ୍ୟକୁ ଦେଖି ଭାଜପା ତାଙ୍କ ଉପରେ ଆସ୍ଥା ରଖି ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା। ତାଙ୍କ ସ୍ତ୍ରୀ ଷ୍ଟାଫ୍ ନର୍ସ ଥିବା ବେଳେ ଏକମାତ୍ର ପୁଅ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି। ଲୋକଙ୍କ ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଥିବା କହିଛନ୍ତି।
– ରିପୋର୍ଟ: ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର
The post ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର appeared first on Dharitri Odia News.