ଜଙ୍ଗଲରେ ମାଓ ସୁଡ଼ଙ୍ଗ, ମାଟି ତଳେ ମାଓବାଦୀଙ୍କ ଭୟଙ୍କର ଷଡ଼ଯନ୍ତ୍ର !

ଛତିଶଗଡ଼ ଜଙ୍ଗଲରେ ହମାସ ଷ୍ଟାଇଲର ଟନେଲ୍ । ଦାନ୍ତେୱାଡ଼ାରେ ଲାଲବାହିନୀର ବିଶାଳ ସୁଡ଼ଙ୍ଗ ଠାବ ।

ଜଙ୍ଗଲରେ ମାଓ ସୁଡ଼ଙ୍ଗ, ମାଟି ତଳେ ମାଓବାଦୀଙ୍କ ଭୟଙ୍କର ଷଡ଼ଯନ୍ତ୍ର !

ଗାଜାରେ ଆତଙ୍କୀ ସଂଗଠନ ହମାସର ବଙ୍କର ଭଳି ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଖୁପିଆ ଠିକଣା। ଅବିକଳ ହମାସ୍ ଭଳି ପ୍ଲାନିଂ, ହମାସ୍ ଭଳି ବଙ୍କର, ହମାସ୍ ଶୈଳୀରେ ସବୁକିଛି । ଦୂରରୁ ଦେଖିଲେ ନା ଜାଣିହେବ ନା ପାଖକୁ ଗଲେ କେହି ଠଉରାଇ ପାରିବେ କି ଏହା କଣ । ହେଲେ ମାତ୍ର ଫୁଟେ ଦେଢ଼ ଫୁଟ୍ ଗଭୀରର ଏହି ମାଟି ଝାଟିର ଗାତ ଭିତରେ ଯେ କେତେ ବଡ଼ ଷଡ଼ଯନ୍ତ୍ର ରଚା ଯାଉଛି ତାହା କଳନା କରିବା ମୁସକିଲ୍।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଛତିଶଗଡ଼ରେ କମ୍ବିଂ ବେଳେ ସୁରକ୍ଷାକର୍ମୀ ଏହି ବଙ୍କରକୁ ଠାବ କରିଛନ୍ତି। ଡାଳ ପତ୍ର ଦ୍ୱାରା ଢାଙ୍କି ବଙ୍କରର ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରାଯାଇଛି। ଆଉ ଭିତରକୁ ଯିବା ପରେ ୩ରୁ ୪ଫୁଟ୍ ଉଚ୍ଚର ଟନେଲ୍ ରହିଛି। ତାହାରି ଭିତରେ ରହି ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥାନ୍ତି ନକ୍ସଲ। ଆମ୍ବୁସ୍ କରି ଫୋର୍ସକୁ ଘେରିବାକୁ ସେହି ଟନେଲ୍ ନକ୍ସଲଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ସାଜିଥିଲା । ଆଉ ଲୁଚିବା ପାଇଁ ଗଛପତ୍ରର ସାହାରା ନେଉଥିଲେ ।

ଗତକାଲି ସୁକମା-ବିଜାପୁର ସୀମା ଟେକାଲଗୁଡେମ୍‌ରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ୨ ଶହରୁ ଅଧିକ ମାଓବାଦୀ। ମୋଷ୍ଟ ୱାଣ୍ଟେଣ୍ଡ୍ ମାଓ ଲିଡର୍ ହେଡମା ଏହି ଆକ୍ରମଣର ନେତୃତ୍ୱ ନେଇଥିଲା। କ୍ୟାମ୍ପକୁ ଆକ୍ରମଣ ବେଳେ ଶହ ଶହ ମାଓବାଦୀ କିପରି ମାଡ଼ି ଆସିଥିଲେ ତାର ଥର୍ମାଲ ଭିଡିଓ ବି ସାମ୍ନାକୁ ଆସିଛି । 

ଏକେ-47, ଲାଇଟ୍ ମେସିନ୍ ଗନ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଶହ ଶହ ମାଓବାଦୀ ଆଖିବୁଜା ଫାୟାର୍ କରିଥିଲେ। ହେଲେ ଏହାର କଡ଼ା ଜବାବ ଦେଇଥିଲେ ସାହସୀ ଯବାନ। ୪ ଘଣ୍ଟା ଧରି ଚାଲିଥିବା ଏହି ଅପରେସନ୍‌ରେ ୮ରୁ ୧୦ ନକ୍ସଲ ନିହତ ହୋଇଥିବା ବେଳେ ବାକି ସେଠୁ ଖସି ପଳାଇଥିଲେ।

ଟେକାଲଗୁଡେମ୍ ହେଉଛି ସେହି ଅଞ୍ଚଳ ଯେଉଁଠି ୨୦୨୧ରେ ଲାଲ ବାହିନୀର ବର୍ବରତାରେ ୨୩ ଜଣ ଯବାନ ସହିଦ ହୋଇଥିଲେ। ଯାହା ଦିନେ ଅପହଞ୍ଚ ଥିଲା ଆଜି ସେଠି ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ହେଇପାରିଛି । ଏହି ଘଟଣା ହିଁ ଲାଲାବାହିନୀଙ୍କୁ ଅସ୍ତବ୍ୟସ୍ତ କରିଥିବା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।

୨୬ ଏପ୍ରିଲ ୨୦୨୩, ଦାନ୍ତେୱାଡ଼ାରେ IED ବିସ୍ଫୋରଣରେ ୧୦ DRG ଯବାନ ସହିଦ ହୋଇଥିଲେ। ୧୩ ଡିସେମ୍ବର ୨୦୨୩ ସୁକମାରେ ମାଓ ଆକ୍ରମଣରେ ଜଣେ ଯବାନ ପ୍ରାଣ ହରାଇଥିଲେ। ଏହି ଗୋଟିଏ ଦୁଇଟି ଘଟଣା ନୁହେଁ ଗଲା କିଛି ବର୍ଷ ଧରି ସୁପ୍ତପ୍ରାୟ ନକ୍ସଲ ଛତିଶଗଡ଼ରେ ପୁଣି ଆକଟିଭ୍ ହୋଇଛି। ହେଲେ ସବୁଠୁ ବଡ଼ ପ୍ରଶ୍ନ, ଘଞ୍ଚ ଜଙ୍ଗଲରେ ଆତ୍ମ ଗୋପାନ କରିଥିବା ମାଓବାଦୀଙ୍କ ପାଖକୁ ଏତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆସୁଛି କେଉଁଠୁ?