ଜାଗରଣରେ ଝୁମୁଥିଲେ ଭକ୍ତ...ହଠାତ ଭୁଶୁଡିଲା ଷ୍ଟେଜ...ଜଣେ ମୃତ

ପ୍ରାୟ ୧,୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ଲୋକମାନେ ଉତ୍ସାହିତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ। ଭାର ସମ୍ଭାଳି ନପାରି ଷ୍ଟେଜ ଖସିଯାଇଥିଲା।

ଜାଗରଣରେ ଝୁମୁଥିଲେ ଭକ୍ତ...ହଠାତ ଭୁଶୁଡିଲା ଷ୍ଟେଜ...ଜଣେ ମୃତ

ଚାଲିଥିଲା ମାତାଙ୍କ ଜାଗରଣ। ଲୋକମାନେ ଭକ୍ତିରେ ବିଭୋର ହୋଇ ଝୁମୁଥିଲେ। ହେଲେ ହଠାତ ଭୁଶୁଡିଗଲା ଷ୍ଟେଜ। ଦିଲ୍ଲୀ କାଲକାଜୀ ମନ୍ଦିର ପାଖରେ ଘଟିଛି ଏହି ଅଘଟଣ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଶନିବାର ମଧ୍ୟରାତ୍ରିରେ ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଉତ୍ସବ ଚାଲିଥିଲା। କାର୍ଯ୍ୟକ୍ରମରେ ଅନେକ ଲୋକ ଉପସ୍ଥିତ ଥିଲେ। ହଠାତ ଷ୍ଟେଜ୍ ଖସିଯିବା ପରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିସହ ୧୭ ଜଣ ଆହତଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା। ଆହତମାନଙ୍କୁ AIIMS ଟ୍ରମା କେନ୍ଦ୍ର, ସଫଦରଜଙ୍ଗ ହସ୍ପିଟାଲ ଏବଂ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି।

ମନ୍ଦିରରେ ରାତିସାରା ଜାଗରଣ, ଗୀତ, ନୃତ୍ୟ ଏବଂ ଉପାସନାକୁ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭାରତୀୟ ଗାୟକ ତଥା ସଙ୍ଗୀତ ନିର୍ମାତା ବି ପ୍ରାକ ଯୋଗ ଦେଇଥିଲେ।ତେବେ ଲୋକମାନେ ଉତ୍ସାହିତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ। ଭାର ସମ୍ଭାଳି ନପାରି ଷ୍ଟେଜ ଖସିଯାଇଥିଲା।

ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି ରାଜେଶ ଦେଓଙ୍କ ସୂଚନା ଅନୁସାରେ, ୨୬ବର୍ଷ ଧରି କଲକାଜୀ ମଣ୍ଡପରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଶନିବାର ମଧ୍ୟରାତ୍ରିରେ ପ୍ରାୟ ୧,୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ପରିସ୍ଥିତିକୁ ଦେଖି ମନ୍ଦିର ପରିସରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ଷ୍ଟେଜଟି କାଠ ଏବଂ ଲୁହା ଫ୍ରେମରେ ତିଆରି କରାଯାଇଥିଲା । ଷ୍ଟେଜ ଧଶିଯିବାରୁ ତଳେ ବସିଥିବା କିଛି ଭକ୍ତ ଆହତ ହୋଇଥିଲେ।

କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ଆଇପିସି ଧାରା ୩୩୭, ୩୦୪ (କ), ୧୮୮ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ବି ପ୍ରାକ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓରେ ସେ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।