ଡାକ୍ତରାଣୀ ବି ହେଲେ ଡିଜିଟାଲ୍‌ ଆରେଷ୍ଟ, ଠକିନେଲେ ୨୦ କୋଟି

ନୂଆଦିଲ୍ଲୀ ୨୯।୦୭: ଦେଶରେ ବଢୁଛି ଡିଜିଟାଲ୍‌ ଆରେଷ୍ଟ ମାମଲା । ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ । ଏବେ ଗୁଜରାଟର ଗାନ୍ଧୀନଗରରେ ଦେଶର ସବୁଠୁ ବଡ଼ ଡିଜିଟାଲ୍‌ ଆରେଷ୍ଟ ମାମଲା ସାମ୍ନାକୁ ଆସିଛି । ଠକଙ୍କ ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ନିକଟରୁ ସାଇବର ଠକମାନେ ୩ ମାସ ମଧ୍ୟରେ ପ୍ରାୟ ୨୦ କୋଟି ଠକି ନେଇଛନ୍ତି । ଠକମାନେ ତାଙ୍କୁ ଏପରି ଭୟଭୀତ କରିଥିଲେ ଯେ ସେମାନଙ୍କୁ ଟଙ୍କା ଦେବା ଲାଗି ଡାକ୍ତରାଣୀ ସୁନା ଋଣ ବି କରିଥିଲେ । ଏହି ମାମଲାରେ ପୁଲିସ ସୁରଟରୁ ଲାଲଜୀଭାଇ ବଲଦାନିୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବଲଦାନିୟାଙ୍କ ଖାତାକୁ ମଧ୍ୟ ଏକ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ସୂଚନା ଅନୁସାରେ ଗାନ୍ଧୀନଗରରେ ରହୁଥିବା ବରିଷ୍ଠ ଡାକ୍ତରାଣୀଙ୍କ ନିକଟକୁ ଚଳିତବର୍ଷ ମାର୍ଚ୍ଚ ମାସରେ ଦୂରସଞ୍ଚାର ବିଭାଗରୁ ଜ୍ୟୋତି ବିଶ୍ୱନାଥ ନାମକ ଜଣେ ବ୍ୟକ୍ତିଙ୍କର ଫୋନ୍‌ ଆସିଥିଲା । ଏହାପରେ ତାଙ୍କୁ ଜଣେ ପୁଲିସ ଇନ୍‌ସପେକ୍ଟର ଓ ଜଣେ ସରକାରୀ ଓକିଲଙ୍କ ସମେତ ଅନେକ ନାଁରୁ ଫୋନ୍‌ ଆସିଥିଲା । ଫୋନ୍‌ରେ ଡାକ୍ତରାଣୀଙ୍କୁ ଧମକ ଦିଆଯାଇଥିଲା । ତାଙ୍କ ମୋବାଇଲ୍‌ ନମ୍ବରରୁ ଅନେକ ଲୋକଙ୍କୁ ବାରମ୍ବାର ଅପମାନଜନକ ମେସେଜ୍‌ ପଠାଯାଉଥିବା ଦର୍ଶାଇ ତାଙ୍କ ବିରୋଧରେ ଏଫ୍‌ଆଇଆର କରାଯିବାର ଭୟ ଦେଖାଯାଇଥିଲା । କେବଳ ସେତିକି ନୁହେଁ ଧୀରେ ଧୀରେ ମହିଳାଙ୍କୁ ଅନେକ ସରକାରୀ ଏଜେନ୍ସି ନାମରେ ଧମକପୂର୍ଣ୍ଣ ଚିଠି

ଡାକ୍ତରାଣୀ ବି ହେଲେ ଡିଜିଟାଲ୍‌ ଆରେଷ୍ଟ, ଠକିନେଲେ ୨୦ କୋଟି

ନୂଆଦିଲ୍ଲୀ ୨୯।୦୭: ଦେଶରେ ବଢୁଛି ଡିଜିଟାଲ୍‌ ଆରେଷ୍ଟ ମାମଲା । ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ । ଏବେ ଗୁଜରାଟର ଗାନ୍ଧୀନଗରରେ ଦେଶର ସବୁଠୁ ବଡ଼ ଡିଜିଟାଲ୍‌ ଆରେଷ୍ଟ ମାମଲା ସାମ୍ନାକୁ ଆସିଛି । ଠକଙ୍କ ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ନିକଟରୁ ସାଇବର ଠକମାନେ ୩ ମାସ ମଧ୍ୟରେ ପ୍ରାୟ ୨୦ କୋଟି ଠକି ନେଇଛନ୍ତି । ଠକମାନେ ତାଙ୍କୁ ଏପରି ଭୟଭୀତ କରିଥିଲେ ଯେ ସେମାନଙ୍କୁ ଟଙ୍କା ଦେବା ଲାଗି ଡାକ୍ତରାଣୀ ସୁନା ଋଣ ବି କରିଥିଲେ । 

ଏହି ମାମଲାରେ ପୁଲିସ ସୁରଟରୁ ଲାଲଜୀଭାଇ ବଲଦାନିୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବଲଦାନିୟାଙ୍କ ଖାତାକୁ ମଧ୍ୟ ଏକ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ସୂଚନା ଅନୁସାରେ ଗାନ୍ଧୀନଗରରେ ରହୁଥିବା ବରିଷ୍ଠ ଡାକ୍ତରାଣୀଙ୍କ ନିକଟକୁ ଚଳିତବର୍ଷ ମାର୍ଚ୍ଚ ମାସରେ ଦୂରସଞ୍ଚାର ବିଭାଗରୁ ଜ୍ୟୋତି ବିଶ୍ୱନାଥ ନାମକ ଜଣେ ବ୍ୟକ୍ତିଙ୍କର ଫୋନ୍‌ ଆସିଥିଲା । 

ଏହାପରେ ତାଙ୍କୁ ଜଣେ ପୁଲିସ ଇନ୍‌ସପେକ୍ଟର ଓ ଜଣେ ସରକାରୀ ଓକିଲଙ୍କ ସମେତ ଅନେକ ନାଁରୁ ଫୋନ୍‌ ଆସିଥିଲା । ଫୋନ୍‌ରେ ଡାକ୍ତରାଣୀଙ୍କୁ ଧମକ ଦିଆଯାଇଥିଲା । ତାଙ୍କ ମୋବାଇଲ୍‌ ନମ୍ବରରୁ ଅନେକ ଲୋକଙ୍କୁ ବାରମ୍ବାର ଅପମାନଜନକ ମେସେଜ୍‌ ପଠାଯାଉଥିବା ଦର୍ଶାଇ ତାଙ୍କ ବିରୋଧରେ ଏଫ୍‌ଆଇଆର କରାଯିବାର ଭୟ ଦେଖାଯାଇଥିଲା । 

କେବଳ ସେତିକି ନୁହେଁ ଧୀରେ ଧୀରେ ମହିଳାଙ୍କୁ ଅନେକ ସରକାରୀ ଏଜେନ୍ସି ନାମରେ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ଦର୍ଶାଯାଇଥିଲା ଯେ, ସାଦା ପୋଷାକରେ ତାଙ୍କ ଘର ଆଖପାଖରେ ପୁଲିସକର୍ମୀ ବୁଲୁଛନ୍ତି । ତେଣୁ ଜେଲ୍‌ ଯିବାରୁ ରକ୍ଷା ପାଇବାକୁ ହେଲେ ନିଜର ସବୁ ସମ୍ପତ୍ତିର ବିବରଣୀ ଦେବାକୁ ହେବ । ଡରି ଯାଇ ଡାକ୍ତରାଣୀ ଠକଙ୍କୁ ତାଙ୍କ ପୂରା ସମ୍ପତ୍ତିର ତାଲିକା ଦେଇଥିଲେ । 

ସେ ଏତେ ଡରି ଯାଇଥିଲେ ଯେ ଯେଉଁସ୍ଥାନକୁ ଯାଉଥିଲେ ସେଠାରୁ ଭିଡିଓ କଲ୍‌ କରି ଠକଙ୍କୁ ତାଙ୍କ ଲୋକେସନ୍‌ ସେୟାର କରୁଥିଲେ । ଏହାପରେ ଠକମାନେ ମାମଲାକୁ ରଫାଦଫା କରିବା କଥା କହି ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୧୯ କୋଟି ୨୪ ଲକ୍ଷ ଟଙ୍କା ଠକି ନେଇଥିଲେ । ଡାକ୍ତରାଣୀ ସେମାନଙ୍କୁ ନିଜର ସଞ୍ଚିତ ସମସ୍ତ ଅର୍ଥ ସହିତ ଘରେ ଥିବା ସୁନା ବିକି ଟଙ୍କା ଦେଇଥିଲେ । ଏପରିକି ଠକଙ୍କୁ ଦେବା ଲାଗି ସେ ସୁନା ଋଣ ବି କରିଥିଲେ । 

ତେବେ କିଛି ଦିନ ପରେ ଅଚାନକ ଦିନେ ଡାକ୍ତରାଣୀଙ୍କୁ ଭିଡିଓ କଲ୍‌ କିମ୍ବା କୌଣସି ପ୍ରକାର କଲ୍‌ ଆସିବା ବନ୍ଦ ହୋଇଗଲା । ତାଙ୍କୁ ସନ୍ଦେହ ହେବାରୁ ସେ ବିଦେଶରେ ରହୁଥିବା ଦୁଇ ଝିଅଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାରୁ ସାଇବର ବିଭାଗରେ ମାମଲା ରୁଜୁ କରାଇଥିଲେ । ପ୍ରାଥମିକ ତଦନ୍ତରୁ ଏହି ମାମଲାରେ କାମ୍ବୋଡିଆ ଓ ଭାରତର ଏକ ଗ୍ୟାଙ୍ଗ୍‌ ସାମିଲ ଥିବା ସିଆଇଡି ଜାଣିବାକୁ ପାଇଛି ।