ଡେବ୍ୟୁ କ୍ୟାପ୍ ଗ୍ରହଣ କରିବା ପରେ ମା'ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଆକାଶ ଦୀପ

ଡେବ୍ୟୁ ବା ପଦାର୍ପଣ ମ୍ୟାଚ୍‌ରେ ୩ଟି ଓ୍ବିକେଟ୍ ନେଇଛନ୍ତି ଆକାଶ ଦୀପ। ଦଳ ପାଇଁ ପ୍ରଥମ ୩ଟି ଓ୍ବିକେଟ୍ ସେ ନେଇଥିଲେ।

ଡେବ୍ୟୁ କ୍ୟାପ୍ ଗ୍ରହଣ କରିବା ପରେ ମା'ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଆକାଶ ଦୀପ

ଇଂଲଣ୍ଡ ବିପକ୍ଷରେ ଆଜିଠାରୁ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳୁଛି ଭାରତ। ରାଞ୍ଚିରେ ଏହି ମ୍ୟାଚ୍ ଖେଳା ଯାଉଥିବା ବେଳେ ଭାରତ ପକ୍ଷରୁ ଏଥିରେ ଡେବ୍ୟୁ କରିଛନ୍ତି ପେସର ଆକାଶ ଦୀପ। ସେ ହେଉଛନ୍ତି ଭାରତର ୩୧୩ତମ ଟେଷ୍ଟ କ୍ରିକେଟର।

ଆଜି ଟସ୍‌ ପଡ଼ିବା ପୂର୍ବରୁ ପଡ଼ିଆରେ ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡଙ୍କ ଠାରୁ ଆକାଶ ଦୀପ ଗ୍ରହଣ କରିଥିଲେ ତାଙ୍କର ପ୍ରଥମ ଟେଷ୍ଟ କ୍ୟାପ୍। ଏହା ପରେ ଭାବବିହ୍ବଳ ହୋଇଯାଇଥିଲେ ଆକାଶ ଦୀପ। କେବଳ ସେ ନୁହନ୍ତି, ସେତେବେଳେ ପଡ଼ିଆରେ ଛିଡ଼ା ହୋଇଥିବା ତାଙ୍କ ପରିବାର ଲୋକେ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିଲେ। ଆକାଶଙ୍କ ସ୍ବପ୍ନ ପୂରଣ ହୋଇଥିବାରୁ ସେହି ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ତାଙ୍କ ପରିବାର ଲୋକେ ଷ୍ଟାଡିୟମରେ ଉପସ୍ଥିତ ଥିଲେ।

ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡଙ୍କ ଠାରୁ କ୍ୟାପ୍ ଗ୍ରହଣ କରିବା ପରେ ଆକାଶ ଦୀପ ସିଧାସଳଖ ତାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲେ। ସେ ତାଙ୍କ ମା'ଙ୍କ ପାଦ ଛୁଇଁ ଆଶୀର୍ବାଦ ଲୋଡ଼ିଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଡେବ୍ୟୁ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି ଆକାଶ ଦୀପ। ସେ ୩ଟି ଓ୍ବିକେଟ୍ ନେଇଛନ୍ତି। ଦଳ ପାଇଁ ପ୍ରଥମ ଓ୍ବିକେଟ୍ ସେ ନେଇଥିଲେ। ୧୦ମ ଓଭରରେ ୧୧ ରନ୍ କରି ଆଉଟ୍ ହୋଇଥିଲେ ବେନ୍ ଡକେଟ୍‌। ଆକାଶଙ୍କ ବଲ୍‌ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା'ପରେ ଓଲି ପପ୍‌ଙ୍କୁ ଶୂନରେ ବିଦା କରିଥିଲେ ଆକାଶ ଦୀପ। ସେହି ୧୦ମ ଓଭରରେ ହିଁ ଆଉଟ୍ ହୋଇଥିଲେ ଓଲି ପପ୍‌। ଦ୍ବାଦଶ ଓଭରରେ ଜ୍ୟାକ୍‌ କ୍ରଉଲୀଙ୍କୁ ଆଉଟ୍ କରି ତୃତୀୟ ଓ୍ବିକେଟ୍ ହାସଲ କରିଥିଲେ ଆକାଶ ଦୀପ। ତାଙ୍କର ଶାଣିତ ବୋଲିଂ ଯୋଗୁ ଇଂଲଣ୍ଡ ୫୭ ରନ୍‌ରେ ତା'ର ଟପ୍ ୩ ବ୍ୟାଟରଙ୍କୁ ହରାଇଥିଲା।

ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୭ ଓ୍ବିକେଟ୍ ହରାଇ ୩୦୨ ରନ୍ କରିଛି। ୧୧୨ ରନ୍‌ରେ ଦଳ ୫ଟି ଓ୍ବିକେଟ୍ ହରାଇଥିଲେ ହେଁ ଜୋ ରୁଟ୍ ଅପରାଜିତ ରହିବାରୁ ଦଳର ସ୍କୋର ଭଲ ସ୍ଥିତିରେ ପହଞ୍ଚି ପାରିଥିଲା। ସେ ୨୨୬ ବଲ୍‌ରୁ ୯ଟି ଚୌକା ସହାୟତାରେ ୧୦୬ ରନ୍ କରି ଅପରାଜିତ ରହିଛନ୍ତି। ତାଙ୍କୁ ସାଥ୍ ଦେଇଥିଲେ ବେନ୍ ଫୋକ୍‌ସ। ସେ କମ୍ ରନ୍‌ ରହିଥିଲେ ହେଁ ବହୁତ ସମୟ କ୍ରିଜ୍‌ରେ ରହିଥିଲେ। ସେ ୧୨୬ଟି ବଲ୍‌ରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଦିନ ଶେଷ ଆଡ଼କୁ ଓଲି ରବିନସନ ଭଲ ଖେଳିଥିଲେ। ସେ ୬୦ଟି ବଲ୍‌ରୁ ୩୦ ରନ୍ କରି ଅପରାଜିତ ରହିଛନ୍ତି। ରୁଟ୍ ଓ ଓଲି ରବିନ୍‌ସନ ଆସନ୍ତାକାଲି ଦଳର ଇନିଂସକୁ ଆଗେଇ ନେବେ।