ଟାଣ ଖରା; ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା
ଗତକାଲି ରାଜ୍ୟର ୧୮ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ବା ତା’ ଉପରେ ରେକର୍ଡ କରାଯାଇଥିଲା।
ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଲୋକେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି।
ବାଲେଶ୍ୱରର ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୬, ଝାରସୁଗୁଡ଼ା ୩୯.୫, ଚାନ୍ଦବାଲି ୩୯.୧, କେନ୍ଦୁଝର ୩୯ ଡିଗ୍ରୀ, ହୀରାକୁଦ ୩୬.୮, ସମ୍ବଲପୁର ଓ ରାଉରକେଲା ୩୭ ଡିଗ୍ରୀ, ଗୋପାଳପୁର ୩୫ ଡିଗ୍ରୀ, ପୁରୀ ୩୪. ୨ ଡିଗ୍ରୀ ଓ ପାରାଦୀପରେ ୩୪ . ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୮ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ବା ତା’ ଉପରେ ରେକର୍ଡ କରାଯାଇଥିଲା। ବାରିପଦାରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ଥିଲା। ଏହା ତଳକୁ ଭୁବନେଶ୍ୱର,ଚାନ୍ଦବାଲି ଓ ନୂଆପଡ଼ା ଥିଲା। ଏହି ତିନୋଟି ସହରର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଥିବା କୁହାଯାଇଛି।