ଟ୍ରେନରେ ମିଳୁଛି ଖରାପ ଖାଦ୍ୟ: ଗତ ଦୁଇ ବର୍ଷରେ ଅଭିଯୋଗରେ ୫୦୦ ପ୍ରତିଶତ ବୃଦ୍ଧି, RTI ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: କେତେ ଉଚ୍ଚମାନର ଓ ସ୍ୱାସ୍ଥ୍ୟକର ଭାରତୀୟ ରେଳରେ ମିଳୁଥିବା ଖାଦ୍ୟ? ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଜାଣିଲେ ଆଣପଙ୍କର ହୋସ୍ ଉଡ଼ିଯିବ। ରିପୋର୍ଟ ପଢ଼ିବା ପରେ ଆପଣ ଯେତେବେଳେ ବି ରେଳରେ ଯାତ୍ରା କରିବେ ହୁଏତ ଆଉ ଖାଇବା ମଗେଇବେ ନାହିଁ। ଆମେ ଏମିତି କାହିଁକି କହୁଛି ଏହି ରିପୋର୍ଟ ପଢ଼ିଲେ ଆପଣ ଜାଣିଯିବେ। ରେଳରେ ଯାତ୍ରା ବେଳେ ଦିଆଯାଉଥିବା ଖାଦ୍ୟକୁ ନେଇ ଗ୍ରାହକ କେତେ ଥର ଅଭିଯୋଗ କରିଛନ୍ତି ସେ ନେଇ ସୂଚନା ଅଧିକାରୀ ଆଇନ ବଳ ଆବେଦନ କରାଯାଇଥିଲା। ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜମ କୋର୍ପୋରେସନ(IRCTC) ଏହାର ଉତ୍ତର ଦେଇଛି। ଗତ ଦୁଇ ବର୍ଷ ମଧ୍ୟରେ ଖାଦ୍ୟର ମାନ ଓ ସ୍ୱାସ୍ଥ୍ୟକର(ହାଇଜେନିକ) ସ୍ଥିତି ନେଇ ଗ୍ରାହକଙ୍କ ଅଭିଯୋଗରେ ୫୦୦ ପ୍ରତିଶତ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୦୨୨ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ଏହି ଅଭିଯୋଗ ହୋଇଛି ବୋଲି ଆଇଆରସିଟିସି କହିଛି। ଜାତୀୟ ଗଣମାଧ୍ୟମ CNBC TV18 ପକ୍ଷରୁ ଏହି ଆର୍ଟିଆଇ ଫାଇଲ କରାଯାଇଥିଲା। ଉତ୍ତରରେ ଏଭଳି ଚିନ୍ତାଜନକ ସୂଚନା ଦେଇଛି ଆଇଆରସିଟିସି। ସାଧାରଣ ଟ୍ରେନ୍ କଥା ଛାଡ଼ନ୍ତୁ, ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ ଏବଂ ମେଲ୍ ଏକ୍ସପ୍ରେସ୍ ଭଳି ପ୍ରିମିୟମ ଟ୍ରେନ୍ ଗୁଡିକରେ ମଧ୍ୟ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପ୍ରିଲ ୨୦୨୩ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ଅଭିଯୋଗ ସଂଖ୍ୟା ୬,୯୪୮କୁ ବୃଦ୍ଧି ହୋଇଛି। ଯାହା ୨୦୨୨ ମାର
ନୂଆଦିଲ୍ଲୀ: କେତେ ଉଚ୍ଚମାନର ଓ ସ୍ୱାସ୍ଥ୍ୟକର ଭାରତୀୟ ରେଳରେ ମିଳୁଥିବା ଖାଦ୍ୟ? ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଜାଣିଲେ ଆଣପଙ୍କର ହୋସ୍ ଉଡ଼ିଯିବ। ରିପୋର୍ଟ ପଢ଼ିବା ପରେ ଆପଣ ଯେତେବେଳେ ବି ରେଳରେ ଯାତ୍ରା କରିବେ ହୁଏତ ଆଉ ଖାଇବା ମଗେଇବେ ନାହିଁ। ଆମେ ଏମିତି କାହିଁକି କହୁଛି ଏହି ରିପୋର୍ଟ ପଢ଼ିଲେ ଆପଣ ଜାଣିଯିବେ।
ରେଳରେ ଯାତ୍ରା ବେଳେ ଦିଆଯାଉଥିବା ଖାଦ୍ୟକୁ ନେଇ ଗ୍ରାହକ କେତେ ଥର ଅଭିଯୋଗ କରିଛନ୍ତି ସେ ନେଇ ସୂଚନା ଅଧିକାରୀ ଆଇନ ବଳ ଆବେଦନ କରାଯାଇଥିଲା। ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜମ କୋର୍ପୋରେସନ(IRCTC) ଏହାର ଉତ୍ତର ଦେଇଛି। ଗତ ଦୁଇ ବର୍ଷ ମଧ୍ୟରେ ଖାଦ୍ୟର ମାନ ଓ ସ୍ୱାସ୍ଥ୍ୟକର(ହାଇଜେନିକ) ସ୍ଥିତି ନେଇ ଗ୍ରାହକଙ୍କ ଅଭିଯୋଗରେ ୫୦୦ ପ୍ରତିଶତ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୦୨୨ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ଏହି ଅଭିଯୋଗ ହୋଇଛି ବୋଲି ଆଇଆରସିଟିସି କହିଛି।
ଜାତୀୟ ଗଣମାଧ୍ୟମ CNBC TV18 ପକ୍ଷରୁ ଏହି ଆର୍ଟିଆଇ ଫାଇଲ କରାଯାଇଥିଲା। ଉତ୍ତରରେ ଏଭଳି ଚିନ୍ତାଜନକ ସୂଚନା ଦେଇଛି ଆଇଆରସିଟିସି। ସାଧାରଣ ଟ୍ରେନ୍ କଥା ଛାଡ଼ନ୍ତୁ, ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ ଏବଂ ମେଲ୍ ଏକ୍ସପ୍ରେସ୍ ଭଳି ପ୍ରିମିୟମ ଟ୍ରେନ୍ ଗୁଡିକରେ ମଧ୍ୟ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପ୍ରିଲ ୨୦୨୩ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ଅଭିଯୋଗ ସଂଖ୍ୟା ୬,୯୪୮କୁ ବୃଦ୍ଧି ହୋଇଛି। ଯାହା ୨୦୨୨ ମାର୍ଚ୍ଚ ଶେଷ ବେଳକୁ ମାତ୍ର ୧,୧୯୨ ଥିଲା।
ଆଇଆରସିଟିସିର ଉତ୍ତର ଅନୁସାରେ ଏପ୍ରିଲ ୨୦୨୧ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ଖରାପ ଖାଦ୍ୟ ଜନିତ ମୋଟ ୧୧,୮୫୦ଟି ଅଭିଯୋଗ ହୋଇଥିଲା। ଏଥିରେ ଆଇଆରସିଟିସି ୬୮ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୨୦୨୧ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୩ଟି କ୍ୟାଟରିଂ କଣ୍ଟ୍ରାକ୍ଟ ରଦ୍ଦ କରିଛି।
୨୦୨୪ ଫେବ୍ରୁଆରୀରେ ପ୍ରକାଶିତ ହିନ୍ଦୁ ବିଜ୍ନେଶ ଲାଇନ ରିପୋର୍ଟ ଅନୁସାରେ ଆଇଆରସିଟିସି ପାଖରେ ୧,୫୧୮ କ୍ୟାଟେରିଂ କଣ୍ଟ୍ରାକ୍ଟ ଥିଲା। ହେଲେ ଖରାପ ଖାଇବା ନେଇ ହଜାର ହଜାର ଅଭିଯୋଗ ମିଳିବା ସତ୍ତ୍ୱେ ଗତ ତିନିବର୍ଷ ମଧ୍ୟରେ ଆଇଆରସିଟିସି କେବଳ ମାତ୍ର ତିନୋଟି କଣ୍ଟ୍ରାକ୍ଟ କ୍ୟାନ୍ସଲ କରିଛି।
ଏକ୍ସପର୍ଟଙ୍କ କହିବା କଥା ହେଲା ରେଳରେ ମିଳୁଥିବା ଖାଦ୍ୟ ଖାଇବା ଉପଯୋଗୀ କି ନା ଏହାର ଚେକ୍ ହେଉ ନାହିଁ। ଯେଉଁ ଖାଦ୍ୟଗୁଡିକ ପ୍ୟାକ୍ ହୋଇ ଆସୁଛି ସେଗୁଡ଼ିକ ସବୁ ବାହାରେ ପ୍ୟାକିଂ କରାଯାଉଛି। ଅଧିକାଂଶ ଟ୍ରେନ୍ରେ ରୋଷେଇ ପାଇଁ ଥିବା ପ୍ୟାଣ୍ଟ୍ରିକାର ରହୁ ନାହିଁ। ରୋଷେଇ ନା ପ୍ଲାଟ୍ଫର୍ମରେ ହେଉଛି ନା ଟ୍ରେନ୍ ଭିତରେ। ତେଣୁ ଅନେକ ବେଳୁ ରୋଷେଇ ହୋଇସାରିଥିବା ଖାଦ୍ୟ ବାହାରୁ ପ୍ୟାକ୍ ହୋଇ ଆସୁଥିବା ଅଭିଯୋଗ ହେଉଛି। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମାବଳି ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ରେଳବାଇରେ ଖରାପ ଖାଦ୍ୟ ମିଳିବା ଏକ ନିତିଦିନିଆ ସମସ୍ୟା। ଯେତେ ଅଭିଯୋଗ ହେଲେ ବି କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ନହେବାରୁ ଲୋକ ଭୋଗୁଛନ୍ତି ହିନସ୍ତା।
ଏହା ପୂର୍ବରୁ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି) ବା ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ୨୦୧୭ ରିପୋର୍ଟରେ ଭାରତୀୟ ରେଳବାଇରେ ମିଳୁଥିବା ଖରାପ ମାନର ଖାଦ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ ଭାରତୀୟ ରେଳବାଇ ଲୋକଙ୍କୁ ସୁରକ୍ଷିତ ଖାଦ୍ୟ ଦେବାରେ ବିଫଳ ହୋଇଛି। ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ଅନେକ ସମୟରେ ମାଛି,କୀଟପତଙ୍ଗ,ଧୂଳି, ମୂଷା ଏବଂ ଅସରପା ପଡ଼ୁଥିବାର ଦେଖାଯାଉଛି।
CNBC TV18 ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୨୩ ଓ ଫେବ୍ରୁଆରୀ ୨୦୨୪ ମଧ୍ୟରେ ବନ୍ଦେ ଭାରତ ଭଳି ଟ୍ରେନ୍ରେ ମୋଟ ୧୨୩ଟି ଅଭିଯୋଗ ମିଳିଛି। ଯେଉଁଥିରେ ବାସୀ ଖାଦ୍ୟ ଓ ଖାଦ୍ୟରୁ ମାଛି, ମୃତ କିଟପତଙ୍ଗ ଓ ଅସରପା ବାହାରିଥିବା ଅଭିଯୋଗ ହୋଇଛି। ୨୦୨୨ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇ ରେଳବାଇରେ ଖରାପ ଖାଦ୍ୟ ମିଳୁଛି ବୋଲି ସ୍ୱୀକାର କରିଥିଲେ। ୭ ମାସ ମଧ୍ୟରେ ଖରାପ ଖାଦ୍ୟ ନେଇ ଆଇଆରସିଟିସିକୁ ୫ ହଜାର ଅଭିଯୋଗ ମିଳିଥିଲା ବୋଲି ରେଳମନ୍ତ୍ରୀ କହିଥିଲେ।
କ'ଣ ପଦକ୍ଷେପ ନେଇଛି ରେଳବାଇ?
୨୦୨୩ରେ ରେଳ ବୋର୍ଡ ବିଭିନ୍ନ ରେଳ ଜୋନ୍ ଏବଂ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)କୁ ଏକ ନିର୍ଦ୍ଦେଶନାମା ଜାରି କରି ବନ୍ଦେ ଭାରତ ଟ୍ରେନରେ କ୍ୟାଟରିଂ ସେବା ସହ ଜଡିତ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ କୁହାଯାଇଥିଲା। ଏଥିସହିତ ବନ୍ଦେ ଭାରତ ଟ୍ରେନ୍ରେ ଖାଇବା ମିଳିବା ଓ ଖାଦ୍ୟ ମାନର ସୁଧାର ଆସିବା ନେଇ ଯାତ୍ରୀଙ୍କୁ ଅବଗତ କରାଇବାକୁ ଘୋଷଣା କରିବା ପାଇଁ ରେଳବାଇ ବୋର୍ଡ ମଧ୍ୟ ଜୋନାଲ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା।
ଏହା ବାଦ୍ ଭାରତୀୟ ରେଳବାଇ ଅସ୍ୱାସ୍ଥ୍ୟକର ଖାଦ୍ୟ ଦେଲେ ଏଥିପାଇଁ ୫ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ କରିବା ସହ ଓ କଣ୍ଟ୍ରାକ୍ଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ କେନ୍ଦ୍ର ସରକାରଙ୍କର ଏଭଳି ପଦକ୍ଷେପ କେବେଳ ଘୋଷଣାରେ ରହିଯାଇଛି। ରେଳବାଇରେ ମିଳୁଥିବା ଖାଦ୍ୟ ପରିସ୍ଥିତି ଯେମିତି ଥିଲା ସେମିତି ରହିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।