ତାମିଲନାଡ଼ୁ ବିଜେପିରେ ମତାନ୍ତର, ଦୁଇ ପାର୍ଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟରୁ ବହିଷ୍କାର

ତାମିଲନାଡ଼ୁ ବିଜେପି ସଭାପତି କେ ଆନ୍ନାମଲାଇ ଏବଂ ବରିଷ୍ଠ ନେତା ତାମିଲସାଇ ସୁନ୍ଦରାଜନଙ୍କୁ ସମାଲୋଚନା କରିଥିବା ଅଭିଯୋଗ।

ତାମିଲନାଡ଼ୁ ବିଜେପିରେ ମତାନ୍ତର, ଦୁଇ ପାର୍ଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟରୁ ବହିଷ୍କାର

ତାମିଲନାଡ଼ୁ ବିଜେପିର ଦୁଇ ଜଣ ପାର୍ଟି କର୍ମକର୍ତ୍ତାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ପାର୍ଟିର ଦୁଇ କର୍ମୀଙ୍କୁ ଦାୟିତ୍ୱରୁ ହଟାଇବା ସହ ଦଳରୁ ମଧ୍ୟ ବହିଷ୍କାର କରାଯାଇଛି। ଦଳର ରାଜ୍ୟ ସଭାପତି କେ ଆନ୍ନାମଲାଇ ଏବଂ ବରିଷ୍ଠ ନେତା ତାମିଲସାଇ ସୁନ୍ଦରାଜନଙ୍କୁ ଖୋଲାଖୋଲି ସମାଲୋଚନା କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ତାମିଲନାଡୁ଼ ବିଜେପିର ଇଣ୍ଟେଲେକଚୁଆଲ ୱିଙ୍ଗର ସଦସ୍ୟ ଥିବା କଲ୍ୟାଣ ରମଣଙ୍କୁ ଦଳର ସମସ୍ତ ପଦବୀରୁ ବାହାର କରାଯିବା ସହ ତାଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। 

ସେହିଭଳି ବିଜେପି ଓବିସି ୱିଙ୍ଗର ସାଧାରଣ ସମ୍ପାଦକ ତ୍ରିଚି ସୁରିଆଙ୍କୁ ଦଳର ସମସ୍ତ ଦାୟିତ୍ୱରୁ ବହିଷ୍କାର କରାଯାଇଛି। ଏହି ଦୁଇ କର୍ମୀଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି। ଏହି ଦୁଇ ନେତା ଦଳର ନୀତି ଆଦର୍ଶ ଓ ଶୃଙ୍ଖଳାକୁ ଉଲ୍ଲଂଘନ କରିଥିବା ବିଜେପି ପକ୍ଷରୁ କୁହାଯାଇଛି। 

ପ୍ରକାଶ ଥାଉକି, ଲୋକସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ଫଳାଫଳ ପାଇଁ କଲ୍ୟାଣ ରମଣ କେ ଅନ୍ନାମଲାଇଙ୍କ ନେତୃତ୍ୱ ଏବଂ ତାଙ୍କ ରଣକୌଶଳକୁ କଡ଼ା ସମାଲୋଚନା କରିଥିଲେ। ସେ ଖୋଲାଖୋଲି ଭାବରେ ଅନ୍ନାମଲାଇଙ୍କ କାର୍ଯ୍ୟ ଶୈଳୀ ଏବଂ ନିଷ୍ପତ୍ତି ନେବା ଉପରେ ପ୍ରଶ୍ନ କରିଥିଲେ।

ବିଜେପି କହିଛି ଯେ, କଲ୍ୟାଣ ରମଣ ଉପଯୁକ୍ତ ପ୍ରମାଣ ବିନା ରାଜ୍ୟ ନେତୃତ୍ୱ ତଥା ଦଳୀୟ କର୍ମୀଙ୍କ ବିଷୟରେ ସୋଶାଲ ମିଡିଆରେ ଅପବାଦ ପ୍ରଚାର କରିଛନ୍ତି। ସେହିପରି ତ୍ରିଚି ସୁରିଆ ତାଙ୍କର କିଛି ସାକ୍ଷାତକାରରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ବିଜେପିର ବରିଷ୍ଠ ନେତା ତାମିଲାଇସାଇ ସୁନ୍ଦରାଜନଙ୍କୁ ସମାଲୋଚନା କରିବା ଭଳି।