ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି
ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି। ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି। ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ […] The post ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି appeared first on Dharitri Odia News.
ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି। ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି। ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ ସମାନ ହୋଇଯାଇଛି। ଫଳରେ ସମୁଦ୍ର ସଂଲଗ୍ନ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକ, ଶିଆଳି, ଶଙ୍ଖା, ନୋଳିଆସାହି, କଳବେଦୀ, ରାମତରା ପଞ୍ଚାୟତର ୨୫ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାଯୋଗ୍ୟ, ୨୦୦୫ ମସିହାରେ ସମୁଦ୍ର ବେଳାଭୂମିଠାରୁ ୫୦ ମିଟର ଦୂରରେ ଥିଲା। ସମୟକ୍ରମେ ଜଳବାୟୁ ପତିବର୍ତ୍ତନ ଯୋଗୁ ସମୁଦ୍ର ଜଳ ପତନ ବୃଦ୍ଧି ଘଟି କୂଳମୁହଁା ହୋଇଥିଲା। ମାତ୍ର ପୁରୀ ବେଳାଭୂମି ପରି ଶିଆଳିଠାରେ ସମୁଦ୍ର ଅଗଭୀର ହୋଇଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପୂର୍ବତନ ବିଡିଓ ମୁରଲୀଧର ସ୍ବାଇଁଙ୍କ ଚେଷ୍ଟାରେ ସେଠାରେ ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଗଲା। ସେଠାରେ ସମୁଦ୍ର ଦର୍ଶନ ପାଇଁ ଭିୟୁ ଟାୱାର, ଓଟିଡିସି ସଭା ଗୃହ, ଝାଉଁ ଜଙ୍ଗଲ, ଗାଡି ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସୃଷ୍ଟି କରାଯାଇ ଶିଆଳି ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯାଇଥିଲା।
ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏହି ସ୍ଥଳକୁ ଆସିବାରେ ଲାଗିଲେ। ଏହାକୁ ବିଚାରକୁ ନେଇ ୨୦୧୪ରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଶିଆଳି ସ୍ଥାନ ପାଇଥିଲା। ଏ ନେଇ ଏରସମା ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଥିଲା। ମାତ୍ର ପରିତାପର ବିଷୟ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ରର ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଗଲାନାହିଁ। ଏହା ମଧ୍ୟରେ ସମୁଦ୍ର ଜଳ ପତନ ଆଶାତୀତ ବୃଦ୍ଧି ଘଟି ବାରମ୍ବାର କୂଳ ଲଂଘୁଛି। ଫଳରେ ନିର୍ମାଣ କରାଯାଇଥିବା ଭିୟୁ ଟାଓ୍ବାର ତଳ ଅଂଶରୁ ମାଟି ଓ ବାଲି ଧସି ଯିବାରୁ ବିପଦସଙ୍କଳ ଅବସ୍ଥାକୁ ଚାଲି ଆସିଥିଲା।
ଫଳରେ ପ୍ରଶାସନ ବାଧ୍ୟ ହୋଇ ଭିୟୁ ଟାଓ୍ବାରକୁ ଭାଙ୍ଗି ମାଟିରେ ମିଶାଇବାକୁ ପଡ଼ିଥିଲା। ପ୍ରଶାସନ ପକ୍ଷରୁ ଜୁଆର ରୋଧକ ଭାବେ ଝାଉଁ କାଠ, ତାର ଜାଲି, ପଥର ଦ୍ୱାରା ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ସମୁଦ୍ର ଗର୍ଭରେ ଲୀନ ହୋଇସାରିଲାଣି। ଜୁନ ପହିଲାରେ ଲୁଣା ଜୁଆର ମାଡି ଯାଇ ଆତଙ୍କ ସୃଷ୍ଟି କରିଥିଲା। ଜୁନ ୧୫ ମଝି ରଜରେ ସମୁଦ୍ର ସ୍ନାନ ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଶିଆଳି ଗ୍ରାମର ଦୋଳଗୋବିନ୍ଦ ଜୀଉ ଯୁବ ସଙ୍ଗଠନର କର୍ମକର୍ତ୍ତା ସୁକାନ୍ତ ସାମନ୍ତ କହିଛନ୍ତି, ସାଗରମାଳା ପ୍ରକଳ୍ପ କାଗଜ ପତ୍ରରେ ସୀମିତ ହୋଇଯାଇଛି। ସମୁଦ୍ର ଯେଉଁ କରାଳ ରୂପ ନେଇ ସ୍ଥାଳ ଭାଗ ଆଡକୁ ମାଡି ଆସୁଛି ଏହା ଏରସମା ଅଞ୍ଚଳ ପାଇଁ ବପଦ ସାଜିଛି।
The post ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି appeared first on Dharitri Odia News.