ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ...

ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ।

ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ...

ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି। ବିବାଦ ତୁଟିବା ପରେ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସି ଓଡ଼ିଶା ମାର୍କେଟରେ ମହଜୁଦ୍ ରହିଛି । ମନ୍ତ୍ରୀ ବି କହୁଛନ୍ତି କିଲୋ ପିଛା ୧୫-୨୦ ଟଙ୍କାରେ ମିଳୁଛି। କିନ୍ତୁ ବାସ୍ତବଚିତ୍ର ପୁରା ଓଲଟା। ରାଜଧାନୀରୁ ରାଜ୍ୟବ୍ୟାପି ଆଳୁ କିଲୋ ୩୦-୩୫କୁ ଖସୁନି। ଖାଲି ଆଳୁ ନୁହଁ, ପିଆଜ, ଅଦା, ରସୁଣ ସହ ଖାଇବା ତେଲରେ ଦରବୃଦ୍ଧିର ନିଆଁ ଲାଗିଛି ଓଡ଼ିଶାର ହାଟ ବଜାରରେ।

ଆଳୁ କିଲୋ ୧୫ରୁ ୨୦ ଟଙ୍କା । ନାଫେଡ୍ ଜରିଆରେ ପିଆଜ କିଲୋ ୩୫ ଟଙ୍କା । ଏ ଥିଲା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ହେଲେ ହାଟ ବଜାରକୁ ଯାଇ ବୁଝିଲାବେଳକୁ । କଥା ପୁରା ଅଲଗା। ଭୁବନେଶ୍ବର ୧ ନମ୍ବର ପରିବା ମାର୍କେଟର ଯେଉଁ ବ୍ୟବସାୟୀଙ୍କ ପାଖକୁ ଯାଆନ୍ତୁ, କିଲେ ଆଳୁକୁ ୩୫, ତିନି କେଜି କିଣିଲେ ଶହେ। ପିଆଜ ତ ଉପରମୁହାଁ। ସିଧା ପହଞ୍ଚିଯାଇଛି ୫୫ରେ। କଟକ ଛତ୍ର ବଜାର ପରିବା ମାର୍କେଟର କଥା ଯଦି କହିବା, ତେବେ ଆଳୁ ୩୦, ପିଆଜ ୫୫। ବ୍ରହ୍ମପୁର କମାପଲ୍ଲୀ ପରିବା ବଜାରରେ ୨ ମାସ ଆଗରୁ ଯେଉଁ ଆଳୁ ୨୫ରେ ବିକ୍ରୀ ହେଉଥିଲା,ଏବେ ୩୦-୩୫ରେ ବିକ୍ରି ହେଉଛି । ଏଠି ବି ହାଫ୍ ସେଞ୍ଚୁରୀ ପାର୍ କରିଛି ପିଆଜ। ବାଲେଶ୍ବର ନ୍ୟୁ ବଜାରର ପରିବା ମାର୍କେଟରେ ବି ଆଳୁ ୩୦, ପିଆଜ ୫୫। ରାଜ୍ୟବ୍ୟାପି ପର୍ଯ୍ୟାପ୍ତ ଆଳୁ ଥିଲେ ବି ଦର ଖସୁନଥିବାବେଳେ ଏବେ ସାଧାରଣ ଖାଉଟିଙ୍କୁ କନ୍ଦାଉଛି ପିଆଜ।

ପଶ୍ଚିମବଙ୍ଗ ସରକାର ଆଳୁ ନଦେବାରୁ କିଛିଦିନ ତଳେ ଓଡ଼ିଶାରେ ଦେଖାଦେଇଥିଲା ସଙ୍କଟ। ସେହି ସମୟରେ ୟୁପିରୁ ଆଳୁ ମଗାଇ ସଙ୍କଟ ଟାଳିଥିଲେ ରାଜ୍ୟ ସରକାର। ଏବେ ଆଳୁ ବିବାଦ ତୁଟି ବଙ୍ଗରୁ ଓଡ଼ିଶାକୁ ଦୈନିକ ୪ ହଜାର ୫ଶହ ଟନରୁ ଅଧିକ ଆସୁଛି। ଯାହା ଆବଶ୍ୟକତାଠାରୁ ଢେର୍ ଅଧିକ। ତା’ହେଲେ କାହିଁକି ୩୦-୩୫ରୁ ଦର ଖସୁନି ? କେଉଁଠି ରହୁଛି ସମସ୍ୟା ? କେବଳ ଆଳୁ ନୁହେଁ, ରସୁଣ କିଲୋ ୩୬୦ରୁ ୩୮୦ ଏବଂ ଅଦା କିଲୋ ୨୪୦ରୁ ୨୫୦ରେ ବିକ୍ରି ହେଉଛି ରାଜ୍ୟବ୍ୟାପି। ଏଭଳି ଦରବୃଦ୍ଧିକୁ ନେଇ ପାଇକାରୀ ବ୍ୟବସାୟୀ ସରକାର ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଦାୟୀ କରୁଥିବାବେଳେ ଖୁଚୁରା ବ୍ୟବସାୟୀ, ପରିବହନ ଖର୍ଚ୍ଚ ସହ ଖରା ବର୍ଷାକୁ ଦାୟୀ କରୁଛନ୍ତି। 

ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ। ଯେଉଁ ରିଫାଇନ ତେଲ ଦିନକ ତଳେ ଲିଟର ୧୧୦ ଥିଲା, ଏବେ ୧୨୦। ସୋରିଷ ତେଲ ୧୩୫ରୁ ସିଧା ପହଞ୍ଚିଯାଇଛି ୧୫୫। କାହିଁକି ବଢୁଛି ? କିଏ ବଢ଼ାଉଛି ? କେହି ଜାଣୁନାହାଁନ୍ତି। ଏଣେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କହିବା କଥା, ଆମେ ଏସବୁ ସାମଗ୍ରୀ ପାଇଁ ଯେଉଁ ରାଜ୍ୟ ଗୁଡ଼ିକୁ ନିର୍ଭର କରୁଛୁ, ସେହି ରାଜ୍ୟରେ ବର୍ଷା, ବନ୍ୟା ଯୋଗୁ ଏବେ ହାଇରେଟ୍ ରହୁଛି। କାରଣ ଯାହା ବି ଥାଉନା କାହିଁକି, ଅତ୍ୟାବଶ୍ୟକ ସାମଗ୍ରୀର ଏଭଳି ଦରବୃଦ୍ଧିରେ ସାଧାରଣ ଖାଉଟୀ କିନ୍ତୁ କଲବଲ ହେଉଛନ୍ତି। ଅପେକ୍ଷା କେବେ ନିସ୍ତାର ମିଳୁଛି।