ଡର ପ୍ରସଙ୍ଗ
ଦୈନନ୍ଦିନ ଜୀବନରେ ଊଣାଅଧିକେ ଡର ରହୁଛି, ଆମ ସମସ୍ତଙ୍କ ଭିତରେ। ବସିଲେ ଡର,ଚାଲିଲେ ଡର, ପାଟି ଖୋଲିଲେ ଡର, ନୀରବ ରହିଲେ ଡର! ସୃଷ୍ଟିର ନିୟମ କହୁଛି, ଜୀବନ ସହଜ ସରଳ ସୁସଂଗତ ଢଙ୍ଗରେ ଗତିକରିବା କଥା। ଜୀବନକୁ କେନ୍ଦ୍ର କରି ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ଦ୍ୱାରା ପରିଚାଳିତ ହେବା କଥା। ଆଉ ଏଥିରେ ଯଦି ବ୍ୟତିକ୍ରମ ଘଟୁଛି, ତାହାହେଲେ ଡରର ସୂତ୍ରପାତ୍ର ହେଉଛି। ‘ବାପରାଣ ଢେଙ୍କିଗିଳ’ ନ୍ୟାୟରେ ବେଳେବେଳେ ଆମେ ଅନ୍ୟମାନଙ୍କ ଚାପ, […] The post ଡର ପ୍ରସଙ୍ଗ appeared first on Dharitri Odia News.
ଦୈନନ୍ଦିନ ଜୀବନରେ ଊଣାଅଧିକେ ଡର ରହୁଛି, ଆମ ସମସ୍ତଙ୍କ ଭିତରେ। ବସିଲେ ଡର,ଚାଲିଲେ ଡର, ପାଟି ଖୋଲିଲେ ଡର, ନୀରବ ରହିଲେ ଡର! ସୃଷ୍ଟିର ନିୟମ କହୁଛି, ଜୀବନ ସହଜ ସରଳ ସୁସଂଗତ ଢଙ୍ଗରେ ଗତିକରିବା କଥା। ଜୀବନକୁ କେନ୍ଦ୍ର କରି ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ଦ୍ୱାରା ପରିଚାଳିତ ହେବା କଥା। ଆଉ ଏଥିରେ ଯଦି ବ୍ୟତିକ୍ରମ ଘଟୁଛି, ତାହାହେଲେ ଡରର ସୂତ୍ରପାତ୍ର ହେଉଛି।
‘ବାପରାଣ ଢେଙ୍କିଗିଳ’ ନ୍ୟାୟରେ ବେଳେବେଳେ ଆମେ ଅନ୍ୟମାନଙ୍କ ଚାପ, ପ୍ରଭାବ, କ୍ଷମତା, ପଦବୀ, ପରାକ୍ରମର ଉତ୍ପୀଡ଼ନ ହେତୁ ଡରିବାକୁ ବାଧ୍ୟ ହେଉ। ନୀତି, ଆଦର୍ଶ, ମୂଲ୍ୟବୋଧକୁ ନେଇ ବର୍ତ୍ତମାନ ସମୟରେ ବଞ୍ଚିରହିବା ବଡ଼ କଷ୍ଟକର ବ୍ୟାପାର। ସେମିତି ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର, ଅସାଧୁ କାରବାର ବିରୋଧରେ ସ୍ବରୋତ୍ତୋଳନ କରିବା ମଧ୍ୟ ବଡ଼ ବିପଦ। ସଚ୍ଚା, ସତ୍ୟନିଷ୍ଠ, କର୍ମଠ, ନୀତିନିଷ୍ଠ ହେବା ଅର୍ଥ ଖଣ୍ଡାଧାରରେ ଚାଲିବା। ଆମେ ଯେଉଁ କ୍ଷେତ୍ରରେ ଥାଉ ନା କାହିଁକି,ଆମକୁ ବାଧ୍ୟ କରାଯାଉଛି, ଦୁର୍ନୀତିରେ ଲିପ୍ତ ହେବାକୁ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ, ଅନୀତିକର କାର୍ଯ୍ୟ କରିବାକୁ। ଯଦ୍ଦ୍ବାରା ମାନସିକ ଚାପର ବଶବର୍ତ୍ତୀ ହୋଇ ଡରର ବଳୟ ଭିତରେ ଆମେ ବନ୍ଦୀ ହୋଇଯାଉଛୁ।
ଘରେ ହେଉ କି ସମାଜରେ, କର୍ମକ୍ଷେତ୍ରରେ ହେଉ କି ସଉକ, ସାଧନା କ୍ଷେତ୍ରରେ, ସାଙ୍ଗସାଥୀ, ଆତ୍ମୀୟସ୍ବଜନ, ପ୍ରିୟପରିଜନ ଆଦି ସମ୍ପର୍କର କ୍ଷେତ୍ରରେ ହେଉ କି ଚର୍ଚ୍ଚା, ଆଲୋଚନା, ଗମାତ, ଗୁଲିଖଟିର କ୍ଷେତ୍ରରେ ହେଉ ଏବେ ସବୁଠି ପରିଲକ୍ଷିତ ହେଉଛି ତ୍ରୁଟି, ବିଚ୍ୟୁତି, ବିଲକ୍ଷଣ, ବିଶୃଙ୍ଖଳା, ବିରୋଧାଭାସ! ଅତଏବ ଏଇ ଦୃଷ୍ଟିରୁ କେହିନା କେହି ଅନ୍ୟମାନଙ୍କୁ ଡରାଉଛନ୍ତି ବା କେହିନା କେହି ଅନ୍ୟମାନଙ୍କୁ ଡରୁଛନ୍ତି। ଅଫିସରେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ନିଜ କର୍ତ୍ତବ୍ୟ ଶୃଙ୍ଖଳିତଭାବେ ସମ୍ପାଦନ କରୁଥିଲେ ମଧ୍ୟ ଅହଙ୍କାରୀ ପ୍ରକୃତିର ବସ୍ଙ୍କର କ୍ରୋଧ, ରୋଷର ଶିକାର ହୋଇ ଡରିଥାନ୍ତି। ଅପରପକ୍ଷେ, କର୍ମକୋଢ଼ି,ବେପରୁଆ,ଠକ କର୍ମଚାରୀମାନଙ୍କର ବୃଥା ବାହାଦୁରି, ବାହୁସ୍ଫୋଟରେ ଡରୁଛନ୍ତି ବସ୍!
ସବୁକ୍ଷେତ୍ରରେ ପ୍ରାୟ ଏମିତି ସଙ୍ଗିନ ପରିସ୍ଥିତି!
‘ତେଲିଆ ମୁଣ୍ଡରେ ତେଲ’, ‘ମନ୍ଦକବି ଯଶପ୍ରାର୍ଥୀ’,‘ଗାଲୁଆଙ୍କ ବାରବାଟି ଚାଷ’, ‘ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ’ର ଅସମାହିତ ଓ ଅଭାବନୀୟ ପରିଣତି!
‘ଆପଣା ହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ’ ନ୍ୟାୟରେ ଅନେକ କ୍ଷେତ୍ରରେ ଆମେ ନିଜେ ନିଜ ଡରର ସୃଜକ। ନିଜ ଇଚ୍ଛାରେ ବା ନିଜ ଜ୍ଞାତସାରରେ ଭୁଲ କାମ କରି ତା’ର ପରିଣାମ ପ୍ରତି ବେପରୁଆ ହୋଇଥାଉ। ଏହା ଆମର ଅପରିଣାମଦର୍ଶିତା। ଏଇ ଅପରିଣାମଦର୍ଶିତା ପରବର୍ତ୍ତୀ ସମୟରେ ଆମକୁ ବିପଦଗ୍ରସ୍ତ କରାଏ। ଆଉ ବିପଦଗ୍ରସ୍ତ ହେଲେ ନିଜଭିତରେ ଡର ଜାତ ହେବା ନିଶ୍ଚିତ।
କେତେକ କ୍ଷେତ୍ରରେ ଆମର କୌଣସି ଭୁଲ ନ ଥାଇ ଅକାରଣେ ଛନ୍ଦି ହୋଇଯାଉ ଡରର ଇନ୍ଦ୍ରଜାଲରେ। ସାହିର ଦାଦା ଆସି ଜୁଲମ କରିବେ, ”ହଇହୋ ବାବୁ, କ’ଣ ଆମକୁ ନୂଆ ଦେଖୁଛ? ପାଟିତୁଣ୍ଡ, ଯୁକ୍ତିତର୍କ ନ କରି ଚଟାପଟ ଚାନ୍ଦା ଦେଇଦିଅ। ନୋହିଲେ ସିଧା ଉପରକୁ ଉଠେଇଦେବୁ, ହାଁ !“ କୁଜିନେତା ଆସି କହିବେ, ”ଆମ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜିତାଅ। ନଚେତ୍ କଥା ଖରାପ ହେବ, ଘଟଣା ଦୁର୍ଘଟଣା ରୂପ ନେବ!“ ଭେଣ୍ଡା ପୁଅ ବୟସ୍କ ବାପାଙ୍କୁ ଧମକ ଦେଉଛି,”ମୋତେ ଟଙ୍କା ଦିଅ, ବିଜ୍ନେସ କରିବି, ବାଇକ କିଣିବି, ମସ୍ତି, ବୋବାଲ କରିବି। ନଚେତ୍ ଭଙ୍ଗାଭଙ୍ଗି କରି ସବୁ ଚୂରମାର୍ କରିଦେବି। “ ପତିଙ୍କୁ ପତ୍ନୀଙ୍କର ଚେତାବନୀ,”ବିନା ପ୍ରତିବାଦରେ ମୋର ଯାବତୀୟ ଫରମାସି ପୂରଣ କର, ନୋହିଲେ ପତ୍ନୀ ନିର୍ଯାତନା ମାମଲାରେ ତୁମକୁ ଫସେଇଦେବି!“ ବିପରୀତ କ୍ରମ ମଧ୍ୟ ସତ୍ୟ ହେଉଛି । ଅର୍ଥାତ୍ ପତିଙ୍କର ପତ୍ନୀଙ୍କୁ ମଧ୍ୟ ରହୁଛି ସେମିତି କିଛି ଧମକ ବା ଚେତାବନୀ। ଏମିତି ଡର ପ୍ରକ୍ରିୟା ସଚରାଚର ଚାଲିଛି। ତେଣୁ ଡରିବା ଏକ ସ୍ବାଭାବିକ ଆବେଗ। କୌଣସି କାରଣ ନ ଥାଇ ବି ହଠାତ୍ ଜଣେ ଡରିଯାଇପାରେ!
ଡରିବା ଆଜିର କନସେପ୍ଟ ବା ଧାରଣା ନୁହେଁ। ଇତିହାସ ହେଉ କି ପୁରାଣଶାସ୍ତ୍ର, ପ୍ରାୟ ସବୁଠି ପ୍ରମାଣ ରହିଛି; ସମ୍ରାଟ, ରାଜା, ବାଦଶାହ, ନବାବ, ସୁଲତାନମାନେ କେଉଁଠି ନା କେଉଁଠି କାହାକୁ ନା କାହାକୁ ଡରୁଥିଲେ। ପରାକ୍ରମୀ,ଦୁର୍ଦ୍ଧର୍ଷ, ଦିଗବିଜୟୀ, ଶତ୍ରୁହନ୍ତା ହୋଇ ବି ମୂଷା, ଚୁଚୁନ୍ଦ୍ରା, ବିଲେଇ, ଝିଟିପିଟି,ଅସରପା ପରି ଇତର ପ୍ରାଣୀକୁ ଦେଖି ମଧ୍ୟ ସେମାନେ ଡରି ଯାଉଥିଲେ। ତେଣୁ ଡରିବା ସାଧାରଣ କଥା, ସହଜାତ ପ୍ରବୃତ୍ତି। ଫରକ ଏତିକି ଯେ ପୂର୍ବରୁ ଡରର ଡରତ୍ୱ ଉପରେ କାହାରି ପ୍ରଶ୍ନ ଇ ନ ଥିଲା। ଡରର ସ୍ବତନ୍ତ୍ର ପଦମର୍ଯ୍ୟାଦା ଥିଲା। ନିଜର ଗୁରୁତ୍ୱକୁ ନେଇ ଗରୀୟାନ୍ ଥିଲା ଡର! ହେଲେ ଏବେ ପରା ଡରରେ ଯାବତୀୟ ଭେଜାଲ। ପୂର୍ବେ ଡର ଉତ୍ପନ୍ନ ହେବାମାତ୍ରେ ଯଥେଷ୍ଟ ସତର୍କତା ରହୁଥିଲା ନିଜଭିତରେ। ଡରର ଘେରଭିତରୁ ଖସିଯିବାର ପନ୍ଥା ବାହାର କରିବା ସମ୍ଭବ ହେଉଥିଲା। ହେଲେ ଏବେ ଡରର ସ୍ବରୂପ ସର୍ବବ୍ୟାପ୍ତ ଏବଂ ସମ୍ପୂର୍ଣ୍ଣ ବିନାଶକାରୀ! ପୂର୍ବେ ଉଭୟ ଡରିବା ଲୋକ ଆଉ ଡରାଇବା ଲୋକଙ୍କ ମଧ୍ୟରେ ସମ୍ପର୍କ ଠିକ୍ଠାକ୍ ରହୁଥିଲା। ତେଣୁ ଡରାଣ ପ୍ରକ୍ରିୟାରେ କୌଣସି ପ୍ରକାରର ଅନିୟମିତତା ପରିଲକ୍ଷିତ ହେଉ ନ ଥିଲା। ଅଥଚ ଏବେ ସବୁ ଓଲଟା! ଶିକ୍ଷକ ଡରୁଛନ୍ତି ଛାତ୍ରଙ୍କୁ, ଗୁରୁ ଡରୁଛନ୍ତି ଶିଷ୍ୟଙ୍କୁ, ମା’ବାପା ଡରୁଛନ୍ତି ପୁଅ ଝିଅଙ୍କୁ, ଜନତା ଡରୁଛନ୍ତି ନେତାଙ୍କୁ, ଜ୍ଞାନୀ ଅଜ୍ଞାନଙ୍କୁ, ଗଣତନ୍ତ୍ରପ୍ରେମୀ ଡରୁଛନ୍ତି ଅଗଣତାନ୍ତ୍ରିକ ତତ୍ତ୍ୱଙ୍କୁ, ପଣ୍ଡିତ ଡରୁଛନ୍ତି ମୂର୍ଖଙ୍କୁ, ସାଧୁ ଡରୁଛନ୍ତି ଖଳଙ୍କୁ, ସାହିତି୍ୟକ ଡରୁଛନ୍ତି ଅଣସାହିତି୍ୟକ ତଥା ଦଲାଲ ସଙ୍ଗଠକଙ୍କୁ!
ତେବେ ଡରିଯାଇ ପଛଘୁଞ୍ଚା ଦେବା, କାତର, କାକୁସ୍ଥ ହୋଇ ପରିସ୍ଥିତି କିମ୍ବା ପ୍ରତିପକ୍ଷ ପାଖରେ ଆତ୍ମସମର୍ପଣ କରିବା ଉଚିତ ନୁହେଁ। ଯେକୌଣସି ଆହ୍ବାନ,ସମସ୍ୟା, ପ୍ରତିବନ୍ଧକ,ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ସମୟରେ ପ୍ରଥମେ ତ ଡରିଯିବା ସ୍ବାଭାବିକ କଥା। ତା’ପରେ କିନ୍ତୁ ଶକ୍ତି, ସାହସ, ବୁଦ୍ଧି, ବିବେକ, ଜ୍ଞାନ, ଧୈର୍ଯ୍ୟର ସହ ସେସବୁକୁ ଦୃଢଭାବରେ ମୁକାବିଲା କରିବା ଉଚିତ। ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତରେ ଲେଖାଅଛି,‘ବୁଦ୍ଧି ବିବେକ ଜ୍ଞାନ ବଳେ। କିବା ଅସାଧ୍ୟ ମହୀତଳେ !’ କିଂ ଅଧିକଂ ?!
‘ଇନ୍ଦ୍ରଧନୁ’, ବୀମାବିହାର
ମର୍କତନଗର, କଟକ
ମୋ:୮୯୧୭୪୭୯୬୪୦
The post ଡର ପ୍ରସଙ୍ଗ appeared first on Dharitri Odia News.