ଥାନାରେ ଉତ୍ପାତ କରୁଥିବା ମହିଳାଙ୍କ ବିରୋଧରେ ରୁଜୁ ହେଲା ମାମଲା

ଥାନାରେ ପୁଲିସ୍‌କୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ତତ୍ପର ହୋଇଥିଲେ ପୁଲିସ୍‌ କମିଶନର ଓ ତାଙ୍କ ଟିମ୍‌। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ହେବ। ଖଣ୍ଡଗିରି ଥାନାରେ ଅତର୍କିତ ପହଞ୍ଚିଥିଲେ ଟୁଇନ୍‌ ସିଟି ପୁଲିସ ମିଶନର ସୁରେଶ ଦେବଦତ୍ତ ସିଂ।

ଥାନାରେ ଉତ୍ପାତ କରୁଥିବା ମହିଳାଙ୍କ ବିରୋଧରେ ରୁଜୁ ହେଲା ମାମଲା

ମଦ ନିଶାରେ ଥାନାରେ ଉତ୍ପାତ କରୁଥିବା ମହିଳାଙ୍କ ଅଡୁଆ ବଢ଼ିଲା। ମାମଲା ରୁଜୁ କଲା କମିଶନରେଟ୍‌ ପୁଲିସ୍‌। ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଗୋଲାପି ଡ୍ରେସ୍‌ ପିନ୍ଧିଥିବା ଜଣେ ମହିଳା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ବସିଛନ୍ତି। ସେ କୁଆଡେ ନିଶାରେ ଅଛନ୍ତି। ଆଉ ଅଫିସ୍‌ କାମରେ ବ୍ୟସ୍ତ ଥିବା ପୁଲିସ୍‌ ଅଫିସରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଅଜଥାରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ପାଣି ବୋତଲ ଓ ପୁଲିସ୍‌ କର୍ମଚାରୀଙ୍କ ଚେୟାର ଫିଙ୍ଗାଫିଙ୍ଗି କରୁଛନ୍ତି। ଅଭଦ୍ର ଭାଷାରେ ପୁଲିସ୍‌ କର୍ମଚାରୀଙ୍କୁ ଗାଳି ଗୁଲଜ କରୁଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି।

ଥାନାରେ ପୁଲିସ୍‌କୁ ଦୁର୍ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ତତ୍ପର ହୋଇଥିଲେ ପୁଲିସ୍‌ କମିଶନର ଓ ତାଙ୍କ ଟିମ୍‌। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ହେବ। ଖଣ୍ଡଗିରି ଥାନାରେ ଅତର୍କିତ ପହଞ୍ଚିଥିଲେ ଟୁଇନ୍‌ ସିଟି ପୁଲିସ ମିଶନର ସୁରେଶ ଦେବଦତ୍ତ ସିଂ। ଭାଇରାଲ ହେଉଥିବା ଭିଡିଓର ସରଜମିନ ଯାଞ୍ଚ କରିଥିଲେ। ଏପରିକି ଥାନାରେ ଲାଗିଥିବା ସିସିଟିଭି ଓ ମୋବାଇଲ ଭିଡିଓ ଯାଞ୍ଚ କରିଥିଲେ। ସେ’ଦିନ ରାତିରେ ଡ୍ୟୁଟିରେ ଥିବା ଅଫିସରଙ୍କୁ ପଚରାଉଚରା କରିଥିଲେ। ଘଟଣାକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ତୁରନ୍ତ ମାମଲା ରୁଜୁ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଆଇନ୍‌ ଅନୁସାରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ୍‌ ସମସ୍ତଙ୍କ ପାଇଁ ସମାନ। ଯିଏ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବ, ଆଇନ୍‌ ଅନୁସାରେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି।