ଡିଜେଲରେ ମିଶିଥିଲା ପାଣି, ଅଚଳ ହୋଇଗଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କନଭୟର ୧୯ ଗାଡ଼ି

ପ୍ରଶାସନ ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରି ଘଟଣାର ତଦନ୍ତ କରୁଛି।

ଡିଜେଲରେ ମିଶିଥିଲା ପାଣି, ଅଚଳ ହୋଇଗଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କନଭୟର ୧୯ ଗାଡ଼ି

ଅପମିଶ୍ରିତ ଡିଜେଲ ଯୋଗୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କନଭୟର ୧୯ଟି ଗାଡ଼ି ଅଚଳ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ବିଳମ୍ବିତ ରାତିରେ ରତଲାମରେ ଘଟିଛି ଏହି ଘଟଣା। ଶୁକ୍ରବାର (ଆଜି) ରତଲାମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଏହି ୧୯ଟି ଗାଡ଼ି ଏଠାରେ ମୁଖ୍ୟମନ୍ତ୍ରୀଙ୍କ କନଭୟରେ ସାମିଲ ହେବାକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନେ ଇନ୍ଦୋରରୁ ଆସି ରତଲାମରେ ପହଞ୍ଚିବା ପରେ ତେଲ ଭର୍ତ୍ତି କରିବା ପାଇଁ ଏକ ପେଟ୍ରୋଲ ପମ୍ପରେ ଅଟକି ଥିଲେ। ସେଠାରେ ସବୁ ଗାଡ଼ିଗୁଡ଼ିକରେ ଡିଜେଲ ପୂରା ଯାଇଥିଲା। ତେବେ ତା’ପରେ ଗାଡ଼ିଗୁଡ଼ିକ ଅଚଳ ହୋଇଯାଇଥିଲା। କିଛି ଗାଡ଼ି ସେଠାରୁ ଯାଇ ରାସ୍ତା ଉପରେ ପହଞ୍ଚିବା ପରେ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଆଉ କିଛି ଗାଡ଼ି ସେହି ପେଟ୍ରୋଲ ପମ୍ପରେ ହିଁ ଅଚଳ ହୋଇଯାଇଥିଲେ। ସେଗୁଡ଼ିକୁ ସେଠାରୁ ଠେଲି ବାହାର କରାଯାଇଥିଲା।

ଡିଜେଲରେ ପାଣି ମିଶାଯାଇଥିବାରୁ ଏଭଳି ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରି ଦେଇଛି ପ୍ରଶାସନ।

ମୁଖ୍ୟମନ୍ତ୍ରୀଙ୍କ କନଭୟର ଜଣେ ଡ୍ରାଇଭର ଶୁଭମ ପରମାର କହିଛନ୍ତି, ଆମେ ଇନ୍ଦୋରରୁ ଆସିଥିଲୁ। ଏଠାରେ ଏକ ପେଟ୍ରୋଲ ପମ୍ପରେ ଡିଜେଲ ପକାଇଥିଲୁ। ଡିଜେଲ ପକାଇବା ପରେ ପ୍ରଥମ କେତୋଟି ଗାଡ଼ି ସେଠାରୁ ଚାଲି ଯାଇଥିଲେ। କିନ୍ତୁ ରାସ୍ତା ଉପରକୁ ଆସିବା ପରେ ସେଗୁଡ଼ିକର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଅନ୍ୟଗାଡ଼ିଗୁଡ଼ିକ ପେଟ୍ରୋଲ ପମ୍ପରେ ହିଁ ଅଚଳ ହୋଇଗଲେ। ଡିଜେଲ ପକାଇବା ପରେ ଆଉ ଷ୍ଟାର୍ଟ ହେଲା ନାହିଁ। ଆମେ ଯେତେବେଳେ ତେଲକୁ ଯାଞ୍ଚ କଲୁ ସେଥିରେ ପାଣି ମିଶିଥିବା ଜାଣିବାକୁ ପାଇଲୁ। ଏହା ପରେ ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦିଆଯାଇଥିଲା।

ସ୍ଥାନୀୟ ଅତିରିକ୍ତ ତହସିଲଦାର ଆଶିଷ ଉପାଧ୍ୟାୟ କହିଛନ୍ତି, ଏହି ଘଟଣାରେ ତଦନ୍ତ ଜାରି ରହିଛି। ପେଟ୍ରୋଲ ପମ୍ପଟିକୁ ସିଲ୍ କରି ଦିଆଯାଇଛି। ପେଟ୍ରୋଲ ପମ୍ପର ମାଲିକଙ୍କୁ ଧରିବାକୁ ଚେଷ୍ଟା କରୁଛୁ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ତହସିଲଦାର ପଚରାଉଚରା କରିଛନ୍ତି। ସେମାନେ ସନ୍ଦେହ କରୁଛନ୍ତି ଯେ ଡିଜେଲ ଟ୍ୟାଙ୍କଗୁଡ଼ିକରେ ବର୍ଷା ଜଳ ପଶିଯାଇଛି। ଫଳରେ ଡିଜେଲ ଅପମିଶ୍ରିତ ହୋଇଯାଇଛି।