ଦଳାଚକଟାରେ ୧୨୧ ମୃତ୍ୟୁ ଘଟଣା; ସତସଙ୍ଗ କରୁଥିବା ବାବାଙ୍କ ନାଁରେ ଅଛି ଦୁଷ୍କର୍ମ ମାମଲା
ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ଏକ ସତସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।
ଏକ ସତସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦ ନୁହେଁ, ତାଠୁ ଅଧିକ ଚିନ୍ତାର କାରଣ ପାଲଟିଛି। ଜଣେ ଆତ୍ମଘୋଷିତ ବାବାଙ୍କ ପାଦଧୂଳି ପାଇଁ ଏତେ ସଂଖ୍ୟକ ଲୋକେ ଦଳାଚକଟା ହୋଇ ଚାଲିଯିବା ନିଶ୍ଚିତ ରୂପେ ହାସ୍ୟାସ୍ପଦ।
ସେ ଯାହାବି ହେଉ, ସତସଙ୍ଗର ଆୟୋଜନ କରିଥିବା ଆତ୍ମଘୋଷିତ ଭୋଲେ ବାବାଙ୍କ ଚରିତ୍ରକୁ ନେଇ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି। ଉକ୍ତ ବାବାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ସହ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି।
ସୂଚନା ଅନୁସାରେ, ସୁରଜ ପାଲ ଓରଫ୍ ଭୋଲେ ବାବାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ରହିଛି। ଏଥିସହ ଆଗ୍ରା, ଏଟାୱା, କାସଗଞ୍ଜ, ଫାରୁଖବାଦ୍ ଏବଂ ରାଜସ୍ଥାନ ସମେତ ବିଭିନ୍ନ ପ୍ରାଧିକରଣରେ ତାଙ୍କ ବିରୋଧରେ ଏକାଧିକ ମାମଲା ଦାଖଲ ହୋଇଥିଲା।
୧୯୯୭ରେ ତାଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ସେ ପୁଲିସ ବିଭାଗରେ ମଧ୍ୟ କାମ କରିଥିଲେ। ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ଜେଲରେ ରହିବା ପରେ ବେଲରେ ଆସି ନିଜକୁ ବାବା ରୂପରେ ପରିଚିତ କରାଇଥିଲେ।
ସୁରଜ ପାଲଙ୍କ ପୈତୃକ ଘର କସରଗଞ୍ଜ ବାହାଦୂର ନଗରରେ। ସେ ବେଲରେ ଆସିବା ପରେ ସେଠାରେ ଏକ ଆଶ୍ରମ ତିଆରି କରିଥିଲେ ଏବଂ ନିଜକୁ 'ସାକର ବିଶ୍ୱ ହରି ବାବା' ରୂପେ ଘୋଷିତ କରିଥିଲେ। ଏହାପରେ ତାଙ୍କ ପାଖକୁ ଜଣକ ପରେ ଜଣେ ଭକ୍ତଙ୍କ ଭିଡ଼ ଜମିଥିଲା।
ଗତକାଲି ଭୋଲେ ବାବା ଉତ୍ତର ପ୍ରଦେଶର ହାଥରସରେ ଏକ ସତସଙ୍ଗର ଆୟୋଜନ କରିଥିଲେ। ଏହି ସତସଙ୍ଗରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ। ପ୍ରବଚନ ପରେ ଯେତେବେଳେ ବାବାଙ୍କ ପାଦଧୂଳି ନେବାର ସମୟ ଆସିଥିଲା ସେତେବେଳେ ଘଟିଥିଲା ଅଘଟଣ। ପାଦଧୂଳି ଆଣିବାକୁ ଯିବା ବେଳେ ଠେଲାପେଲା ହୋଇ ୧୨୧ ଜଣଙ୍କ ଜୀବନ ଚାଲି ଯାଇଛି।
ପ୍ରଥମେ ୩୦ ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ୮୦ ଏବଂ ପରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହସ୍ତଗତ ହୋଇଛି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲେ ମଧ୍ୟ ବାବାଙ୍କ ବିରୁଦ୍ଧରେ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ହୋଇନଥିଲା। ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ଏକାଧିକ ସଙ୍ଗୀନ ମାମଲା ଥିବା ଜଣାପଡିବା ପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା' ଉପରେ ସମସ୍ତଙ୍କ ନଜର।