ଛୋଟ ପିଲାର ଚିତ୍କାରକୁ ଖାତିର କଲେନି, ଲୁହା ରଡ୍‌ରେ କାରକୁ ପିଟି ଚାଲିଲେ: ଭିଡିଓ ଭାଇରାଲ୍‌

କାର୍‌ ଭିତରେ ଛୋଟ ପିଲା ଅଛନ୍ତି କହି ଦମ୍ପତି କାନ୍ଦି ଥିଲେ ବି ଏହାର ପ୍ରଭାବ ଆକ୍ରମଣକାରୀଙ୍କ ଉପରେ ପଡ଼ି ନଥିଲା।

ଛୋଟ ପିଲାର ଚିତ୍କାରକୁ ଖାତିର କଲେନି, ଲୁହା ରଡ୍‌ରେ କାରକୁ ପିଟି ଚାଲିଲେ: ଭିଡିଓ ଭାଇରାଲ୍‌

କାର୍‌ ଭିତରେ ଥିବା ଗୋଟିଏ ପରିବାର ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଜଣେ ବ୍ୟକ୍ତି ଲୁହା ରଡ୍‌ରେ କାର ଉପରେ କରିଛନ୍ତି ଘନଘନ ଆକ୍ରମଣ। ଏହା ଦେଖି କାର ଭିତରେ ଥିବା ମହିଳା ଓ ଛୋଟ ପିଲା ଚିତ୍କାର କରୁଥିଲେ ହେଁ ଆକ୍ରମଣକାରୀ ଜଣଙ୍କ ନିଜର ଦବଙ୍ଗଗିରି ବନ୍ଦ କରି ନଥିଲେ।

କାର୍‌ ଭିତରେ ଛୋଟ ପିଲା ଅଛନ୍ତି କହି ଦମ୍ପତି କାନ୍ଦି ଥିଲେ ବି ଏହାର ପ୍ରଭାବ ଆକ୍ରମଣକାରୀଙ୍କ ଉପରେ ପଡ଼ି ନଥିଲା। ସେ କାରର ଆଗ, ପଛ ଓ ସାଇଡକୁ ପିଟି ବ୍ୟାପକ କ୍ଷତି କରିଛନ୍ତି। ଉତ୍ତର ପ୍ରଦେଶର ବାଦାଉଁରେ ଘଟିଥିବା ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମାନ୍ୟ ପାର୍କିଂକୁ ନେଇ ଏତେ ବଡ଼ ଘଟଣା ଘଟିଛି। ପାର୍କିଂକୁ ନେଇ ଅଭିଷେକ ଶର୍ମା ଓ ତାଙ୍କ ପରିବାର ଲୋକଙ୍କ ସହ ଜଣଙ୍କର ପାଟିତୁଣ୍ତ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଓ ତାଙ୍କର କିଛି ସାଥୀ ମିଳିତ ଭାବେ ଶ୍ରୀ ଶର୍ମାଙ୍କ ପରିବାର ଲୋକ ଯାଉଥିବା କାର୍‌କୁ ଘେରି ଯାଇ ଆକ୍ରମଣ କରିଛନ୍ତି। ଘଟଣାଟି ଅଗଷ୍ଟ ୧୯ରେ ଘଟିଥିଲା।

ଶ୍ରୀ ଶର୍ମା କହିଛନ୍ତି, ଅଭିଯୁକ୍ତ ଜଣକ ଆମ କାରକୁ ଅତିକ୍ରମ କରିଯାଇଥିଲେ। ଏହାପରେ ଆମ ଆଗରେ ତାଙ୍କ ଗାଡ଼ିକୁ ପାର୍କ କରିଥିଲେ। ମୁଁ ଏହାର ଭିଡିଓ କରି ଅପଲୋଡ କରିଥିଲି। ଆମେ ଏନେଇ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲୁ। ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଏବେ କିଛି ଲୋକ ମିଳିତ ଭାବେ ଆମ କାରକୁ ଘେରି ଯାଇ ଭଙ୍ଗାରୁଜା କରିଛନ୍ତି। ତେବେ ପୁଲିସ୍‌ ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି।”

ଅଭିଯୁକ୍ତର ପରିଚୟ ସମ୍ପର୍କରେ ପଚାରିବାରୁ ଅଭିଷେକ କହିଛନ୍ତି, “ଆମକୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ସରକାରୀ ଡାକ୍ତର ଓ ତାଙ୍କ ନାଁ ବୈଭବ।”

ପୁଲିସ୍‌ର କହିବା କଥା ଯେ ଦୁଇ ପକ୍ଷଙ୍କ ମଧ୍ୟରେ ପାର୍କିଂକୁ ନେଇ ବିବାଦ ହୋଇଥିଲା। ଏହାପରେ ଅଭିଯୁକ୍ତ ଜଣଙ୍କ ଅଭିଷେକ ଶର୍ମାଙ୍କ ଗାଡ଼ିକୁ ଅନୁସରଣ କରିଥିଲେ ଓ କିଛି ଲୋକଙ୍କୁ ଡାକି ଭଙ୍ଗା ରୁଜା କରିଥିଲେ।

କାର ଭିତରେ ଥିବା ଲୋକମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଏନେଇ ଅଭିଯୋଗ ହୋଇଛି। ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି ପୁଲିସ୍‌ କହିଛି।