ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ରେଳ !

ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।

ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ରେଳ !

ପୁଣି ଟ୍ରେନକୁ ଟାର୍ଗେଟ । ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ। ଟ୍ରାକରେ ଥିବା ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ଏଥିରେ ମାଲବାହୀ ଟ୍ରେନର କୌଣସି କ୍ଷତି ହୋଇନାହିଁ।

ଗୋଟିଏ ସିମେଣ୍ଟ ବ୍ଲକକୁ ଟ୍ରେନ୍ ଧକ୍କା ଦେଇଥିବା ବେଳେ ଆଉ କିଛି ଦୂରରୁ ସେହି ଟ୍ରାକରୁ ଆଉ ଗୋଟିଏ ସିମେଣ୍ଟ ବ୍ଲକ ମିଳିଥିଲା। ଏନେଇ ଆରପିଏଫ୍ ପକ୍ଷରୁ ଏତଲା ଦିଆଯାଇଛି। ଟ୍ରେନ୍ ଲାଇନଚ୍ୟୁତ ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଏ ସଂପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ। ଗତକାଲି କାନପୁର ରେଳ ଧାରଣାରୁ ମିଳିଥିଲା ଗ୍ୟାସ ସିଲିଣ୍ଡର। ଗ୍ୟାସ ସିଲିଣ୍ଡର ସହ ଟ୍ରାକ୍ ରୁ ଗନ୍ ପାଉଡର ମଧ୍ୟ ମିଳିଥିଲା। 

ବାରମ୍ବାର ଟ୍ରେନକୁ ଟାର୍ଗେଟ ପରେ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଛି। କାନପୁର କି ରାଜସ୍ଥାନର ଏହି ଘଟଣା ପ୍ରଥମ ନୁହେଁ। ଗତ ମାସରେ ମଧ୍ୟ କାନପୁରରେ ଲାଇନଚ୍ୟୁତ ହୋଇଥିଲା ସାବରମତି ଏକ୍ସପ୍ରେସର ୨୨ଟି ବଗି । ରେଳ ଧାରଣା ଉପରେ ରଖାଯାଇଥିବା କୌଣସି ବସ୍ତୁ ସହ ଧକ୍କା ହୋଇ ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା ବୋଲି ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । 

ଏହା ପୂର୍ବରୁ ରାଜସ୍ଥାନରେ ଟ୍ରାକ୍ ଉପରେ ସିମେଣ୍ଟ ବ୍ଲକ୍ ରଖାଯାଇଥିଲା। ୟୁପି ଆଲିଗଡ଼ରେ ଟ୍ରାକ୍ ଉପରେ ଥିଲା ଆଲୟ ହ୍ବିଲ୍। ଖାଲି ଏତିକି ନୁହେଁ, ବେଙ୍ଗଳୁରୁ କାଫେ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ୍ ତଥା ପାକିସ୍ତାନରେ ରହୁଥିବା ଆତଙ୍କୀ ଫରାତୁଲ୍ଲା ଘୋରି ଭିଡିଓ ଜାରି କରି ଭାରତରେ ଟ୍ରେନ ଲାଇନକୁ ଟାର୍ଗେଟ୍ କରିବା ପାଇଁ ସ୍ଲିପର ସେଲକୁ ନିର୍ଦ୍ଦେଶ ଦେଇଥିଲା। ଏବେ ରାଜସ୍ଥାନ ଓ କାନପୁରର ଘଟଣା ପରେ ସନ୍ଦେହ ଉପୁଜିଛି, ଏସବୁ ଗୋଟିଏ ସୂତାର ଖିଅ ନୁହେଁ ତ ? ଭାରତରେ ରେଳ ଦୁର୍ଘଟଣା ପାଇଁ ବିରାଟ ଷଡ଼ଯନ୍ତ୍ର ହେଉଛି କି ?