ଦରମା ଲକ୍ଷେ ଛୁଇଁନି; ଘରୁ ବାହାରିଲା ନଗଦ ୧.୪୩ କୋଟି, ବ୍ୟାଙ୍କ ଓ ବୀମା ଜମା ୧.୩୨ କୋଟି, ତା’ସହିତ...

୧୯୮୯ ମସିହା ମାର୍ଚ୍ଚ ୯ ତାରିଖରେ ଶ୍ରୀ ନେପାକ କୋରାପୁଟ ସୋଶାଲ ଫରେଷ୍ଟ୍ରୀ ଡିଭିଜନର ସୋଶାଲ ଫରେଷ୍ଟ୍ରୀରେ ‘ଭିଲେଜ ଫରେଷ୍ଟ ୱାର୍କର’ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ଆସନ୍ତା ଡିସେମ୍ବର ମାସରେ ଅବସର ନେବେ।

ଦରମା ଲକ୍ଷେ ଛୁଇଁନି; ଘରୁ ବାହାରିଲା ନଗଦ ୧.୪୩ କୋଟି, ବ୍ୟାଙ୍କ ଓ ବୀମା ଜମା ୧.୩୨ କୋଟି, ତା’ସହିତ...

ଚାକିରି ଆଉ ୫ ମାସ ବାକି ଅଛି। ମାସିକ ଦରମା ଲକ୍ଷେ ଛୁଇଁନି। ମାସିକ ଦରମା ୭୬,୮୮୦ ଟଙ୍କା ହୋଇଥିବା ବେଳେ ସବୁ କଟିକାଟି ଏବେ ପାଉଛନ୍ତି ୬୯,୬୮୦ ଟଙ୍କା। କିନ୍ତୁ ଘରୁ ବାହାରିଛି ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ସେହିପରି ତାଙ୍କର ବ୍ୟାଙ୍କ ଓ ବୀମା ଜମା ରାଶିର ପରିମାଣ ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ଏହାବାଦ୍ ଦେଢ଼ କେଜି ସୁନା ସହିତ ଅନ୍ୟାନ୍ୟ ସଂପତ୍ତି ଠୁଳ କରିଥିବା ସରକାରୀ କର୍ମଚାରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଶ୍ରୀ ନେପାକଙ୍କର ଜୟପୁର ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ବିପୁଳ ପରିମାଣରେ ସଂପତ୍ତି ଠାବ କରାଯାଇଛି।

Houseରାମଚନ୍ଦ୍ର ନେପାକଙ୍କ ତିନି ମହଲା କୋଠା

ଶ୍ରୀ ନେପାକଙ୍କର ଜୟପୁର ସହରର ପିଆର ପେଟ୍ଟା ଅଞ୍ଚଳର ଏନ୍‌କେଟି ରୋଡ୍‌ରେ ଏକ ତିନି ମହଲା କୋଠା ଅଛି। ସେହିପରି ପିଆର ପେଟ୍ଟା ଅଞ୍ଚଳରେ ଥିବା ଗୋଲ୍‌ଡେନ୍ ହାଇଟ୍ ରେସିଡେନ୍‌ସିଆଲ୍ ଆପାର୍ଟମେଣ୍ଟରେ ତାଙ୍କର ଦୁଇଟି ଟୁ-ବିଏଚ୍‌କେ ଫ୍ଲାଟ୍ ଅଛି। ଏହି ଦୁଇଟି ଫ୍ଲାଟର ନମ୍ବର ହେଉଛି ୫୧୦ ଓ ୫୧୧। ଭୁବନେଶ୍ୱରର ରଘୁନାଥପୁର ଜାଲିରେ ଥିବା ୟୁଏମ୍‌ଏସ୍ ଭଗବତୀ ମେନସନ୍‌ରେ ତାଙ୍କ ଏକ ଥ୍ରୀ-ବିଏଚ୍‌କେ ଫ୍ଲାଟ୍ ଅଛି। ସେହିପରି ଜୟପୁର ସହରରେ ତାଙ୍କର ଦୁଇଟି ଦାମୀ ପ୍ଲଟ୍ ଅଛି। ଏହି ସବୁ ଘର ଓ ପ୍ଲଟଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଓ ହିସାବକିତାବ ଜାରି ରହିଛି।

Goldଜବତ ସ୍ୱର୍ଣ୍ଣ ଅଳଙ୍କାର, ବିସ୍କୁଟ୍ ଓ କଏନ

ଜୟପୁରର ଗୋଲ୍‌ଡେନ୍ ହାଇଟ୍ ରେସିଡେନ୍‌ସିଆଲ୍ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍‌ରୁ ଗୋଟିକରେ (ଫ୍ଲାଟ୍ ନମ୍ବର ୫୧୦ରେ) ଏକ ସିକ୍ରେଟ୍‌ ଟ୍ରେଜେରୀରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ନଗଦ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ରଖିଥିଲେ। ଏହାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି। ସେହିପରି ତାଙ୍କର ଜୟପୁର ସ୍ଥିତ ଅନ୍ୟ ଏକ ଘରୁ ନଗଦ ୪ ଲକ୍ଷ ୪୪ ହଜାର ଟଙ୍କା ଜବତ କରାଯାଇଛି। ଏହିପରି ତାଙ୍କଠାରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ।

ଶ୍ରୀ ନେପାକଙ୍କ ଘରୁ ଦେଢ଼ କେଜି ସୁନା ଜବତ କରାଯାଇଛି। ତା’ସହିତ ୪ କେଜି ୬୩୭ ଗ୍ରାମର ରୁପା ଜବତ କରାଯାଇଛି। ତାଙ୍କର ଦୁଇଟି ଚାରି ଚକିଆ ଗାଡ଼ି (KIA Carens ଓ TATA ACE ) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। ତାଙ୍କ ଘରେ ଥିବା ଆସବାବପତ୍ର ଓ ଘରକରଣା ଜିନିଷର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୫୦ ହଜାର ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି।

Deputy Ranger ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

୧୯୮୯ ମସିହା ମାର୍ଚ୍ଚ ୯ ତାରିଖରେ ଶ୍ରୀ ନେପାକ କୋରାପୁଟ ସୋଶାଲ ଫରେଷ୍ଟ୍ରୀ ଡିଭିଜନର ସୋଶାଲ ଫରେଷ୍ଟ୍ରୀରେ ‘ଭିଲେଜ ଫରେଷ୍ଟ ୱାର୍କର’ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜୟପୁର ଫରେଷ୍ଟ ଡିଭିଜନରେ ନିଯୁକ୍ତି ପାଇଥିଲେ। ବିଭିନ୍ନ ସମୟରେ ପଦୋନ୍ନତି ପାଇ ବର୍ତ୍ତମାନ ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ତଥା ରେଞ୍ଜର ଇନ୍‌-ଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାସିକ ଦରମା ୭୬,୮୮୦ ଟଙ୍କା ହୋଇଥିବା ବେଳେ ସବୁ କଟିକାଟି ଏବେ ସେ ମାସକୁ ୬୯,୬୮୦ ଟଙ୍କା ପାଉଛନ୍ତି। ଆସନ୍ତା ଡିସେମ୍ବର ମାସରେ ସେ ଚାକିରିରୁ ଅବସର ନେବେ।