ଥମି ନଥିଲା ରାଗ, ହସ୍‌ପିଟାଲ୍‌ ବେଡ୍‌ରେ ସ୍ତ୍ରୀଙ୍କୁ ମାରିଦେଲେ ସ୍ୱାମୀ

ବିଶୃତ ହତ୍ୟା କରି ହସ୍‌ପିଟାଲରୁ ଫେରାର ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସହିତ ହସ୍‌ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଥମି ନଥିଲା ରାଗ, ହସ୍‌ପିଟାଲ୍‌ ବେଡ୍‌ରେ ସ୍ତ୍ରୀଙ୍କୁ ମାରିଦେଲେ ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି। ହସ୍‌ପିଟାଲ୍‌ ବେଡ୍‌ରେ ସ୍ତ୍ରୀକୁ ଛୁରୀରେ ଭୁଷି ମାରି ଦେଲେ ସ୍ୱାମୀ। ଘଟଣାଟି ଘଟିଛି ତାମିଲନାଡୁର କରୁର ଜିଲ୍ଲାରେ।

ମୃତ ମହିଳାଙ୍କ ନାଁ ଶ୍ରୁତି (୨୭)। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ବିଶୃତ। ସେମାନଙ୍କ ଘର ପଟ୍ଟବର୍ତୀରେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି।

ଶନିବାର (ଗତକାଲି) ଶ୍ରୁତି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା ଓ ଶ୍ରୁତି ଆହତ ହୋଇଥିଲେ। ତେଣୁ ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶ୍ରୁତି ଡାକ୍ତରଖାନାରେ ଥିବା ବେଳେ ଆଜି ସକାଳେ ତାଙ୍କ ସ୍ୱାମୀ ସେଠାକୁ ଆସିଥିଲେ। ଶ୍ରୁତି ହସ୍‌ପିଟାଲ ବେଡ୍‌ରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଝୁରୀରେ ଭୁଷି ଦେଇଥିଲେ। ବିଶୃତ ତାଙ୍କୁ ଛୁରୀରେ ତିନି ଥର ଭୁଷି ଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ।

କୁଲିଥଲାଇ ଥାନା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହିତ ବିଶୃତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

ବିଶୃତ ହତ୍ୟା କରି ହସ୍‌ପିଟାଲରୁ ଫେରାର ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସହିତ ହସ୍‌ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତାମିଲନାଡୁରେ ପାରିବାରିକ କଳହରୁ ହତ୍ୟା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ଗତ ଏପ୍ରିଲ ମାସରେ ଜଣେ ୬୨ ବର୍ଷୀୟ ବୃଦ୍ଧ ତାଙ୍କ ପତ୍ନୀଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଚଳତ ମାସ ପ୍ରାରମ୍ଭରେ ଅବଦି ଜିଲ୍ଲାରେ ଜଣେ ମହିଳା କାଉନସିଲରଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରକୀୟା ପ୍ରୀତି ସନ୍ଦେହରେ ତାଙ୍କୁ ତାଙ୍କ ସ୍ୱାମୀ ହାଣି ଦେଇଥିଲେ ଓ ପରେ ଥାନାରେ ଆତ୍ମସମର୍ପଣ କରିଥିଲେ।