ଜଳସଙ୍କଟ ଓ ଆଭାସୀ ଜଳବାଣିଜ୍ୟ
ଭାରତରେ ବିଶ୍ୱର ମାତ୍ର ୩.୮୩% ମଧୁର ଜଳ ରହିଛି, ଯାହା ୧୪୫ କୋଟି ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସର୍ବନିମ୍ନ ଚାହିଦା ୧୭୦୦ ଘନମିଟର ହୋଇଥିବା ବେଳେ ସମ୍ପ୍ରତି ଭାରତରେ ମୁଣ୍ଡପିଛା ଜଳ ପରିମାଣ ୧୪୮୬ ଘନମିଟର। ତେଣୁ ଦେଶର ପ୍ରାୟ ୬୦ କୋଟି ଲୋକ ଜଳ କଷ୍ଟ ଅନୁଭବ କରୁଛନ୍ତି। ନିତି ଆୟୋଗ ରିପୋର୍ଟ ଅନୁସାରେ ୨୦୩୦ ବେଳକୁ ଆମର ଜଳ ଚାହିଦା ଦୁଇଗୁଣ ହେବ। ତେଣୁ ଏପରି ଜଳସଙ୍କଟର ମୁକାବିଲା କରିବା ପାଇଁ କେତେକ ରଣନୀତି […]

ଭାରତରେ ବିଶ୍ୱର ମାତ୍ର ୩.୮୩% ମଧୁର ଜଳ ରହିଛି, ଯାହା ୧୪୫ କୋଟି ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସର୍ବନିମ୍ନ ଚାହିଦା ୧୭୦୦ ଘନମିଟର ହୋଇଥିବା ବେଳେ ସମ୍ପ୍ରତି ଭାରତରେ ମୁଣ୍ଡପିଛା ଜଳ ପରିମାଣ ୧୪୮୬ ଘନମିଟର। ତେଣୁ ଦେଶର ପ୍ରାୟ ୬୦ କୋଟି ଲୋକ ଜଳ କଷ୍ଟ ଅନୁଭବ କରୁଛନ୍ତି। ନିତି ଆୟୋଗ ରିପୋର୍ଟ ଅନୁସାରେ ୨୦୩୦ ବେଳକୁ ଆମର ଜଳ ଚାହିଦା ଦୁଇଗୁଣ ହେବ। ତେଣୁ ଏପରି ଜଳସଙ୍କଟର ମୁକାବିଲା କରିବା ପାଇଁ କେତେକ ରଣନୀତି ଆବଶ୍ୟକ। ବିଶେଷକରି ଦେଶର ଜଳସମ୍ପଦ ପରିଚାଳନା ଓ ଖାଦ୍ୟ ନିରାପତ୍ତା ପାଇଁ ଜାତୀୟ ନୀତି ପ୍ରଣୟନ କରିବା ବେଳେ ‘ଜଳ ପଦଚିହ୍ନ’ ଓ ‘ଆଭାସୀ ଜଳ’ ବାଣିଜ୍ୟ ବିଷୟରେ ଅନୁଶୀଳନ ଆବଶ୍ୟକ।
‘ଆଭାସୀ ଜଳ’ ବା ‘ଭର୍ଚୁଆଲ ୱାଟର’ କହିଲେ ଉତ୍ପାଦନଚକ୍ର ମଧ୍ୟରେ ଉତ୍ପାଦନ ପାଇଁ ବିନିଯୋଗ ହେଉଥିବା ଜଳ ପରିଣାମ ଏବଂ ଉତ୍ପାଦିତ ଦ୍ରବ୍ୟ ମଧ୍ୟରେ ଶେଷପର୍ଯ୍ୟନ୍ତ ରହୁଥିବା ଜଳକୁ ବୁଝାଯାଏ। ସାଧାରଣତଃ ଶସ୍ୟଗୁଡ଼ିକରେ ୧୫% ଜଳ ରହିଲା ବେଳେ ପନିପରିବାରେ ୮୫% ଓ ଫଳରେ ୭୫% ଜଳ ରହିଯାଏ। ‘ଜଳ ପଦଚିହ୍ନ’ ହେଉଛି ମୋଟ ବ୍ୟବହୃତ ଜଳ ପରିମାଣ, ଯାହାକୁ ଫସଲ ଜୀବନ କାଳରେ ବ୍ୟବହାର କରେ। ଏହି ‘ଜଳ ପଦଚିହ୍ନ’ ସବୁଜ, ନୀଳ ଓ ଧୂସର ହୋଇଥାଏ। ସବୁଜ ଜଳ ମାଟି ମଧ୍ୟରେ କିମ୍ୱା ଜଙ୍ଗଲ ଗଛଲତା ଭିତରେ ଥାଏ। ନୀଳ ଜଳ ଆମେ ସମୁଦ୍ର, ହ୍ରଦ, ନଦୀ ଓ ବିଭିନ୍ନ୍ ଜଳସ୍ରୋତରେ ଦେଖୁ, ଯାହାକୁ ଆମେ କୃଷି, ଶିଳ୍ପ ଓ ଘରୋଇ କାର୍ଯ୍ୟରେ ବ୍ୟବହାର କରୁ। ଯେଉଁ ଜଳ ଅପଶିଷ୍ଟ ହୋଇ ଦୂଷିତ ଜଳ ହିସାବରେ ନାଳ ନର୍ଦ୍ଦମାରେ ବହିଯାଏ ତାହାକୁ ଧୂସର ଜଳ କୁହଯାଏ।
ଜଳ ପଦଚିହ୍ନ କୃଷି ପଦ୍ଧତି, ଜଳ ବିନିଯୋଗ ଦକ୍ଷତା, ସ୍ଥାନୀୟ ଜଳବାୟୁ ଉପରେ ନିର୍ଭର କରେ। ଏହାବ୍ୟତୀତ ଆଭାସୀ ବା ଭର୍ଚୁଆଲ ଜଳ ବିଭିନ୍ନ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁରେ ଅଦୃଶ୍ୟ ଆକାରରେ ଥାଏ। ଆମେ ଖାଦ୍ୟ, ବସ୍ତ୍ର, ବିନିର୍ମାଣ ବା ମାନୁଫେକ୍ଚରିଂ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ବ୍ୟବହାର କରୁଥିବା ଜଳକୁ ଆଭାସୀ ବା ଭର୍ଚୁଆଲ ଜଳ ଭାବରେ ହିସାବ କରି ପାରିବା। ଆମ ଦେଶରେ ଚାଷ ହେଉଥିବା ଧାନଫସଲ ପାଇଁ ପ୍ରାୟ ୩୧୮୦୦ କୋଟି ଘନମିଟର ଜଳ ବ୍ୟବହାର ହେଉଛି, ଯାହାକି ଦେଶର ମୋଟ ଜଳ ସମ୍ପଦର ୧୬.୬୭ ପ୍ରତିଶତ। ବିଭିନ୍ନ ଦ୍ରବ୍ୟ ରପ୍ତାନୀରେ ବିଦେଶକୁ ପ୍ରାୟ ୩୨୦୦ କୋଟି ଘନମିଟର ଜଳ ରପ୍ତାନୀ ହେବା ସ୍ଥଳେ ଆମଦାନୀ ସାମାନ୍ୟ ହୋଇଥାଏ।
୧୯୯୦ ମସିହାରୁ ଏପରି ଆଭାସୀ ଜଳ ବିଷୟରେ ଆଲୋଚନା କରାଗଲା। ଉଦାହରଣ ସ୍ୱରୂପ, ଗୋଟିଏ ମକା (୫୦୦ ଗ୍ରାମ) ପାଇଁ ୪୫୦ ଲିଟର ପାଣି ଆବଶ୍ୟକ ଥିବା ବେଳେ ୩୦୦ ଗ୍ରାମ ମାଂସ ପାଇଁ ୪୫୦୦ ଲିଟର ପାଣି ଆବଶ୍ୟକ। ଏକ ଟନ୍ ଗହମ ଉତ୍ପାଦନ ପାଇଁ ୧୦୦୦-୧୩୦୦ ଘନମିଟର ଏବଂ ଚାଉଳ ଏକକିଲୋ ଉତ୍ପାଦନ ପାଇଁ ୩୪୦୦ ଲିଟର ଜଳ ଆବଶ୍ୟକ। ଗୋଟିଏ ପିଜା ପ୍ରସ୍ତୁତି ପାଇଁ ୧୨୬୦ ଲିଟର ଜଳ ଆବଶ୍ୟକ ଥିବା ବେଳେ ଗୋଟିଏ କାର୍ପାସ ଟି ଶାର୍ଟ ପାଇଁ ୨୭୦୦ ଲିଟର ପାଣି ବ୍ୟବହାର ହୋଇଥାଏ। ଦେଶ-ଦେଶ ମଧ୍ୟରେ ଯେଉଁ ଖାଦ୍ୟ ଓ ଅନ୍ୟ ଉତ୍ପାଦ ରପ୍ତାନୀ ଓ ଆମଦାନୀ କରାଯାଏ ତାହାକୁ ‘ଆଭାସୀ ଜଳ ବାଣିଜ୍ୟ’ ବା ‘ଭର୍ଚୁଆଲ ୱାଟର ଟ୍ରେଡ୍’ କୁହାଯାଏ। ଉଦାହରଣ ସ୍ୱରୂପ ଆମେ କୌଣସି ଦେଶକୁ ଏକ ଟନ୍ ଗହମ ରପ୍ତାନୀ କଲେ ଆମ ଦେଶର ୧୩୦୦ ଘନମିଟର ଆଭାସୀ ଜଳ ରପ୍ତାନୀ ଆକାରରେ ବିଦେଶକୁ ଚାଲିଗଲା। ଅନ୍ୟପକ୍ଷରେ ଆମେ ଯଦି ଏକ ଟନ ଗହମ ଆମଦାନୀ କଲେ ତାହାହେଲେ ଆମେ ୧୩୦୦ ଘନମିଟର ଜଳ ସଞ୍ଚୟ କଲେ। ସୁତରାଂ ଗୋଟିଏ ଦେଶ ଅନ୍ୟ ଏକ ଦେଶରୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଆମଦାନୀ କରିବା ଅର୍ଥ ହେଉଛି ସେହି ଦ୍ରବ୍ୟ ପାଇଁ ଅନ୍ୟ ଦେଶ ଯେଉଁ ଜଳ ବ୍ୟବହାର କରିଛି ତାହା ସିଏ ଆମଦାନୀ କଲେ। ଏହାହିଁ ହେଉଛି ଆଭାସୀ ଜଳ ବାଣିଜ୍ୟ କାରବାର। ଯେଉଁ ଦେଶରେ ଜଳସଂକଟ ଅଧିକ ଥାଏ ସେହି ଦେଶ ଅନ୍ୟ ଦେଶରୁ ଖାଦ୍ୟ ଇତ୍ୟାଦି ଆମଦାନୀ କରିବାକୁ ପସନ୍ଦ କରିବେ। ଜାପାନ ବାହାର ଦେଶର ଖାଦ୍ୟ ଆମଦାନୀ କରି ନିଜ ଦେଶର ଜଳସଞ୍ଚୟ କରୁଛି।
ଏପରି ଆଭାସୀ ଜଳ ବାଣିଜ୍ୟ କାରବାରରେ କେତେକ ଫାଇଦା ମିଳିଥାଏ। ପ୍ରଥମରେ ଦେଶରେ ଜଳସଂକଟ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ଏକ ଉତ୍ତମ ମାର୍ଗ। ଦ୍ୱିତୀୟରେ ଦେଶରେ ଖାଦ୍ୟ ନିରାପତ୍ତା ହାସଲ ପାଇଁ ଅଧିକ ଜଳ ବ୍ୟବହାର କରୁଥିବା ଖାଦ୍ୟ ଯଥା: ଚାଉଳ, ମାଂସ ଇତ୍ୟାଦି ଅନ୍ୟ ଦେଶରୁ ଆମଦାନୀ କଲେ ଖାଦ୍ୟ ନିରାପତ୍ତା ସହଜରେ ହାସଲ ହୋଇ ପାରିବ। ତୃତୀୟରେ ଜଳ ସଙ୍କଟ ପରିଚାଳନା ପାଇଁ କେତେକ ଦେଶ କମ୍ ଜଳ ଆବଶ୍ୟକ କରୁଥିବା ଦ୍ରବ୍ୟ ଉତ୍ପାଦନ କରିବାରେ ପାରଙ୍ଗମ ହେବା ଦ୍ୱାରା ଅର୍ଥନୈତିକ ପ୍ରଗତି ହାସଲ ହୋଇଥାଏ। ବିନିର୍ମାଣ କ୍ଷେତ୍ରରେ ବିଭିନ୍ନ ବସ୍ତୁ ତିଆରି କରାଯାଇ ବିଦେଶକୁ ରପ୍ତାନୀ କରାଯାଏ। ଏହି ଦ୍ରବ୍ୟଗୁଡ଼ିକ ମାଧ୍ୟମରେ ଆଭାସୀ ଜଳ ବିଦେଶକୁ ରପ୍ତାନୀ କରାଯାଏ। ଅନ୍ୟାନ୍ୟ ସେବା କ୍ଷେତ୍ରରେ (ପର୍ଯ୍ୟଟନ ଇତ୍ୟାଦି) ମଧ୍ୟ ବହୁଳ ଭାବରେ ଜଳ ବିନିଯୋଗ ହୁଏ। ପର୍ଯ୍ୟଟକମାନେ ଯେଉଁ ଦ୍ରବ୍ୟ ବ୍ୟବହାର କରନ୍ତି ସେଥିରେ ମଧ୍ୟ ବହୁ ପରିଣାମରେ ଆଭାସୀ ଜଳ ରହିଥାଏ।
ଆଭାସୀ ଜଳ ବାଣିଜ୍ୟରେ ସୀମିତ ଜଳସମ୍ପଦ ଥିବା ଅଞ୍ଚଳରେ ଜଳସଙ୍କଟ ଦେଖାଯାଏ। ବିଭିନ୍ନ ବସ୍ତୁ ନିର୍ମାଣ ବେଳେ ଯେଉଁ ଜଳ ବ୍ୟବହାର ହୁଏ ତାହା ପରିବେଶ ପ୍ରଦୂଷଣ କରିପାରେ ଏବଂ ଜଳସମ୍ପଦ ହ୍ରାସ କରିପାରେ। ଜଳସଙ୍କଟ ଅଞ୍ଚଳକୁ ପ୍ରଚୁର ଜଳସମ୍ପଦ ଥିବା ଅଞ୍ଚଳରୁ ଅଧିକ ଜଳ ଖର୍ଚ୍ଚ କରୁଥିବା ସମାଗ୍ରୀ ଆମଦାନୀ କରିବା ଫଳରେ ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ବୈଷମ୍ୟ ଦେଖାଯିବା ସ୍ୱାଭାବିକ। ଭାରତ ଆମେରିକା, ସ୍ପେନ୍, ମାଲେସିଆ, ରୁଷିଆ, ଥାଇଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଅନେକ ଦ୍ରବ୍ୟ ରପ୍ତାନୀ କରୁଥିବାରୁ ଆମ ଦେଶରୁ ବହୁ ପରିଣାମରେ ଜଳ ବିଦେଶକୁ ଚାଲିଯାଉଛି।
କହିବା ବାହୁଲ୍ୟ ଯେ ଆଭାସୀ ଜଳ ବାଣିଜ୍ୟ ଏକ ଜଟିଳ ବିଷୟ, ଯାହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ରହୁଛି। ଦେଶର ଖାଦ୍ୟ ନିରାପତ୍ତା ହାସଲ ପାଇଁ ଜଳସମ୍ୱଳ ପରିଚାଳନା ନିମନ୍ତେ ଏହାକୁ ଏକ ସାଧନ ହିସାବରେ ବ୍ୟବହାର କରାଯାଇ ପାରିବ। ପରିବେଶ ସମସ୍ୟା ଓ ଜଳସଙ୍କଟ ସମାଧାନ ପାଇଁ ଏହାକୁ ସତର୍କତାର ସହିତ ପରିଚାଳନା କରିବା ମଧ୍ୟ ଆବଶ୍ୟକ। ଆଭାସୀ ଜଳ ବାଣିଜ୍ୟ କ୍ଷେତ୍ରରେ କେତେକ ବ୍ୟକ୍ତିଗତ ପଦକ୍ଷେପ ମଧ୍ୟ ଆବଶ୍ୟକ। ଆମେ ସର୍ବଦା ନୂତନ ବସ୍ତ୍ର ପରିଧାନ ନକରି ପୁରୁଣା ବସ୍ତ୍ରକୁ ପରିଷ୍କାର କରି ପିନ୍ଧିପାରିବା। ଏହାଦ୍ୱାରା ବସ୍ତ୍ର ନିର୍ମାଣ ପାଇଁ ଆବଶ୍ୟକ ଜଳ ବ୍ୟବହାର ହ୍ରାସ ପାଇବ। ଅଧିକ ଜଳ ଆବଶ୍ୟକ କରୁଥିବା ଖାଦ୍ୟଶସ୍ୟ ବଦଳରେ ଆମେ ଅଧିକ ପନିପରିବା ଖାଇ ପାରିବା। ଘରେ କମ୍ ବିଜୁଳି ଶକ୍ତି ଆବଶ୍ୟକ କରୁଥିବା ଉପକରଣ ବ୍ୟବହାର କରିପାରିବା। କୌଣସି ତରଳ ପଦାର୍ଥକୁ ସାଇତି ରଖିବା ପାଇଁ ନୂଆ ବୋତଲ ପରିବର୍ତ୍ତେ ପୁରୁଣା ବୋତଲ ବ୍ୟବହାର କରି ପାରିବା। ରାସ୍ତାରେ ପରିବହନ ପାଇଁ ଗାଡ଼ି ବଦଳରେ ଯଥାସମ୍ଭବ ସାଇକେଲ କିମ୍ୱା ସର୍ବସାଧାରଣ ଗାଡ଼ି ବ୍ୟବହାର କରିପାରିବା। ସୁତରାଂ ଆଭାସୀ ଜଳବାଣିଜ୍ୟର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ।
ଆଭାସୀ ଜଳ ସମସ୍ୟା ସମାଧାନ ପାଇଁ କେତେକ ପଦକ୍ଷେପ ନିଆ ଯାଇପାରେ। ଏଥିପାଇଁ ଜଳ ପରିଚାଳନାରେ ଉନ୍ନତି, ସେଚଜଳର ଦକ୍ଷତା ବୃଦ୍ଧି, ଅତ୍ୟଧିକ ଜଳ ଆବଶ୍ୟକ କରୁଥିବା ଫସଲ ପରିବର୍ତ୍ତନ ଏବଂ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ପ୍ରଥମ ରଣନୀତି ହିସାବରେ ଜଳ ପରିଚାଳନା ଉନ୍ନତି ଓ ଭିତ୍ତିଭୂମି ବିକାଶ ପାଇଁ କୃଷି କ୍ଷେତ୍ରରେ ଜଳ ଅପଚୟ ହ୍ରାସ ଏବଂ ସିଞ୍ଚନ କିମ୍ୱା ବୁନ୍ଦା ଜଳସେଚନ ପ୍ରଣାଳୀ ଅନୁସରଣ ଆବଶ୍ୟକ। ଦ୍ୱିତୀୟ ରଣନୀତି ହିସାବରେ ଜଳ ମହଜୁଦ ଓ ପୁନଃଭରଣା ପାଇଁ ନଦୀରେ ଜଳଭଣ୍ଡାର, ନଦୀ ବନ୍ଧ ଓ ବ୍ୟାରେଜ ନିର୍ମାଣ , ଭୂତଳ ଜଳପତ୍ତନ ବୃଦ୍ଧି ପାଇଁ ପୁନଃଭରଣ କରିବା ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ। ତୃତୀୟରେ ଜଳ ପୁନଃବିନିଯୋଗ ଓ ପୁନଃଚକ୍ରିକରଣ ନିମନ୍ତେ ଅପଶିଷ୍ଟ ଜଳକୁ ଉପଚାର କରି ଜଳସେଚନ କିମ୍ୱା ଶିଳ୍ପକ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଚତୁର୍ଥତଃ, ଜଳବଣ୍ଟନ ପ୍ରଣାଳୀରେ ଜଳ ଯେପରି ପାଇପ୍ ରୁ ବାହାରି ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ପଞ୍ଚମରେ ବର୍ଷାଜଳ ଅମଳ ଓ ସଂରକ୍ଷଣ ପାଇଁ ଗୋଷ୍ଠୀଭିତ୍ତିକ ଜଳଅମଳ ଓ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ, ଫାର୍ମ ପୋଖରୀ ଓ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ହେବ। କୃଷିକ୍ଷେତ୍ରରେ ଅଧିକ ଜଳ ଆବଶ୍ୟକ କରୁଥିବା ଧାନ, ଆଖୁ ଇତ୍ୟାଦି ଫସଲ ପରିବର୍ତ୍ତେ ଡାଲି ଫସଲ ଓ ତୈଳବୀଜ ଇତ୍ୟାଦି ଫସଲ ଚାଷକରିବା ଆବଶ୍ୟକ। ଏହା ସହିତ ଜଳବାୟୁ ସହନଶୀଳ କୃଷିପଦ୍ଧତି ହିସାବରେ ଫସଲ ଓ ବିହନ ପରିବର୍ତ୍ତନ, ସଠିକ୍ ପ୍ରଣାଳୀରେ ଜଳସେଚନ, ଜୈବିକକୃଷି, ସମ୍ମିଳିତ ପୋଷକ ଯୋଗାଣ, ଅଙ୍ଗାର ପୃଥକୀକରଣ ପାଇଁ କୃଷି ବନୀକରଣ ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶିଳ୍ପ, ନିର୍ମାଣ, ଗୃହ, ଅନୁଷ୍ଠାନ ଇତ୍ୟାଦି ସ୍ଥଳରେ ଜଳସଞ୍ଚୟ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଅତି ଜରୁରୀ। ଏଥିପାଇଁ ଗୋଷ୍ଠୀ ସମ୍ପ୍ରଦାୟକୁ ଶିକ୍ଷା ଓ ସଚେତନତା ଆବଶ୍ୟକ।
ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦