ତିନି ଛୁଆଙ୍କୁ ମାରି ବାପାମା’ଙ୍କ ଆତ୍ମହତ୍ୟା!

ବିପୁଲ ଓ ସୋନାଲ ପ୍ରଥମେ ସେମାନଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ତେବେ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।

ତିନି ଛୁଆଙ୍କୁ ମାରି ବାପାମା’ଙ୍କ ଆତ୍ମହତ୍ୟା!

ଏକ ଦମ୍ପତି ସେମାନଙ୍କ ତିନି ଛୁଆ (ଦୁଇ ଝିଅ ଓ ଗୋଟିଏ ପୁଅ)ଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଗୁଜରାଟର ଅହମଦାବାଦର ବଗୋଦରାରେ।

ମୃତକମାନେ ହେଉଛନ୍ତି ବିପୁଲ ବାଘେଲା (୩୨), ତାଙ୍କ ପତ୍ନୀ ସୋନାଲ ବାଘେଲା (୨୬) ଓ ସେମାନଙ୍କର ତିନି ଛୁଆ- କରୀନା (୧୧), ମୟୂର (୮) ଓ ପ୍ରିନ୍ସୀ (୫)।

ବିପୁଲଙ୍କ ନିଜ ଘର ଢୋଲକାରେ। ବଗୋଦରାରେ ସେ ଘର ଭଡ଼ା ନେଇ ପରିବାର ସହିତ ରହୁଥିଲେ। ତାଙ୍କର ଜଣେ ସଂପର୍କୀୟ କହିଛନ୍ତି ଯେ ସେ ଋଣ ନେଇ ଏକ ଅଟୋ ରିକ୍ସା କୀଣିଥିଲେ। କିନ୍ତୁ ଇଏମ୍‌ଆଇ ଦେଇପାରୁ ନଥିଲେ। ସେଥିପାଇଁ ସେ ଖୁବ୍ ମାନସିକ ଚାପରେ ରହୁଥିଲେ। ହୋଇପାରେ ଏହି ସମସ୍ୟା ପାଇଁ ସେ ଏମିତି ଏକ ବଡ଼ ପଦକ୍ଷେପ ନେଇଥାଇପାରନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ବିପୁଲ ଓ ତାଙ୍କ ପରିବାରର ୫ ଜଣ ଲୋକ ଆତ୍ମହତ୍ୟା କରିଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଆମେ ଖବର ପାଇଥିଲୁ। ପୁଲିସ ସେଠାରେ ପହଞ୍ଚିବା ପରେ ୫ଟି ମୃତଦେହ ପାଇଥିଲା। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ଶବ ବ୍ୟବଚ୍ଛେଦ ଶେଷ ହୋଇଯାଇଛି। ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁ କେମିତି ହୋଇଛି, ତାହା ସ୍ପଷ୍ଟ ହୋଇଯିବ। ଆମେ ଏବେ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛୁ। ତାଙ୍କ ଆର୍ଥିକ ଅବସ୍ଥାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିପୁଲ ଓ ସୋନାଲ ପ୍ରଥମେ ସେମାନଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ତେବେ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।