ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା,୧୫ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଡିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳି ଚାଲିଛି। ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡି ନଦୀବନ୍ଧ ପଥରପ୍ୟାକିଂ ହୋଇଥିଲେ ମଧ୍ୟ ଶୋଚନୀୟ ଅବସ୍ଥାରେ ଅଛି। କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ। ଜିଲାର […] The post ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ appeared first on Dharitri Odia News.

ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା,୧୫ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଡିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳି ଚାଲିଛି। ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡି ନଦୀବନ୍ଧ ପଥରପ୍ୟାକିଂ ହୋଇଥିଲେ ମଧ୍ୟ ଶୋଚନୀୟ ଅବସ୍ଥାରେ ଅଛି। କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ। ଜିଲାର ୭ ନଦୀ ଓ ୨୭ ଶାଖା କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବନ୍ୟାରେ ଚାଷ ନଷ୍ଟ ହେଉଛି। ନଦୀ ବନ୍ୟାଜଳ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ଟି ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ପ୍ରଶାସନ ପକ୍ଷରୁ ଏହି ନଦୀବନ୍ଧକୁ ବର୍ଷାଦିନେ ମରାମତି କରାଯାଉଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରୁଛନ୍ତି। ତଟବନ୍ଧ ପଥରପ୍ୟାକିଂ ନ ଥିବାରୁ ସମୁଦ୍ର ମାଡ଼ି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି। ମେ’ ମାସ ସୁଦ୍ଧା ସମସ୍ତ ନଦୀ, କେନାଲ ବନ୍ଧ ମରାମତି କାର୍ଯ୍ୟ ସାରିବା ଓ ସମୁଦ୍ରରେ ପଡିଥିବା ୭ ନଦୀକୁ ଏକ ବୃହତ୍‌ କେନାଲ ମାଧ୍ୟମରେ ସଂଯୋଗୀକରଣ କରି ବନୀକରଣକୁ ଗୁରୁତ୍ୱ ଦିଆଯିବାକୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଜଳ ସମ୍ପଦ ବିଭାଗର ଦୁଇ ଡିଭିଜନ ସହିତ ଆଳି ତଟବନ୍ଧ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି। ସେହିପରି ଜିଲାର ଶେଷ ମୁଣ୍ଡରେ ଥିବା ୪୮ କିଲୋମିଟର ଲମ୍ବର ସମୁଦ୍ର ତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଏହାସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ସେହିପରି ପ୍ରତିବର୍ଷ ବନ୍ୟା ଭୟରେ ୫୫ଟି ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ବର୍ଷାଦିନକୁ ଛାଡ଼ି ଅନ୍ୟ ଋତୁରେ କାର୍ଯ୍ୟ ହୋଇପାରନ୍ତା। ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ଚିହ୍ନିତ ନଦୀବନ୍ଧରେ ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି। ଯୋଜନାର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ। ଏବେଠାରୁ ବନ୍ୟା ପ୍ରପୀଡିତ ଅଞ୍ଚଳକୁ ଚିହ୍ନଟୀକରଣ ସହ ଆସନ୍ତା ମେ’ ମାସ ସୁଦ୍ଧା ବନ୍ଧ ସୁଦୃଢ଼ୀକରଣ ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକନ୍ତ ମହାନ୍ତି ଓ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ନଦୀ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ସମୁଦ୍ର ମୁହାଣ ପୋତି ହେଉଛି। ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ। ଏହା ବ୍ୟତୀତ ଜାନୁଆରୀଠାରୁ ନଦୀଗୁଡ଼ିକ ଶୁଖିବା ଆରମ୍ଭ ହେଲାଣି। ଫଳରେ ସ୍ଥାନୀୟ ଚାଷ ସହିତ ହେନ୍ତାଳବଣ ନଷ୍ଟ ହେଉଛି। ହେନ୍ତାଳବଣ ନଷ୍ଟ ଫଳରେ ତଟକ୍ଷୟ ଏକ ବଡ଼ ସମସ୍ୟା ହୋଇଛି। ୨୦୨୦ ମସିହାରେ ରାଜନଗର ବ୍ଲକର ସାତଭାୟାବାସୀ ୧୫ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ଜିଓ ସିନ୍ଥେଟିକ ଟ୍ୟୁବ୍‌ୱାଲ ଜୁଆର ମାଡ଼କୁ ସହି ପାରୁନାହିଁ। ଏଥିପାଇଁ ସମୁଦ୍ରର ୧୫ କିଲୋମିଟର ଦୂରରେ ନଦୀର ଶେଷମୁଣ୍ଡକୁ ଯୋଡି ତଟାଞ୍ଚଳରେ ଏକ ବୃହତ୍‌ କେନାଲ ଖୋଳାଯିବା ଆବଶ୍ୟକ ହୋଇଛି। ଏହାଦ୍ୱାରା ଖରାଦିନେ ଆବଶ୍ୟକ ପରିମାଣର କ୍ଷେତ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ଛଡ଼ା ଯାଇପାରିବ। ସେହିପରି ନଦୀ, କେନାଲରେ ବ୍ୟାରେଜ ଓ କ୍ରିକ ବନ୍ଧ ପାଇଁ ସେମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଜିଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଚଳିତବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି। ଖରାଦିନ ମଧ୍ୟରେ ଏହାର ମରାମତି ହୋଇଯିବ। ୭ ନଦୀ ସଂଯୋଗୀକରଣ ସମ୍ପର୍କରେ ଅଦ୍ୟାବଧି କୌଣସି ପ୍ରସ୍ତାବ ନାହିଁ। ସ୍ଥାନ ଚିହ୍ନଟ, ଲୋକଙ୍କ ବିସ୍ଥାପନ, ପରିବେଶ ଓ ପରିସ୍ଥିତି ଅନୁଧ୍ୟାନ ପରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଛନ୍ତି।

The post ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ appeared first on Dharitri Odia News.