ତୈଳ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯୫ ଜଣଙ୍କ ଜୀବନ

ବର୍ତ୍ତମାନ ସୁଦ୍ଧା ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତୈଳ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯୫ ଜଣଙ୍କ ଜୀବନ

ତୈଳ ଟ୍ୟାଙ୍କରରେ ହୋଇଛି ଭୟଙ୍କର ବିସ୍ଫୋରଣ। ରାସ୍ତାରେ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓଲଟି ପଡ଼ିବା ପରେ ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ନାଇଜେରିଆର ମାଜିୟା ଗାଁରେ ଏତେ ବଡ଼ ଘଟଣା ଘଟିଛି। ତୈଳ ବୋଝେଇ ଟ୍ୟାଙ୍କର ଡ୍ରାଇଭର ଗାଡ଼ିକୁ ପୋରଥାରକୋର୍ଟରୁ ୟୋବେ ରାଜ୍ୟର ନଗୁରୁକୁ ନେଇ ଯାଇଥିଲେ। ତେବେ ସେ ବାଟ ବାଉଳା ହୋଇ ତାଉରା ଅଧୀନ ମାଜିୟା ଗାଁରେ ପହଞ୍ଚି ଯାଇଥିଲେ। ରାତି ୧୨.୩୦ରେ ସେ ଗାଁରେ ପହଞ୍ଚିବା ପରେ କେଉଁ ଆଡ଼େ ଯିବେ ଜାଣି ପାରି ନଥିଲେ।

ସେ ଆଗକୁ ଯାଉଥିବା ବେଳେ ହଠାତ୍‌ ଗାଡ଼ିଟି ଗାଁ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ତୈଲ ବୋଝେଇ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହି ବିସ୍ଫୋରଣରେ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫୦ ଜଣ ଆହତ ହୋଇଥିବା ଜିଗାୱା ପୁଲିସ ନିଶ୍ଚିତ କରିଛି। ପୁଲିସ୍‌ର କହିବା କଥା ଯେ ଗାଡ଼ିଟି ଓଲଟି ପଡ଼ିବା ପରେ ଟ୍ୟାଙ୍କରରେ ଥିବା ପେଟ୍ରୋଲ ଗାଁ ଭିତରେ ବହିବାରେ ଲାଗିଥିଲା। ଗାଁ ରାସ୍ତା ଠାରୁ ଆରମ୍ଭ କରି ଗଟର ଓ ଡ୍ରେନରେ ତେଲ ସବୁ ଭର୍ତ୍ତି ହୋଇଥିଲା।

ଗାଁ ଲୋକମାନେ ଏହା ଦେଖି ତେଲ ବୋହିବା ଆରମ୍ଭ କରି ଦେଇଥିଲେ। ତେଲ ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ହଠାତ ନିଆଁ ଲାଗିଯାଇଥିଲା। ଚାରିଆଡ଼େ ତେଲ ପଡ଼ିଥିବାରୁ ନିଆଁ ଆଖି ପିଛୁଳାକେ ବ୍ୟାପିଯିବା ସହ ବିସ୍ଫୋରଣ ହୋଇଥିଲା।