ଦର୍ଶନ କେସ୍ ରିଟର୍ଣ୍ଣସ! ଅଶ୍ଳୀଳ ମେସେଜ ପାଇଁ ଯୁବକଙ୍କୁ ଭୟଙ୍କର ନିର୍ଯାତନା
ଆକ୍ରମଣକାରୀମାନେ ଦର୍ଶନ କେସ୍ରୁ ଅନୁପ୍ରାଣିତ ହୋଇ ଏପରି କରିଛନ୍ତି। ଅଭିନେତା ଦର୍ଶନ ନିଜର ସହଯୋଗୀଙ୍କ ସହ ମିଶି ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେଇ ହତ୍ୟା କରିଥିଲେ।
ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହି ମେସେଜ ପାଇଁ ତାଙ୍କୁ ୮ରୁ ୧୦ ଜଣ ଯୁବକ ଅପହରଣ କରି ନେବା ସହ ଭୟଙ୍କର ଢଙ୍ଗରେ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି। ବେଙ୍ଗାଲୁରୁରେ ପୂରା ଘଟଣା ଘଟିଥିବା ବେଳେ ଯୁବକଙ୍କୁ ମିଳିଥିବା ନିର୍ଯାତନାର ଛାତିଥରା ଦୃଶ୍ୟ ଜଣେ ଅଭିଯୁକ୍ତ ନିଜ ମୋବାଇଲରେ ରେକର୍ଡ କରିଛି।
ଆକ୍ରମଣକାରୀମାନେ ଦର୍ଶନ କେସ୍ରୁ ଅନୁପ୍ରାଣିତ ହୋଇ ଏପରି କରିଛନ୍ତି। ଅଭିନେତା ଦର୍ଶନ ନିଜର ସହଯୋଗୀଙ୍କ ସହ ମିଶି ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେଇ ହତ୍ୟା କରିଥିଲେ। ବ୍ୟକ୍ତିଙ୍କ ଜଣଙ୍କର ଏତିକି ଭୁଲ ଥିଲା ଯେ ସେ ଦର୍ଶନଙ୍କ ଗର୍ଲଫ୍ରେଣ୍ଡ ପବିତ୍ରା ଗୌଡ଼ାଙ୍କୁ କିଛି ଆପତ୍ତିଜନକ ମେସେଜ ପଠାଇଥିଲେ।
ଏବେ ବେଙ୍ଗାଲୁରୁର ସମାନ ଘଟଣା ସାମ୍ନାକୁ ଆସିଛି। ୮ରୁ ୧୦ ଜଣ ମିଳିତ ଭାବେ କୁଶଲ ନାମକ ଜଣେ ଯୁବକଙ୍କୁ ପଶୁଙ୍କ ଭଳି ମାଡ଼ ମାରିଛନ୍ତି। ତାଙ୍କ ପ୍ୟାଣ୍ଟ ଶାର୍ଟକୁ ସେମାନେ ଖୋଲିବା ସହ ଗୁପ୍ତାଙ୍ଗଙ୍କୁ ଗୋଇଠା ମାରିବାର ଭିଡିଓ ସାମ୍ନାକୁ ଆସିଛି। ନିର୍ଯାତନା ବେଳେ ଜଣେ ଆକ୍ରମଣକାରୀ ଖୋଲାଖୋଲି ଭାବେ ରେଣୁକାସ୍ୱାମୀ ହତ୍ୟା କାଣ୍ଡର ଉଦାହରଣ ଦେଉଛି। କୁଶଲଙ୍କୁ ସମଦଶା ଭୋଗିବାକୁ ପଡ଼ିବ ଓ ସେମାନେ ଦର୍ଶନ କେସ୍ର ଉଦାହରଣ ଦେଇ ହସୁଥିବା ଦେଖାଯାଉଛି।
ପୁଲିସ୍ ପ୍ରଶାସନ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ କୁଶଲ ଦୁଇ ବର୍ଷ ହେଲା ଜଣେ କଲେଜ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। କିନ୍ତୁ କିଛି ମାସ ହେଲା ସେମାନଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା। ଛାତ୍ରୀ ଜଣଙ୍କ ଆଉ ଗୋଟିଏ ପିଲାକୁ ଭଲ ପାଇବା ଆରମ୍ଭ କରିଥିଲେ। ଏଥିରେ ରାଗି ଯାଇ କୁଶଲ କିଛି ଆପତ୍ତିଜନକ ମେସେଜ ନିଜର ପୂର୍ବତନ ପ୍ରେମିକାଙ୍କ ପାଖକୁ ପଠାଇଥିଲେ।
ଆପତ୍ତିଜନକ ମେସେଜ ପାଇଁ ଛାତ୍ରୀ, ତାଙ୍କ ନୂଆ ପ୍ରେମିକ ଓ ତାଙ୍କର କିଛି ସାଙ୍ଗ ମିଳିତ ଭାବେ କୁଶଲଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେମାନେ ବିବାଦର ସମାଧାନ କରିବା ବାହାନାରେ କୁଶଲଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। କୁଶଲ ସେଠାରେ ପହଞ୍ଚିବା କ୍ଷଣି ସେମାନେ ତାଙ୍କୁ କାରରେ ଅପହରଣ କରି ନେଇଥିଲେ। ଏହାପରେ ଗୋଟିଏ ନିଛାଟିଆ ସ୍ଥାନରେ ତାଙ୍କୁ ଭୟଙ୍କର ଢଙ୍ଗରେ ମାଡ଼ ମାରିଥିଲେ।
ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି। ଗୁରୁତର ଅବସ୍ଥା କୁଶଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।