ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ବିପକ୍ଷରେ ବି ଟସ୍‌ ହାରିଲେ ରୋହିତ ଶର୍ମା

ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ବିପକ୍ଷରେ ବି ଟସ୍‌ ହାରିଲେ ରୋହିତ ଶର୍ମା

ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଅଧିନାୟକ ମିଚେଲ ମାର୍ଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ଦିନିକିଆ ବିଶ୍ୱକପର ଫାଇନାଲ ଭଳି ଆଜି ସୁପର ୮ର ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ। ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ ଭଳି ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଟସ୍‌ ହାରିଥିଲେ। 

ସେଣ୍ଟ ଲୁସିଆରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ଉପରେ ବର୍ଷାର ବିପଦ ରହିଛି। ସକାଳୁ ମଧ୍ୟ ବର୍ଷା ଲାଗି ରହିଥିଲା। ତେଣୁ ବ୍ୟାଟରମାନଙ୍କୁ ଆରମ୍ଭରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ମାର୍ଶ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ। ଯଦି ଦଳ ଆଜି ମ୍ୟାଚ୍‌ ହାରୁଛି, ତା’ହେଲେ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ପହଞ୍ଚି ଯିବ। ଆସନ୍ତାକାଲି ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଉପରେ ଦଳକୁ ନିର୍ଭର କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ ସୁପର ୮ରେ ଦୁଟି ମ୍ୟାଚ୍‌ ଖେଳି ଗୋଟିଏରେ ଜିତିଛି ଓ ଆଉ ଗୋଟିଏରେ ହାରିଛି। ଗତ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଠାରୁ ହାରିଥିଲା। ତେଣୁ ଦଳ ଆଜି ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ସ୍ପିନର ଅଷ୍ଟନ ଅଗରଙ୍କ ସ୍ଥାନରେ ଷ୍ଟାର ପେସର ମିଚେଲ ଷ୍ଟାର୍କ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଦୁଇ ଦଳ ଦିନିକିଆ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ନଭେମ୍ବର ୧୯ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏବେ ଭାରତ ପାଖରେ ଏହାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି।