ଜୋର ଜବରଦସ୍ତ ପଶୁଛି ଆନ୍ଧ୍ର, ଜଙ୍ଗଲରୁ କାଟି ନେଉଛି ବାଉଁଶ

ଘଞ୍ଚ ଜଙ୍ଗଲରୁ ବାଉଁଶ କାଟି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଦିନ ଦ୍ବିପ୍ରହରେ ବାଉଁଶ ବୋହି ନେଉଛନ୍ତି । କୋରାପୁଟ ଡିଏଫଓଙ୍କ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଉଁଶ କଟା।

ଜୋର ଜବରଦସ୍ତ ପଶୁଛି ଆନ୍ଧ୍ର, ଜଙ୍ଗଲରୁ କାଟି ନେଉଛି ବାଉଁଶ

କୋରାପୁଟ କୋଟିଆର ନିଦା ବାଉଁଶ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ଆଖି। ଓଡ଼ିଶା ମାଟିରୁ କାଟି ନେଇ ମାଲେ ମାଲ ପଡ଼ୋଶୀ ରାଜ୍ୟର ମାଫିଆ। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ ଭିତରେ ଥିବା କୋରଲା ହାରୁ ଓ ସୁନା ପାହାଡ଼ରୁ ବାଉଁଶ କାଟି ଆଣି ବିଡ଼ା ବାନ୍ଧିବା ପରେ ଦିନ ଦିପହରେ ବୋହି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ।

KOTIAKOTIA

ଘଞ୍ଚ ଜଙ୍ଗଲରୁ ବାଉଁଶ କଟାଯିବା ପରେ ଟ୍ରାକ୍ଟର ଯୋଗେ ପ୍ରଥମେ ନେରେଡ଼ିବାଲସା ଓ ପରେ ଟ୍ରକ୍ ଯୋଗେ ସାର୍କି ହାଟ ଓ ସେଠାରୁ ଯାଉଛି ଆନ୍ଧ୍ରର ବିଜିୟନଗରମ୍। ଦୈନିକ ସ୍ପଷ୍ଟ ଦିବାଲୋକରେ ଓଡିଶା ସୀମା ଭିତରୁ ଏଭଳି ବେଆଇନ ଓ ଜବବଦସ୍ତି ଭାବେ ବାଉଁଶ ଚାଲାଣ ଜାରି ରହିଥିବାରୁ ଏହାର ବିରୋଧ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ପରିବେଶବିତ।

KOTIA BAMBOOKOTIA BAMBOO

କୋଟିଆ କାହାର, ଏ ନେଇ ସୁପ୍ରିମକୋର୍ଟରେ ଏବେ ମାମଲା ବିଚାରାଧୀନ। ଏପରିସ୍ଥଳେ ଓଡ଼ିଶା ସୀମା ଭିତରୁ କେମିତି ବାଉଁଶ ବୋହି ନେଉଛି ଆନ୍ଧ୍ର ? ପଡ଼ୋଶୀ ରାଜ୍ୟର ବ୍ୟବସାୟୀଙ୍କୁ କିଏ ଦେଉଛି ବାଉଁଶ କାଟିବାକୁ ଅନୁମତି ? ଏ ସମ୍ପର୍କରେ ଓଟିଭିର ତନାଘନା ପରେ ଜାଣିବାକୁ ମିଳିଛି, ଯେ କୋରାପୁଟକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ଡିଏଫଓଙ୍କ ଅନୁମତି ପତ୍ର ବଳରେ ବାଉଁଶ କାଟୁଛନ୍ତି ଆନ୍ଧ୍ର ବ୍ୟବସାୟୀ।

KOTIA BAMBOOKOTIA BAMBOO

ଏ କଥା ଜଣାପଡ଼ିବା ପରେ କୋରାପୁଟ ଡିଏଫଓ, ପାର୍ବତୀପୁରମ୍ ମାନ୍ୟମ୍ ଡିଏଫଓଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଏବେ ବାଉଁଶ କଟା ବନ୍ଦ ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ଡିଏଫ୍ଓ।