ଦ. ଆଫ୍ରିକା-ଭାରତ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ

ଡର୍ବାନ,୦୮/୧୧: ଦକ୍ଷିଣ ଆଫ୍ରିକା- ଭାରତ ୪ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଶୁକ୍ରବାର ସଂଧ୍ୟା ୫ଟାରେ ଡର୍ବନରେ ଖେଳାଯିବ ପ୍ରଥମ ମ୍ୟାଚ୍ । ବ୍ୟାଟିଂର ସ୍ୱର୍ଗ କୁହାଯାଉଥିବା ଡର୍ବାନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିବ । ଅବଶ୍ୟ ଶୁକ୍ରବାର ବର୍ଷା ଆଶଙ୍କା ରହିଛି, ତଥାପି ସଂପୂର୍ଣ୍ଣ ୨୦ ଓଭର ମ୍ୟାଚ୍‌ ଖେଳାଯିବ ନେଇ ଗ୍ରାଉଣ୍ଡ୍‌ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ଗ୍ରାଉଣ୍ଡରେ ଅତ୍ୟାଧୁନିକ  ଜଳ ନିଷ୍କାସନ ବ୍ୟବସ୍ଥା ରହିଛି । ଫଳରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଗ୍ରାଉଣ୍ଡ ଶୁଖି ଖେଳ ଉପଯୋଗୀ ହୋଇପାରିବ ।   ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା,   ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳି ନାହାନ୍ତି । କିନ୍ତୁ ଯୁବ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି ।  ଶୁକ୍ରବାର ଦକ୍ଷିଣ ଆଫ୍ରିକାର ସବୁ ବିସ୍ଫୋରକ ବ୍ୟାଟର ଗ୍ରାଉଣ୍ଡକୁ ଓହ୍ଲାଇବେ । ଡେଭିଡ୍‌ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମ୍ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ଗତ  ବିଶ୍ୱକପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ । ଶୁକ୍ରବାର   ଭାରତର ପଲା ଭାରି ରହିବ । ପୂର୍ବ ରେକର୍ଡ   ମଧ୍ୟ ଭାରତ ପ

ଦ. ଆଫ୍ରିକା-ଭାରତ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ

ଡର୍ବାନ,୦୮/୧୧: ଦକ୍ଷିଣ ଆଫ୍ରିକା- ଭାରତ ୪ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଶୁକ୍ରବାର ସଂଧ୍ୟା ୫ଟାରେ ଡର୍ବନରେ ଖେଳାଯିବ ପ୍ରଥମ ମ୍ୟାଚ୍ । ବ୍ୟାଟିଂର ସ୍ୱର୍ଗ କୁହାଯାଉଥିବା ଡର୍ବାନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିବ । ଅବଶ୍ୟ ଶୁକ୍ରବାର ବର୍ଷା ଆଶଙ୍କା ରହିଛି, ତଥାପି ସଂପୂର୍ଣ୍ଣ ୨୦ ଓଭର ମ୍ୟାଚ୍‌ ଖେଳାଯିବ ନେଇ ଗ୍ରାଉଣ୍ଡ୍‌ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ଗ୍ରାଉଣ୍ଡରେ ଅତ୍ୟାଧୁନିକ  ଜଳ ନିଷ୍କାସନ ବ୍ୟବସ୍ଥା ରହିଛି । ଫଳରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଗ୍ରାଉଣ୍ଡ ଶୁଖି ଖେଳ ଉପଯୋଗୀ ହୋଇପାରିବ ।   

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା,   ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳି ନାହାନ୍ତି । କିନ୍ତୁ ଯୁବ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି ।  

ଶୁକ୍ରବାର ଦକ୍ଷିଣ ଆଫ୍ରିକାର ସବୁ ବିସ୍ଫୋରକ ବ୍ୟାଟର ଗ୍ରାଉଣ୍ଡକୁ ଓହ୍ଲାଇବେ । ଡେଭିଡ୍‌ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମ୍ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ଗତ  ବିଶ୍ୱକପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ । ଶୁକ୍ରବାର   ଭାରତର ପଲା ଭାରି ରହିବ । ପୂର୍ବ ରେକର୍ଡ   ମଧ୍ୟ ଭାରତ ପକ୍ଷରେ ରହିଛି । ଦକ୍ଷିଣ   ଆଫ୍ରିକାରେ ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି। ଏଥିରୁ ଭାରତ ୬ଟି ମ୍ୟାଚ୍‌ ଜିତିଛି ଏବଂ ୩ଟିରେ ପରାଜିତ ହୋଇଛି ।  

ସମ୍ପ୍ରତି ଚମତ୍କାର ଫର୍ମ ଓ ବିଧ୍ୱଂସୀ ବ୍ୟାଟିଂକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ସାଜିଥିବା ଦୁଇ ବିସ୍ଫୋରକ ବ୍ୟାଟର  ସୂର୍ଯ୍ୟକୁମାର ଯାଦବ ଓ ହେନରିକ  କ୍ଲାସେନଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାରଙ୍କ  ଷ୍ଟ୍ରାଇକ୍ ରେଟ୍‌ ୧୬୯.୪୮ ରହିଛି ।  ସେହିପରି କ୍ଲାସେନ ୧୬୮.୦୯ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି ।   

ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗ ସନ୍ତୁଳିତ ରହିଥିଲେ ହେଁ ଭାରତର ବୋଲିଂ ବିଭାଗ ଅଧିକ ଶକ୍ତିଶାଳୀ ମନେ ହେଉଛି ।  ବାମ ହାତି ପେସ୍‌ ବୋଲର ଅର୍ଶଦୀପ ସିଂହ ଚଳିତ ବର୍ଷ ୧୪ଟି ଟି-ଟ୍ୱେଣ୍ଟି ଖେଳି  ୨୮ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଫିଟ୍‌  ହୋଇ ଫେରିଥିବା ବାମ ହାତି ବ୍ୟାଟର  ତିଳକ ବର୍ମା ଶୁକ୍ରବାର ଏକାଦଶରେ  ସ୍ଥାନ ପାଇବା ନିଶ୍ଚିତ । ଠିକ୍‌ ସେହିପରି ଅଲରାଉଣ୍ଡର ରମଣଦୀପ ସିଂହ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଲ୍‌ରାଉଣ୍ଡର  ଆଣ୍ଡିଲ ସିମେଲିନ ଓ ଲେଗ ସ୍ପିନର ନକାବ୍ୟୋମଜି ପିଟର ପଦାର୍ପଣ କରିବେ । ଅନ୍ୟ ଅଲରାଉଣ୍ଡର ଭାବେ ମାର୍କୋ   ଜାନସେନ ଦଳରେ ରହିଛନ୍ତି ।  

ବ୍ୟାଟିଂ ପାଇଁ ଅନୁକୂଳ ଡର୍ବାନ ପିଚ୍‌ ସର୍ବଦା ବ୍ୟାଟରଙ୍କୁ  ସହାୟତା କରିବ । ତେଣୁ  ବିଶାଳ ସ୍କୋର ସଂଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଠାରେ  ଖେଳାଯାଇଥିବା ଶେଷ ୭ଟି ମ୍ୟାଚ୍‌ର  ହାରାହାରି ପ୍ରଥମ ଇନିଂସ ସ୍କୋର ରହିଛି  ୧୮୪ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।