ଜମ୍ମୁ କଶ୍ମୀରରେ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କୀ ହମଲା ଘଟଣା, ୫୦ ଜଣ ଅଟକ 

ରିୟାସି ଜିଲ୍ଲାରେ ଏକ ହିନ୍ଦୁ ତୀର୍ଥଯାତ୍ରୀ ବସ୍ ଉପରକୁ ଟାର୍ଗେଟ କରି ହୋଇଥିବା ଆତଙ୍କୀ ହମଲାରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

ଜମ୍ମୁ କଶ୍ମୀରରେ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କୀ ହମଲା ଘଟଣା, ୫୦ ଜଣ ଅଟକ 

ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ହିନ୍ଦୁ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୁଲିସ 50 ଜଣଙ୍କୁ ଅଟକ ରଖିଛି। ରିୟାସି ଜିଲ୍ଲା ପୁଲିସ ୫୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। 

ରିୟାସି ଏସଏସପି(ବରିଷ୍ଠ ପୁଲିସ ଅଧିକ୍ଷକ) ମୋହିତା ଶର୍ମା କହିଛନ୍ତି ଯେ, ରିୟାସିରେ ହୋଇଥିବା ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜିଲ୍ଲା ପୁଲିସ ୫୦ ଜଣଙ୍କୁ ଅଟକ ରଖିଛି। କନ୍ଦା ଏରିଆ ପୁଲିସ ଷ୍ଟେସନର ନେତୃତ୍ୱରେ ତଦନ୍ତ ପରେ ଏମାନଙ୍କୁ ଅଟକ ରଖାଯାଇଛି। 

ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। 

ପ୍ରକାଶ ଥାଉକି, ଜୁନ୍ ୯ରେ, ଯେଉଁଦିନ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ, ସେଦିନ ରିୟାସି ଜିଲ୍ଲାରେ ଏକ ହିନ୍ଦୁ ତୀର୍ଥଯାତ୍ରୀ ବସ୍ ଉପରକୁ ଟାର୍ଗେଟ କରି ଆତଙ୍କୀ ହମଲା ହୋଇଥିଲା। ଏଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇ) ମଧ୍ୟ ତଦନ୍ତ କରୁଛି। 

ଜମ୍ମୁ କଶ୍ମୀରର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଛି। ଗତ ୪ ଦିନ ମଧ୍ୟରେ ୪ଟି ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ସୈନିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଛନ୍ତି।