ଜାନୁଆରୀ ୨୫ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍
ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷରେ ଶେଷ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ୩-୦ରେ ଜିତିନେଇଛି। ଏହି ସିରିଜ୍ ପରେ ଭାରତୀୟ ଟେଷ୍ଟ ଦଳ ଓ ଭାରତୀୟ ଖେଳାଳିମାନେ ଘରୋଇ ମାଟିରେ ମେ ମାସ ଯାଏ ଖେଳିବେ। ଆଫଗାନ ବିପକ୍ଷ ଟି-୨୦ ସିରିଜ୍ ପରେ ଘରୋଇ ମାଟିରେ ଇଂଲଣ୍ଡ ସହ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ଟେଷ୍ଟ ହାଇଦରାବାଦ, ଦ୍ୱିତୀୟ ଟେଷ୍ଟ ଫେବୃଆରୀ […]

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷରେ ଶେଷ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ୩-୦ରେ ଜିତିନେଇଛି। ଏହି ସିରିଜ୍ ପରେ ଭାରତୀୟ ଟେଷ୍ଟ ଦଳ ଓ ଭାରତୀୟ ଖେଳାଳିମାନେ ଘରୋଇ ମାଟିରେ ମେ ମାସ ଯାଏ ଖେଳିବେ। ଆଫଗାନ ବିପକ୍ଷ ଟି-୨୦ ସିରିଜ୍ ପରେ ଘରୋଇ ମାଟିରେ ଇଂଲଣ୍ଡ ସହ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ଟେଷ୍ଟ ହାଇଦରାବାଦ, ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପାଟଣା, ତୃତୀୟ ଟେଷ୍ଟ ଫେବୃଆରୀ ୧୫ରୁ ରାଜକୋଟ, ଚତୁର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚି ଓ ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ।
ଉଭୟ ଦେଶ ମଧ୍ୟରେ ଟେଷ୍ଟ ମୁକାବିଲା ବେଶ ରୋମାଞ୍ଚକର ହୋଇଥାଏ। ଭାରତରେ ଇଂଲଣ୍ଡ ଦଳର ପ୍ରଦର୍ଶନ ସେତେଟା ଭଲ ନ ଥିବାରୁ ବ୍ରେଣ୍ଡାନ ମ୍ୟାକ୍କୁଲାମଙ୍କ ପ୍ରଶିକ୍ଷଣରେ ଭ୍ରମଣକାରୀ ଦଳ ଏହି ସିରିଜ୍ ଜିତିବାକୁ ଚେଷ୍ଟା କରିବ। ବାଜବଲ ନୀତିରେ ଖେଳୁଥିବା ଇଂଲଣ୍ଡ ଦଳକୁ ଦେଶ ଓ ଦେଶ ବାହାରେ ଭଲ ସଫଳତା ମିଳିଛି। ଇଂଲଣ୍ଡର ଖେଳାଳିମାନେ ମଧ୍ୟ ଭଲ ଭାବେ ଏହାକୁ ଗ୍ରହଣ କରି ଖେଳୁଛନ୍ତି। ଏପରିକି ଇଂଲଣ୍ଡ ଲାୟନ୍ସ ଦଳ ଭାରତ-ଏ’ ଟିମ ସହ ସମାନ ନିୟମରେ ଖେଳୁଛି। କିନ୍ତୁ ବାଜ୍ବଲ ନିୟମ ଏଠାରେ କାମ କରିବ କି ନାହିଁ ତାହା ଖେଳ ପରେ ଜଣାପଡ଼ିବ। ଏହାର ମୁଖ୍ୟ କାରଣ ହେଲା ଭାରତୀୟ ପିଚ୍ରେ ସ୍ପିନରଙ୍କୁ ମୁକାବିଲା କରିବା କଷ୍ଟକର। ସ୍ପିନରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ସଟ୍ ଖେଳି କେତେ ସମୟ ବ୍ୟାଟର ତିଷ୍ଠି ରହିବେ ତାହା ଖେଳ ହେଲେ ଜଣାପଡ଼ିବ। କିନ୍ତୁ ‘ଆକ୍ରମଣ ହିଁ ଶ୍ରେଷ୍ଠ ପ୍ରତିରକ୍ଷା’ ନିୟମକୁ ଇଂଲଣ୍ଡ ବ୍ୟାଟର କିପରି ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଏହା ମଧ୍ୟରେ ଦଳର ପ୍ରମୁଖ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ କହିଛନ୍ତି, ଭାରତୀୟ ପିଚ୍ରେ ଆବଶ୍ୟକ ପଡ଼ିଲେ ଦୁଇ ଜଣ ସ୍ପିନରଙ୍କୁ ଖେଳାଇବୁ। ଆମେ ସମସ୍ତ ସମୀକରଣ ଲାଗି ପ୍ରସ୍ତୁତି କରିଛୁ ଓ ଭାରତକୁ ଭାରତର ମାଟିରେ ହରାଇବାକୁ ଯୋଜନା କରିଛୁ ବୋଲି ସେ କହିଛନ୍ତି।
ଖେଳାଳି ଦଳ
ଇଂଲଣ୍ଡ : ବେନ୍ ଷ୍ଟୋକ୍ସ (ଅଧିନାୟକ), ଜ୍ୟାକ୍ କ୍ରଲୀ, ବେନ୍ ଡକେଟ୍ଟ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ଓଲି ପୋପ୍ (ସମସ୍ତେ ବ୍ୟାଟର) ଜନ୍ନି ବେୟାରଷ୍ଟୋ ଓ ବେନ୍ ଫୋକ୍ସ (ୱିକେଟରକ୍ଷକ), ଜେମ୍ସ ଆଣ୍ଡରସନ, ଗସ ଆଟକିନସନ, ଓଲି ରବିନସନ, ମାର୍କ ଉଡ୍ (ସମସ୍ତେ ପେସ୍ ବୋଲର), ଜ୍ୟାକ୍ ଲିଚ୍, ଟମ୍ ହାର୍ଟଲୀ, ରେହାନ ଅହମ୍ମଦ୍, ସୋଏବ ବଶିର (ସମସ୍ତେ ସ୍ପିନର)।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର (ସମସ୍ତେ ବ୍ୟାଟର), ଲୋକେଶ ରାହୁଲ, ଶ୍ରୀକର ଭରତ ଓ ଧ୍ରୁବ ଜୁରେଲ (ସମସ୍ତେ ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ (ସ୍ପିନ ବୋଲିଂ ଅଲରାଉଣ୍ଡର), କୁଲଦୀପ ଯାଦବ (ସ୍ପିନର), ଯଶପ୍ରୀତ୍ ବୁମ୍ରା, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଆଭେଷ ଖାନ୍ (ସମସ୍ତେ ପେସ୍ ବୋଲର)।
(ବିଦ୍ର- ପ୍ରଥମ ଦୁଇଟି ଟେଷ୍ଟ ଲାଗି)