ଜୁନ ୧ ଇଣ୍ଡିଆ ବୈଠକରେ ଯୋଗ ଦେବେନି ମମତା ବାନାର୍ଜୀ

ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେବେ ନାହିଁ।

ଜୁନ ୧ ଇଣ୍ଡିଆ ବୈଠକରେ ଯୋଗ ଦେବେନି ମମତା ବାନାର୍ଜୀ

ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବ। ସେହି ଦିନ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ମଧ୍ୟ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

କିନ୍ତୁ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେବେ ନାହିଁ। ରାଜ୍ୟରେ ହେବାକୁ ଥିବା ଭୋଟ ଓ ବାତ୍ୟା ରେମାଲ ପାଇଁ ସେ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଆଜି ଠାରୁ ସ୍ପଷ୍ଟ କରି ଦେଇଛନ୍ତି।

କୋଲକାତାରେ ଆୟୋଜିତ ରାଲିରେ ସମ୍ବୋଧନ କରି ମମତା କହିଛନ୍ତି, “ଇଣ୍ଡିଆ ମେଣ୍ଟ ପୂର୍ବରୁ କହି ସାରିଛନ୍ତି ଯେ ଜୁନ ୧ରେ ଦିଲ୍ଲୀରେ ବୈଠକ ହେବ। ହେଲେ ମୁଁ ଯୋଗ ଦେଇ ପାରିବି ନାହିଁ ବୋଲି ସେମାନଙ୍କୁ କହି ସାରିଛି। କାରଣ ରାଜ୍ୟର କିଛି ରାଜ୍ୟ ଭଳି ଏଠାରେ ମଧ୍ୟ ଜୁନ ୧ରେ ଭୋଟ ରହିଛି।

ଗୋଟିଏ ପଟେ ବାତ୍ୟା ଓ ରିଲିଫ ସେଣ୍ଟ ଥିବା ବେଳେ ଅନ୍ୟପଟେ ନିର୍ବାଚନ ରହିଛି। ଏପରି ସ୍ଥିତିରେ ମୁଁ କେମିତି ଦିଲ୍ଲୀ ଯାଇ ପାରିବି? ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ମୋର ପ୍ରାଥମିକତା। ମୁଁ ଏଠାରେ ମିଟିଂ କରୁଛି ସତ, କିନ୍ତୁ ମୋ ମନ ଓ ହୃଦୟ ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରହିଛି।”

ଜୁନ ୧ରେ ପଶ୍ଚିମବଙ୍ଗର ବଳକା ୯ଟି ଆସନରେ ଭୋଟ ହେବ। ଏହା ମଧ୍ୟରେ କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତର ରହିଛି। ସେହିପରି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ପ୍ରାର୍ଥୀ ହୋଇଥିବା ଡାଇମଣ୍ଡ ହାର୍ବରରେ ମଧ୍ୟ ଶେଷ ପର୍ଯ୍ୟାୟରେ ମତଦାନ ହେବ।

ଏହାବାଦ ଯାଦବପୁର, ଦମଦମ, ବରସାତ, ବଶିରହାଟ, ଜୟନଗର ଓ ମଥୁରାପୁରରେ ମଧ୍ୟ ଲୋକମାନେ ଜୁନ ୧ରେ ଭୋଟ ଦେବେ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଜୁନ ୧ରେ ସର୍ବଦଳୀୟ ବୈଠକ ଡକାଯାଇଛି। ଜୁନ ୪ରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ। ଏହାପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ବୈଠକ କରିବେ।