ଜନଜାତି ପର୍ଯ୍ୟଟନ: ସମ୍ଭାବନା ଓ ସମସ୍ୟା
ପର୍ଯ୍ୟଟନ ମନୁଷ୍ୟର ଆଦିମ ପ୍ରବୃତ୍ତି। ପ୍ରକୃତି ଓ ସୌନ୍ଦର୍ଯ୍ୟ ମନୁଷ୍ୟକୁ ସବୁବେଳେ ଆକର୍ଷିତ କରିଆସିଛି। ତେଣୁ ସୁନ୍ଦରତା ଓ ବିବିଧତା ହିଁ ପର୍ଯ୍ୟଟନର ମୂଳାଧାର। ପୁଣି ଯେତେବେଳେ ପ୍ରକୃତି ପ୍ରସଙ୍ଗ ଆସୁଛି ସେତେବେଳେ ପ୍ରକୃତି-ମଣିଷ ଆଦିମ ଅଧିବାସୀମାନେ ସ୍ୱତଃ ପ୍ରାସଙ୍ଗିକ ହୋଇଯାଆନ୍ତି। ସେମାନଙ୍କ ନିରାଡ଼ମ୍ବର ଜୀବନଚର୍ଯ୍ୟା, ସରଳ ବିଶ୍ୱାସ ଓ ନିରୁତା ଭଲ ପାଇବା ଗୁଣ ହିଁ ପ୍ରକୃତିର ପ୍ରକୃତ ପ୍ରତିନିଧି ଭାବେ ସେମାନଙ୍କୁ ସ୍ୱୀକୃତି ଦିଏ। ତେଣୁ ପର୍ଯ୍ୟଟନ ମାନଚିତ୍ରରେ ଜନଜାତି ଅଞ୍ଚଳ ଏକ ସ୍ୱତନ୍ତ୍ର […]

ପର୍ଯ୍ୟଟନ ମନୁଷ୍ୟର ଆଦିମ ପ୍ରବୃତ୍ତି। ପ୍ରକୃତି ଓ ସୌନ୍ଦର୍ଯ୍ୟ ମନୁଷ୍ୟକୁ ସବୁବେଳେ ଆକର୍ଷିତ କରିଆସିଛି। ତେଣୁ ସୁନ୍ଦରତା ଓ ବିବିଧତା ହିଁ ପର୍ଯ୍ୟଟନର ମୂଳାଧାର। ପୁଣି ଯେତେବେଳେ ପ୍ରକୃତି ପ୍ରସଙ୍ଗ ଆସୁଛି ସେତେବେଳେ ପ୍ରକୃତି-ମଣିଷ ଆଦିମ ଅଧିବାସୀମାନେ ସ୍ୱତଃ ପ୍ରାସଙ୍ଗିକ ହୋଇଯାଆନ୍ତି। ସେମାନଙ୍କ ନିରାଡ଼ମ୍ବର ଜୀବନଚର୍ଯ୍ୟା, ସରଳ ବିଶ୍ୱାସ ଓ ନିରୁତା ଭଲ ପାଇବା ଗୁଣ ହିଁ ପ୍ରକୃତିର ପ୍ରକୃତ ପ୍ରତିନିଧି ଭାବେ ସେମାନଙ୍କୁ ସ୍ୱୀକୃତି ଦିଏ। ତେଣୁ ପର୍ଯ୍ୟଟନ ମାନଚିତ୍ରରେ ଜନଜାତି ଅଞ୍ଚଳ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ। ପର୍ଯ୍ୟଟନ ଓ ମନୋରଞ୍ଜନର ପରିବର୍ଦ୍ଧିତ ସଂସ୍କରଣରେ ‘ଜନଜାତି ପର୍ଯ୍ୟଟନ’ ଏକ ନୂତନ ଅଙ୍ଗ ଭାବେ ଜନ୍ମ ନିଏ।
ଜନଜାତି ପର୍ଯ୍ୟଟନ ହେଉଛି ପର୍ଯ୍ୟଟନର ଏକ ବିଶେଷ ରୂପ। ଏହା ସାଂସ୍କୃତିକ ଯାତ୍ରା ଭାବେ ପର୍ଯ୍ୟଟକମାନଙ୍କୁ ଜନଜାତିଙ୍କ ନିଆରା ଜୀବନଶୈଳୀ, ପରମ୍ପରା, ସଂସ୍କୃତି ଓ କଳା ସହିତ ପରିଚିତ କରାଇଥାଏ। ପର୍ଯ୍ୟଟକମାନଙ୍କୁ ଭିନ୍ନ ଏକ ଅନୁଭବ ପ୍ରଦାନ କରିଥାଏ। ଅତିନିକଟରୁ ସେମାନେ ଆଦିବାସୀମାନଙ୍କ ଜୀବନର ଅନନ୍ୟତାକୁ ଅନୁଭବ କରିବାର ସୁଯୋଗ ପାଇଥା’ନ୍ତି। ଜିଜ୍ଞାସୁ ଓ ଅନୁସନ୍ଧିତ୍ସୁମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ। ଜନଜାତି ଗ୍ରାମ, ହାଟ, ଯାତ୍ରା, ମେଳଣ ଆଦି ଭ୍ରମଣ ବ୍ୟତୀତ ସେମାନଙ୍କ ଭାଷା, ବାଦ୍ୟ, ଗୀତ, ସଙ୍ଗୀତ, ବିଭିନ୍ନ ପରମ୍ପରା ଏବଂ ସଂସ୍କୃତି ସହ ପରିଚିତ ହେବା; ଆଦିବାସୀ ଦେବତା, ପୂଜା ପଦ୍ଧତି ଆଦି ଦେଖିବା; ସେମାନଙ୍କର ପୋଷାକ ପରିପାଟୀ, ପରିଧାନ, ଅଳଙ୍କାର, ଖାଦ୍ୟ, ବାସଗୃହ, ଜୀବିକା, ଚିତ୍ରକଳା, ହସ୍ତଶିଳ୍ପ, ପର୍ଯ୍ୟବେକ୍ଷଣ ଆଦି ଏହି ପର୍ଯ୍ୟଟନର ଅନ୍ତର୍ଭୁକ୍ତ। ଆଦିବାସୀମାନଙ୍କ ମୌଖିକ ପରମ୍ପରାରେ ପ୍ରଚଳିତ କାହାଣୀ, କାଥାନୀ, ମିଥ୍, ଢଗଢମାଳି, ପ୍ରବାଦ ପ୍ରବଚନ, କିମ୍ବଦନ୍ତୀ ଆଦି ମଧ୍ୟ ଆଗ୍ରହୀ ପର୍ଯ୍ୟଟକମାନଙ୍କ ପାଇଁ ଅମୂଲ୍ୟ ବିଭବ।
ବିଶିଷ୍ଟ ପର୍ଯ୍ୟଟନ ଗବେଷକ ତଥା ପ୍ରାଧ୍ୟାପକ ଡେଭିଡ୍ ହାରିସନ୍ ଏବଂ ବେଟ୍ଟି ୱେଲର୍ଙ୍କ ମତରେ ଜନଜାତି ପର୍ଯ୍ୟଟନ ପ୍ରଥମତଃ ହେଉଛି ପର୍ଯ୍ୟଟକମାନଙ୍କ ସାଂସ୍କୃତିକ ପୃଷ୍ଠଭୂମିଠାରୁ ଭିନ୍ନ ଏକ ଜାତିଙ୍କ ସହ ଏକ ପ୍ରାମାଣିକ ଏବଂ ବେଳେବେଳେ ଅନ୍ତରଙ୍ଗ ସାକ୍ଷାତ ଓ ଅନୁସନ୍ଧାନ ନିମିତ୍ତ ପ୍ରେରିତ। ପ୍ରଫେସର୍ ଜନ୍ଷ୍ଟନ୍ଙ୍କ ମତରେ ଏହା ଆଧୁନିକ ସଭ୍ୟତାର ପ୍ରଭାବରେ ଅବକ୍ଷୟମୁଖୀ ସଂସ୍କୃତିକୁ ଦେଖିବାର ଦୁର୍ବାର ଇଚ୍ଛା ଦ୍ୱାରା ପ୍ରେରିତ। ପ୍ରଫେସର୍ ସ୍ମିଥ୍ଙ୍କ ମତରେ ବ୍ୟବସାୟିକ ଭାବେ କହିବାକୁ ଗଲେ ଜନଜାତି ସଂସ୍କୃତିକୁ ଏକ ବିଚିତ୍ର ବିପଣୀ ଭାବେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଓ ଉପଲବ୍ଧ କରାଯାଇଥାଏ।
ପର୍ଯ୍ୟଟକମାନେ ସାଧାରଣତଃ ଏକ ପ୍ରାକୃତିକ ପରିବେଶରେ ଜନଜାତି ସଂସ୍କୃତିକୁ ପ୍ରାମାଣିକ ଭାବେ ଅନୁଭବ କରିପାରୁଥିବା ବେଳେ ଜନଜାତି ପର୍ଯ୍ୟଟନର ଲୋକପ୍ରିୟତା ପାଇଁ ପ୍ରୋତ୍ସାହକ ରୂପେ ପର୍ଯ୍ୟଟନ ପ୍ରାଧିକରଣଗୁଡ଼ିକ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଥା’ନ୍ତି। ସେହିପରି ବିଜ୍ଞାପନଦାତାମାନେ ମଧ୍ୟ ଏହାର ଲୋକପ୍ରିୟତାର ଅଂଶୀଦାର ହୋଇଥା’ନ୍ତି। ବୈଶ୍ୱିକ ତଥ୍ୟ ଅନୁସାରେ, ନିଉଜିଲ୍ୟାଣ୍ଡ୍ର ମାଓରି ଜନଜାତି, ଅଷ୍ଟ୍ରେଲିଆର ଆଦିମ ଅଧିବାସୀ, ଦକ୍ଷିଣ ଆଫ୍ରିକାର ବୁଶ୍ମ୍ୟାନ୍ ଓ ଇଣ୍ଡୋନେସିଆର ଇବୋ ଜନଜାତି ଆଦି ପର୍ଯ୍ୟଟକମାନଙ୍କ ପାଇଁ ସର୍ବାଧିକ ଆକର୍ଷଣ। ଆମେରିକା ଓ ୟୁରୋପର କେତେକ ଅଞ୍ଚଳରେ ବସବାସ କରୁଥିବା ଆମିଶ୍ ସମ୍ପ୍ରଦାୟ ପାରମ୍ପରିକ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ। ଏବେ ମଧ୍ୟ ସେମାନେ ସପ୍ତଦଶ ଶତାବ୍ଦୀର ମଣିଷ ପଦବାଚ୍ୟ। ସେମାନେ ସର୍ବସାଧାରଣ ବିଦ୍ୟୁତ୍ ଉପଯୋଗ କିମ୍ବା ଆଧୁନିକ କୃଷି ଯନ୍ତ୍ରପାତି, ଯନ୍ତ୍ରଚାଳିତ ଗାଡ଼ି ବ୍ୟବହାର କରନ୍ତି ନାହିଁ କି ରଖନ୍ତି ନାହିଁ। ରେଡିଓ, ଟେଲିଭିଜନ୍, କମ୍ପ୍ୟୁଟର ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ।
ଡଃ. ଜିଆନା ମୋସ୍କାର୍ଡୋ ଓ ପ୍ରଫେସର୍ ଫିଲିପ୍ ପିଅର୍ସଙ୍କ ଦ୍ୱାରା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ୍ ସ୍ଥିତ ଜାପାକାଇ ଆଦିମ ଜନଜାତିଙ୍କ ପରିଦର୍ଶନରେ ଯାଇଥିବା ପର୍ଯ୍ୟଟକମାନଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଜନଜାତି ପର୍ଯ୍ୟଟକମାନଙ୍କୁ ଚାରିଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମଟି ହେଉଛି ଜନଜାତି ପର୍ଯ୍ୟଟକ। ଏମାନେ ଜନଜାତିଙ୍କ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବା ଏବଂ ଜନଜାତି ଉତ୍ପାଦ ପ୍ରତି ଅତ୍ୟନ୍ତ ଆଗ୍ରହ ରଖୁଥିବା ବ୍ୟକ୍ତିମାନେ। ଦ୍ୱିତୀୟଟି ହେଲା ପରୋକ୍ଷ ସାଂସ୍କୃତିକ ଶିକ୍ଷା ଗୋଷ୍ଠୀର ପର୍ଯ୍ୟଟକ। ଏମାନେ ଜନଜାତି ପର୍ଯ୍ୟଟନ ପାଇଁ ଆଗ୍ରହୀ ହେଲେ ମଧ୍ୟ ସାଂସ୍କୃତିକ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେଇଥା’ନ୍ତି। ତୃତୀୟଟି ହେଲା ଜନଜାତି ଉତ୍ପାଦ ଏବଂ କାର୍ଯ୍ୟକଳାପ ଗୋଷ୍ଠୀ। ଏମାନେ ଜନଜାତିଙ୍କ ସଂସ୍କୃତି ଏବଂ ବ୍ୟକ୍ତିଗତ ଯୋଗାଯୋଗ ଅପେକ୍ଷା ସେମାନଙ୍କ ପାରମ୍ପରିକ ଉତ୍ପାଦ ଏବଂ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଭଲ ପାଇଥା’ନ୍ତି। ଚତୁର୍ଥ ପ୍ରକାର ହେଲେ ନିମ୍ନ ଜନଜାତି ପର୍ଯ୍ୟଟକ। ଏମାନଙ୍କର କୌଣସି ଆଗ୍ରହ ନଥାଏ। ପର୍ଯ୍ୟଟନ ଦଳର ଅନ୍ୟମାନେ ଯିବାକୁ ଚାହୁଁଥିବା ହେତୁ ସେମାନେ ଯିବାକୁ ବାଧ୍ୟ ହୋଇଥା’ନ୍ତି। ଏହି ଅଧ୍ୟୟନରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକାରଭେଦ ଦେଖିବାକୁ ମିଳେ। ପ୍ରଥମଟି ହେଉଛି ପର୍ଯ୍ୟଟକମାନଙ୍କ ଅନୁଭବ ପ୍ରକାରେ ପର୍ଯ୍ୟଟନର ଦୃଷ୍ଟିକୋଣ ଭିନ୍ନଭିନ୍ନ ହୋଇଥାଏ। ଦ୍ୱିତୀୟରେ ଜନଜାତିଙ୍କ ସହ ସଂସ୍ପର୍ଶ କେତେକଙ୍କ ପାଇଁ ଅସହଜ ମନେହୁଏ।
ପର୍ଯ୍ୟଟନ ଜନଜାତିଙ୍କ ପାଇଁ ଆୟର ଏକ ପନ୍ଥା ସୃଷ୍ଟି କରିଥାଏ। ସେମାନେ ନିଜର ଜଙ୍ଗଲଜାତ ଦ୍ରବ୍ୟ, କଳା, ହସ୍ତଶିଳ୍ପ ଏବଂ ଉତ୍ପାଦକୁ ବିକ୍ରି କରିବା ପାଇଁ ହାତପାଆନ୍ତାରେ ଏକ ବଜାର ପାଇଥା’ନ୍ତି। ଆଦିବାସୀମାନଙ୍କ ଆର୍ଥିକ ସ୍ୱାଧୀନତା ବଢ଼଼ିବା ସହିତ ସାମାଜିକ ଉନ୍ନତି ଘଟିଥାଏ। ଏହା ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଥାଏ। ପର୍ଯ୍ୟଟନ ଦ୍ୱାରା ଜନଜାତିମାନେ ଆଧୁନିକ ସଭ୍ୟତାର ନିକଟବର୍ତ୍ତୀ ହେବାର ସୁଯୋଗ ପାଇଥା’ନ୍ତି। ଏହା ସେମାନଙ୍କର ସଭ୍ୟତାକୁ ପରିମାର୍ଜିତ କରିବା ସହ ସୁଦୂରପ୍ରସାରୀ କରିଥାଏ। ନିଜ ସମ୍ପ୍ରଦାୟରେ ସଂସ୍କୃତି ନାମରେ ପ୍ରଚଳିତ କୁସଂସ୍କାରକୁ ବୁଝିପାରିଥାଏ। ପରମ୍ପରା ଓ ଆଧ୍ୟାତ୍ମିକତାକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ବାହ୍ୟ ସମାଜ ସହ ଭାବର ଆଦାନ ପ୍ରଦାନ ସୁଯୋଗ ମିଳିବା ହେତୁ ସେମାନେ ଦେଶର ଉନ୍ନତି କଳ୍ପେ ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି। ଜିଜ୍ଞାସୁ ପର୍ଯ୍ୟଟକମାନେ ବ୍ୟକ୍ତିଗତ ଭାବେ ଆଦିବାସୀମାନଙ୍କ ସଂସ୍ପର୍ଶରେ ଆସିଥା’ନ୍ତି। ତ’ଦ୍ୱାରା ସେମାନଙ୍କ ମଧ୍ୟରେ ଜନଜାତିଙ୍କ ପ୍ରତି ଥିବା ଭ୍ରାନ୍ତ କିମ୍ବା ଭ୍ରମ ଧାରଣା ଦୂରୀଭୂତ ହୋଇଥାଏ। ପର୍ଯ୍ୟଟନ ଦ୍ୱାରା ବିଲୁପ୍ତ ହେବାକୁ ବସିଥିବା କିଛି ଜନଜାତି ପ୍ରଜାତି ତିଷ୍ଠିବା ସମ୍ଭବପର ହୋଇଯାଏ।
ଜନଜାତି ପର୍ଯ୍ୟଟନରେ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଜନଜାତିଙ୍କ ସାଂସ୍କୃତିକ ମୂଲ୍ୟବୋଧର ପ୍ରଚାର କରିଥା’ନ୍ତି। ଅସ୍ୱାଭାବିକ ପରିସ୍ଥିତି ପ୍ରତି ପର୍ଯ୍ୟଟକଙ୍କୁ ସଚେତନ କରାଇ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ପାଇଁ ସନ୍ତୋଷଜନକ ପରିସ୍ଥିତି ସୃଷ୍ଟି କରି ସକାରାତ୍ମକ ଭୂମିକା ଗ୍ରହଣ କରିଥା’ନ୍ତି। ଜନଜାତିଙ୍କ ସାମାଜିକ, ଆର୍ଥିକ, ରାଜନୈତିକ ତଥା ପାରିବେଶିକ ବିଷୟ ପ୍ରତି ଅବଗତ କରାଇଥା’ନ୍ତି। ସାମ୍ଭବ୍ୟ ଠାରୁ ଅଧିକ କିଛି ଆଶା ନ ରଖିବା ପାଇଁ ପର୍ଯ୍ୟଟକଙ୍କୁ ହୃଦ୍ବୋଧ କରାଇଥା’ନ୍ତି। ନକାରାତ୍ମକ ଦିଗଟି ହେଲା – ପର୍ଯ୍ୟଟକମାନେ ଚାହାନ୍ତି ଜନଜାତି ଲୋକେ ସେମାନଙ୍କ ନିକଟରେ ନିଜର ପାରମ୍ପରିକ ବେଶଭୂଷାରେ ଉପସ୍ଥାପିତ ହୁଅନ୍ତୁ, ପାରମ୍ପରିକ ନୃତ୍ୟ ପରିବେଷଣ କରନ୍ତୁ, ସେମାନଙ୍କ ସହ ଯୋଗ ଦିଅନ୍ତୁ, ପାରମ୍ପରିକ ଉତ୍ସବ ଆୟୋଜନ କରନ୍ତୁ, ଯ’ ଦ୍ୱାରା ପର୍ଯ୍ୟଟକମାନେ ସେମାନଙ୍କ ଫୋଟ ନେଇପାରିବେ, ଭିଡିଓ ରେକର୍ଡ କରିପାରିବେ ଏବଂ ସମସ୍ତ ଅନୁଭବକୁ ଲିପିବଦ୍ଧ କରିପାରିବେ। ତାହାଦ୍ୱାରା ଜନଜାତି ଏକ ବିପଣନ ସାମଗ୍ରୀ ବିବେଚିତ ହୁଅନ୍ତି। ପର୍ଯ୍ୟଟକଙ୍କ ବେଶପୋଷାକ, କଥା କହିବା ଶୈଳୀ ପ୍ରତି ଜନଜାତିମାନଙ୍କ ଉତ୍ସୁକତା ବୃଦ୍ଧି ପାଇପାରେ ଏବଂ କ୍ରମଶଃ ସେମାନଙ୍କୁ ଅନୁକରଣ କରିପାରନ୍ତି। ଫଳରେ ପର୍ଯ୍ୟଟକଙ୍କ ଆକର୍ଷଣ କମିବାର ଆଶଙ୍କା ସୃଷ୍ଟି ହୁଏ। ଯେତେବେଳେ ପର୍ଯ୍ୟଟକମାନେ ନିଜ ରୁଚି ଅନୁଯାୟୀ ଜନଜାତିଙ୍କୁ ଉପସ୍ଥାପିତ କରିବାକୁ ଚାହାନ୍ତି ସେତେବେଳେ ଜନଜାତି ଲୋକଙ୍କୁ ଅଭିନୟ କରିବା ଭଳି ପରିସ୍ଥିତିକୁ ନେଇଯାଏ। ଏଥିସହିତ ପର୍ଯ୍ୟଟକମାନଙ୍କ ଅଧିକ ଆଗମନ ଦ୍ୱାରା ଜନଜାତି ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରମ୍ପରା ପ୍ରଭାବିତ ହେବାର ଆଶଙ୍କା ରହେ। ପରୋକ୍ଷରେ ଏହା ସେମାନଙ୍କର ପରମ୍ପରା ଓ ଜୀବନ ଉପରେ କୁପ୍ରଭାବ ପକାଇପାରେ। ଏଭଳି ଏକ ଆହ୍ୱାନର ମୁକାବିଲା ପାଇଁ ଜନଜାତି ପର୍ଯ୍ୟଟନକୁ ଜନଜାତି ମୌଳିକ ସଂସ୍କୃତି ଅନୁକୂଳ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧ ଭିତ୍ତିକ କରିବା ଦିଗରେ ଦୃଷ୍ଟି ଦେବା ଆବଶ୍ୟକ।
ସହକାରୀ ଜିଲ୍ଲାପାଳ, ନବରଙ୍ଗପୁର
ମୋ: ୯୪୩୭୯୦୮୦୭୦
ଆଶୁତୋଷ ପାତ୍ର