ତାମିଲନାଡୁରେ ଟ୍ରେନ ଦୁର୍ଘଟଣା: ଅନ୍ତର୍ଘାତୀ ନା ଆଉ କିଛି? ଅଧିକାରୀ ଦେଲେ ଉତ୍ତର

ଏକ୍ସପ୍ରେସ ଟ୍ରେନର ୧୨ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହ ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୯ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

ତାମିଲନାଡୁରେ ଟ୍ରେନ ଦୁର୍ଘଟଣା: ଅନ୍ତର୍ଘାତୀ ନା ଆଉ କିଛି? ଅଧିକାରୀ ଦେଲେ ଉତ୍ତର

ଶୁକ୍ରବାର ତାମିଲନାଡୁର ତିରୁଭାଲ୍ଲର ଜିଲ୍ଲାରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିଲା। ଘଣ୍ଟା ପ୍ରତି ୭୫ କିମି ବେଗରେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଥିବା ଗୋଟିଏ ମାଲବାହୀ ଟ୍ରେନକୁ ପଛ ପଟୁ ଧକ୍କା ଦେଇଥିଲେ।

ଏଥିଯୋଗୁ ଏକ୍ସପ୍ରେସ ଟ୍ରେନର ୧୨ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହ ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୯ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

ତେବେ ରେଳ ଧାରଣାରେ କାହିଁକି ଏପରି ଘଟଣା ଘଟିଲା? ଟ୍ରେନ ଦୁର୍ଘଟଣା ପଛରେ କିଛି ଅନ୍ତର୍ଘାତୀ କାରଣ ରହିଛି କି? ଜାଣୁଶୁଣି ଟ୍ରେନ ଦୁର୍ଘଟଣା କରାଯାଇ ନାହିଁ ତ? ଏପରି ଅନେକ ପ୍ରଶ୍ନ ଭିତରେ ଟ୍ରେନ ଦୁର୍ଘଟଣାର ପ୍ରାରମ୍ଭିକ କାରଣ ସମ୍ପର୍କରେ ଦକ୍ଷିଣ ରେଳବାଇର ଜେନେରାଲ ମ୍ୟାନେଜର ଆରଏନ ସିଂହ। ସିଗ୍ନାଲ ଓ ରୁଟରେ ପାର୍ଥକ୍ୟ ରହିବାରୁ ଏପରି ଦୁର୍ଘଟଣା ଘଟିଥିବା ଶ୍ରୀ ସିଂହ କହିଛନ୍ତି।

ତାଙ୍କ କହିବା କଥା ଯେ ଯାତ୍ରିବାହୀ ଏକ୍ସପ୍ରେସ ଟ୍ରେନଟି ମୁଖ୍ୟ ଲାଇନରେ ଆଗକୁ ଯିବା କଥା। କିନ୍ତୁ କିଛି ତ୍ରୁଟି ଘଟିଥିଲା। ଟ୍ରେନଟି ଅତ୍ୟନ୍ତ ବିପଦଜନକ ଭାବେ ମାଲଗାଡ଼ି ରହିଥିବା ଟ୍ରାକ୍‌କୁ ଚାଲି ଯାଇଥିଲା। ମୁଖ୍ୟ ଲାଇନରେ ଯିବାକୁ ଟ୍ରେନକୁ ସିଗ୍ନାଲ ମିଳିଥିଲା। ହେଲେ ଟ୍ରାକ୍‌ରେ କିଛି ତ୍ରୁଟି ହେବାରୁ ଏହା ଟ୍ରେନ୍‌କୁ ଲୁପ ଲାଇନକୁ ନେଇ ଯାଇଥିଲା।

ଟ୍ରେନଟି ଗୁଡୁର(ଆନ୍ଧ୍ର ପ୍ରଦେଶ) ଯାଉଥିଲା। ଏହା ଥିରୁଭାଲ୍ଲୁରର କବରାଇପେଟ୍ଟାଇ ରେଳ ଷ୍ଟେସନରେ ଅଟକି ଥିଲା। ଏଠାରୁ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟ ଲୁପ ଲାଇନରେ ଗୁଡୁର ଯିବାର ଥିଲା।

ଏକ୍ସପ୍ରେସ ଟ୍ରେନକୁ ପ୍ରାଥମିକତା ଦିଅଯାଇ, ତା’କୁ ମେନ ଲାଇନରେ ଛଡ଼ା ଯାଇଥିଲା। ମେନ ଲାଇନ ପାଇଁ ସିଗ୍ନାଲ ଥିଲା। ହେଲେ କୌଣସି କାରଣରୁ ଟ୍ରେନଟି ଲୁପ ଲାଇନରେ ପ୍ରବେଶ କରିଥିଲା ଓ ସେଠାରେ ପୂର୍ବରୁ ରହିଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୁପ ଲାଇନରେ ପ୍ରବେଶ କରିବା ପୂର୍ବରୁ ଟ୍ରେନକୁ ଜୋରରେ ଗୋଟିଏ ଝଟକା ଲାଗିଥିଲା। ଏହା ଦୋହଲି ଯାଇଥିଲା। ଏସବୁ ସତ୍ତ୍ୱେ ଦୁର୍ଘଟଣା ପଛର କାରଣ କଥା ରେଳ ସୁରକ୍ଷା କମିଶନର ଯାଞ୍ଚ ପରେ କହିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।