ଜନ୍ମଦିନରେ ଭୋଜି କରିବାକୁ ଯାଇଥିଲେ, ଭାଇ ଓ କକାଙ୍କ ସହିତ ଇବ୍‌ ନଦୀରେ ବୁଡ଼ି ଗଲେ

ଦୁଇ ପୁତୁରା ବୁଡ଼ି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀରେ ପଶିଥିଲେ କକା।

ଜନ୍ମଦିନରେ ଭୋଜି କରିବାକୁ ଯାଇଥିଲେ, ଭାଇ ଓ କକାଙ୍କ ସହିତ ଇବ୍‌ ନଦୀରେ ବୁଡ଼ି ଗଲେ

ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗୋଟିଏ ପରିବାରର ୩ ଜଣ ସଦସ୍ୟ ବୁଡ଼ି ଯାଇଥିବା ବେଳେ ଆଜି ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ସାଜିଦ (୩୫) ଓ ତାଙ୍କର ଦୁଇ ପୁତୁରା ମହମ୍ମଦ ଫରହାନ (୧୫) ଓ ମହମ୍ମଦ ରିଜୱାନ (୧୭)। 

ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳର ମହମ୍ମଦ ଫରହାନଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକେ ସେମିନାକୁ ଯାଇଥିଲେ। ସେଠାରେ ଇବ୍ ନଦୀ କୂଳରେ ସେମାନେ ଭୋଜିର ଆୟୋଜନ କରିଥିଲେ। କେକ୍‌ କାଟି ଭୋଜି ଖାଇ ସାରିବା ପରେ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ବୁଡ଼ି ଯାଉଥିବା ବେଳେ ସେମାନେ ଚିତ୍କାର କରିଥିଲେ। ଫରହାନ ଓ ରିଜୱାନଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ପଶିଥିଲେ ସେମାନଙ୍କ କକା ମହମ୍ମଦ ସାଜିଦ। ହେଲେ ସେ ମଧ୍ୟ ବୁଡ଼ି ଯାଇଥିଲେ।

ତିନି ଜଣ ଯାକ ବୁଡ଼ି ଯାଉଥିବା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ପାଟି କରିଥିଲେ। ଏହା ପରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜିଥିଲା। କିନ୍ତୁ କାହାରି ପତ୍ତା ମିଳି ନଥିଲା। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ସେମାନଙ୍କୁ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନଙ୍କ ମୃତଦେହ ମିଳିଥିଲା। ତେବେ ସେମାନଙ୍କ କକା ମହମ୍ମଦ ସାଜିଙ୍କୁ ଠାବ କରାଯାଇପାରି ନଥିଲା। ଫରହାନ ଓ ରିଜୱାନଙ୍କ ମୃତଦେହ ମିଳିବାର କିଛି ସମୟ ପରେ କିଛି ଗ୍ରାମବାସୀ ମହମ୍ମଦ ସାଜିଦଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ।