ଜନତାଙ୍କ ଉପରେ ବଢ଼ିଲା ବୋଝ : ଖାଇବା ତୈଳ ମୂଲ୍ୟ ୩୭% ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ପାର୍ବଣ ଋତୁ ଜାରି ରହିଛି। ଦଶହରା ପରେ ଦୀପାବଳି ଆସିବାକୁ ଯାଉଛି। ଏପରି ସମୟରେ ସାଧାରଣ ନାଗରିକଙ୍କୁ ଡବଲ୍ ଝଟ୍କା ଲାଗିଛି। ପକେଟ ଏବଂ ରୋଷେଇ ଉପରେ ମହଙ୍ଗା ମାଡ଼ ହୋଇଛି। ଦର୍ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଥିବାବେଳେ ଖାଇବା ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ପାର୍ବଣ ଋତୁରେ ସାଧାରଣ ନାଗରିକଙ୍କ ବୋଝକୁ ଦ୍ବିଗୁଣିତ କରିଦେଇଛି। ଏହା ‘ବୋଝ ଉପରେ ଲଳିତା ବିଡ଼ା’ ସମାନ ହୋଇଛି। ରିପୋର୍ଟ […]

ନୂଆଦିଲ୍ଲୀ : ଦେଶରେ ପାର୍ବଣ ଋତୁ ଜାରି ରହିଛି। ଦଶହରା ପରେ ଦୀପାବଳି ଆସିବାକୁ ଯାଉଛି। ଏପରି ସମୟରେ ସାଧାରଣ ନାଗରିକଙ୍କୁ ଡବଲ୍ ଝଟ୍କା ଲାଗିଛି। ପକେଟ ଏବଂ ରୋଷେଇ ଉପରେ ମହଙ୍ଗା ମାଡ଼ ହୋଇଛି। ଦର୍ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଥିବାବେଳେ ଖାଇବା ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ପାର୍ବଣ ଋତୁରେ ସାଧାରଣ ନାଗରିକଙ୍କ ବୋଝକୁ ଦ୍ବିଗୁଣିତ କରିଦେଇଛି। ଏହା ‘ବୋଝ ଉପରେ ଲଳିତା ବିଡ଼ା’ ସମାନ ହୋଇଛି।
ରିପୋର୍ଟ ଅନୁଯାୟୀ ଗତ ମାସେ ମଧ୍ୟରେ ପାମ୍ ତୈଳ ମୂଲ୍ୟ ୩୭ ପ୍ରତିଶତ ବଢ଼ିଛି। ଘରୋଇ ବଜେଟ୍ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଏହା ସହିତ ରେସ୍ତୋରାଁ, ହୋଟେଲ, ମିଠା ଦୋକାନୀଙ୍କ ବ୍ୟୟ ମଧ୍ୟ ବୃଦ୍ଧି ପାଇଛି। ଖାଇବା ତେଲ ବୃଦ୍ଧି ଯୋଗୁଁ ଏବଂ ଖର୍ଚ୍ଚ ବଢ଼ିବାରୁ ଏମାନେ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛନ୍ତି, ଯାହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ନାଗରିକଙ୍କ ଉପରେ ପଡୁଛି। ସେହିପରି ଏହି ଅବଧି ମଧ୍ୟରେ ସୋରିଷ ତେଲ ମୂଲ୍ୟ ୨୯ ପ୍ରତିଶତ ବୃଦ୍ଧି ପାଇଛି। ମାସେ ତଳେ ସ୍ଥାନୀୟ ବଜାରରେ ସୋରିଷ ତେଲ ଲିଟର ୧୬୦ ଟଙ୍କା ଭିତରେ ବିକ୍ରି ହେଉଥିବାବେଳେ ଏବେ ଏହା ୧୮୦ରୁ ୮୫ ଭିତରେ ରହିଛି। ଏଥିଯୋଗୁ ଘର ସହିତ ହୋଟେଲରେ ଖାଦ୍ୟ ମୂଲ୍ୟ କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି। ଆଗାମୀ କିଛି ମାସ ପର୍ଯ୍ୟନ୍ତ ଦର ହ୍ରାସ ପାଇବାର ମଧ୍ୟ କୌଣସି ସମ୍ଭାବନା ନାହିଁ।
ପନିପରିବା ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପିତୀ ୯ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ରହିଛି। ତୈଳ ମୂଲ୍ୟ ମଧ୍ୟ ବଢ଼ିଥିବାରୁ ଆର୍ବିଆଇ ସୁଧ ହାର ହ୍ରାସ ସମ୍ଭାବନା କ୍ଷୀଣ ହୋଇଯାଇଛି। ଗତ ମାସରେ କେନ୍ଦ୍ର ସରକାର ଅଶୋଧିତ ସୋୟାବିନ୍, ପାମ୍ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରି ଦେଇଥିଲେ। ସେପ୍ଟେମ୍ବର ୧୪ରେ ଏ ସବୁର ଆମଦାନୀ ଶୁଳ୍କ ୫.୫ରୁ ବଢ଼ାଇ ୨୭.୫ ପ୍ରତିଶତ ଏବଂ ରିଫାଇନ୍ଡ ଖାଇବା ତୈଳ ମୂଲ୍ୟ ୧୭.୭ରୁ ୩୫.୭ ପ୍ରତିଶତକୁ ବୃଦ୍ଧି କରିଥିଲେ। ଖାଇବ ତୈଳ ମୂଲ୍ୟ ବୃଦ୍ଧି ପଛରେ ଏହା ଅନ୍ୟତମ କାରଣ ପାଲଟିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଶ୍ବ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଅଶୋଧିତ ପାମ୍, ସୋୟାବିନ, ସୂର୍ଯ୍ୟମୁଖୀ ତୈଳ ମୂଲ୍ୟ କ୍ରମଶଃ ୧୦.୬%, ୧୬.୮% ଏବଂ ୧୨.୩ % ବୃଦ୍ଧି ପାଇଛି। ଭାରତ ନିଜ ଚାହିଦାର ୫୮ ପ୍ରତଶତ ଖାଇବା ତୈଳ ଆମଦାନୀ କରୁଛି। ଭାରତ ଭେଜିଟେବୁଲ୍ ଅଏଲ୍ର ଦ୍ବିତୀୟ ବୃହତ୍ତମ ଉପଭୋକ୍ତା ଏବଂ ସବୁଠାରୁ ବଡ଼ ଆମଦାନୀକାରୀ। ଏବେ ଆମଦାନୀ ଶୁଳ୍କ କମ୍ ହେବାର ମଧ୍ୟ ସମ୍ଭାବନା ନାହିଁ। ତେଣୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଖାଉଟିଙ୍କୁ କୌଣସି ଆଶ୍ବସ୍ତି ମିଳିବା ଭଳି ଦେଖାଯାଉ ନାହିଁ।