ଜନ୍ମଦିନରେ ନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ

ମୃତ ଛାତ୍ର ଜଣକ ଆମେରିକାରେ ରହି ପାଠ ପଢୁଥିଲେ।

ଜନ୍ମଦିନରେ ନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ

ଜନ୍ମଦିନରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଅସାବଧାନତା କାରଣରୁ ନିଜ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି। ସେ ଆମେରିକାରେ ରହି ପାଠ ପଢୁଥିଲେ।

ଛାତ୍ରଙ୍କ ନାଁ ଆର୍ଯ୍ୟନ ରେଡ୍ଡୀ (୨୩)। ତାଙ୍କ ଘର ତେଲାଙ୍ଗାନାରେ। ନଭେମ୍ବର ୧୩ରେ ଏହି ଅଘଟଣ ଘଟିଥିଲା। ଆଜି ରାତିରେ ତାଙ୍କ ମୃଦଦେହ ଭାରତରେ ପହଞ୍ଚିବ। 

ରିପୋର୍ଟରୁ ଜଣାପଡିଛି ଯେ ଆର୍ଯ୍ୟନ ଆମେରିକାରେ ଏକ ଶିକାର ବନ୍ଧୁକ ଲାଇସେନ୍ସ ପାଇଥିଲେ। ଜନ୍ମଦିନରେ ବନ୍ଧୁକ ବ୍ୟବହାର କରୁଥିବା ସମୟରେ ହଠାତ୍ ଗୁଳିଫୁଟି ତାଙ୍କ ଶରୀରରେ ବାଜିଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି। 

ଆର୍ଯ୍ୟନଙ୍କ ବାପା ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମ ସହ ବାର୍ତ୍ତାଳପ କରିବା ସମୟରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ପ୍ରତ୍ୟେକ ଅଭିଭାବକଙ୍କୁ ସତର୍କ କରି କହିଛନ୍ତି, "ପିଲାମାନେ ବିଦେଶରେ ପଢିବା ସମୟରେ ବନ୍ଧୁକ ଲାଇସେନ୍ସ ପାଇବା ଉପରେ ସତର୍କତା ଅବଲମ୍ବନ କରିବାକୁ ମୁଁ ପ୍ରତ୍ୟେକ ଅଭିଭାବକଙ୍କୁ ଅନୁରୋଧ କରୁଛି। ଆମେ ଏ ବାବଦରେ ଆଦୌ ଅବଗତ ନଥିଲୁ।" 

ବିଦେଶରେ ଛାତ୍ରଛାତ୍ରୀଙ୍କୁ ବି ଶିକାର ବନ୍ଧୁକ ଲାଇସେନ୍ସ ଦିଆଯାଏ ବୋଲି ଆମେ ଜାଣିନଥିଲୁ। କୌଣସି ଅଭିଭାବକ ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ଆର୍ଯ୍ୟନଙ୍କ ବାପା କହିଛନ୍ତି।