ତେଜିଲା ଚାଷୀ ଆନ୍ଦୋଳନ, ପଞ୍ଜାବ-ହରିୟାଣା ସୀମାରେ ଭୟଙ୍କର ସଂଘର୍ଷ
ନୂଆଦିଲ୍ଲୀ: ୨୦୦ କୃଷକ ସଂଗଠନ ଏବଂ ପଡ଼ୋଶୀ ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ମଙ୍ଗଳବାର ସକାଳେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟରେଣ୍ଟି ଆଇନ ଓ ଅନ୍ୟାନ୍ୟ ଦାବି ନେଇ ‘ଦିଲ୍ଲୀ ଚଲୋ’ ଅଭିଯାନରେ ପଞ୍ଜାବରୁ ବାହାରିଥିବା ହଜାର ହଜାର ଚାଷୀ ଆଜି ହରିୟାଣା ସୀମା ସ୍ଥିତ ଶମ୍ଭୁ ଛକ ନିକରେ ପୁଲିସ ବାହିନୀ ସହ ମୁହାଁମୁହିଁ ହୋଇଛନ୍ତି। ପଦଯାତ୍ରା ପାଇଁ […]

ନୂଆଦିଲ୍ଲୀ: ୨୦୦ କୃଷକ ସଂଗଠନ ଏବଂ ପଡ଼ୋଶୀ ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ମଙ୍ଗଳବାର ସକାଳେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟରେଣ୍ଟି ଆଇନ ଓ ଅନ୍ୟାନ୍ୟ ଦାବି ନେଇ ‘ଦିଲ୍ଲୀ ଚଲୋ’ ଅଭିଯାନରେ ପଞ୍ଜାବରୁ ବାହାରିଥିବା ହଜାର ହଜାର ଚାଷୀ ଆଜି ହରିୟାଣା ସୀମା ସ୍ଥିତ ଶମ୍ଭୁ ଛକ ନିକରେ ପୁଲିସ ବାହିନୀ ସହ ମୁହାଁମୁହିଁ ହୋଇଛନ୍ତି। ପଦଯାତ୍ରା ପାଇଁ ବାହାରିଥିବା ଚାଷୀମାନେ ହରିୟାଣା ସୀମାରେ ପୁଲିସ ଅବରୋଧକୁ ବଳପୂର୍ବକ ହଟାଇବା ପାଇଁ ଚେଷ୍ଟା କରିବାରୁ ତୁମୁଳ କାଣ୍ଡ ହୋଇଛି । ଚାଷୀମାନେ ଏକ ବ୍ରିଜ୍କୁ ଧ୍ବସ୍ତ କରିଦେଇଛନ୍ତି । ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗିବାବେଳେ ପୁଲିସ ବାହିନୀ ଏହାର କଡ଼ା ମୁକାବଲା କରିଥିଲା। ଆନ୍ଦୋଳନରତ କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ଼ କରାଯଇଥିଲା। ଆନ୍ଦୋଳନକାରୀମାନେ ମଧ୍ୟ ପୁଲିସ ଉପରେ ସେମାନେ ପଥର ବର୍ଷା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଦିଲ୍ଲୀରେ କୌଣସି ଜଟିଳ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ରୋକିବା ପାଇଁ ପଞ୍ଜାବ-ହରିୟାଣା ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଶମ୍ଭୁ ଛକରେ ଟ୍ରାକ୍ଟର ଦ୍ବାରା ବଳପୂର୍ବକ ଅବରୋଧ ହଟାଇବାକୁ ଆନ୍ଦୋଳନକାରୀମାନେ ପ୍ରୟାସ କରିବାରୁ ପୁଲିସ ବାହିନୀ ଡ୍ରୋନ୍ ଦ୍ବାରା ଟିୟର୍ ଗ୍ୟାସ୍ ସେଲ୍ ଓ ଧୂଆଁ ବୋମା ପ୍ରୟୋଗ କରିଥିଲା। ଏହାପରେ ଆନ୍ଦୋଳନକାରୀମାନେ ଏକ ବ୍ରିଜ୍କୁ ନଷ୍ଟ କରିବା ଆରମ୍ଭ କରିବା ସହ ପୁଲିସ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ଦୁଇ ଡଜନରୁ ଅଧିକ ରବର ବୁଲେଟ୍ ମାଡ଼ କରାଯାଇଛି। ପୁଲିସ ଏବଂ-ଆନ୍ଦୋଳନକାରୀ ସଂଘର୍ଷରେ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି।