ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିରେ ହାଜର ହେବେନି କେଜ୍ରିୱାଲ!

କେଜ୍ରିୱାଲ ହଜାର ହେବେ କି ନାହିଁ ସେନେଇ AAP ନିରବତା ବଜାୟ ରଖିଛି । କିନ୍ତୁ ଦଳ ପକ୍ଷରୁ ବାରମ୍ୱାର ଇଡିର ଏହି ସମନକୁ ବେଆଇନ ବୋଲି କୁହାଯାଉଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିରେ ହାଜର ହେବେନି କେଜ୍ରିୱାଲ!

ଦିଲ୍ଲୀ ମଦ ଦୁର୍ନୀତି ମାମଲା। ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଚମ ଥର ଲାଗି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେବେ ସେ ଇଡିରେ ହାଜର ହେବେ ନା ପୂର୍ବଥର ଭଳି ସମନକୁ ଏଡ଼ାଇଯିବେ ତାହା ଏବେ ବି ସସପେନ୍ସରେ ରହିଛି। ପୂର୍ବରୁ ମଧ୍ୟ ହାଜର ହେବା ଲାଗି କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଚାରି ଚାରି ଥର ସମନ କରାଯାଇଛି। ମାତ୍ର ସେ କୌଣସି ଥର ହାଜର ହୋଇନାହାନ୍ତି । ବୁଧବାର ପଞ୍ଚମ ଥର ଲାଗି ତାଙ୍କୁ ଇଡି ସମନ କରିଥିଲା। ତେବେ ଆଗାମୀ ପଦକ୍ଷେପ ନେଇ ବିଚାର କରାଯାଉଥିବା କହିଥିଲେ ଆପର ଲିଗାଲ୍ ଟିମ୍ ସଦସ୍ୟ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହଜାର ହେବେ ନାହିଁ । ତେବେ କେଜ୍ରିୱାଲ ହଜାର ହେବେ କି ନାହିଁ ସେନେଇ AAP ନିରବତା ବଜାୟ ରଖିଛି । କିନ୍ତୁ ଦଳ ପକ୍ଷରୁ ବାରମ୍ୱାର ଇଡିର ଏହି ସମନକୁ ବେଆଇନ ବୋଲି କୁହାଯାଉଛି। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ଅନେକ AAP ନେତାଙ୍କୁ ଏକ ଜାଲ୍ ମାମଲାରେ ଜେଲରେ ରଖିଛନ୍ତି। ଏବେ ପଚରାଉଚରା ବାହାନାରେତାଙ୍କୁ ଗିରଫ କରିବାକୁ ଚାହୁଁଛି। ଏହାର ଉଦ୍ଦେଶ୍ୟ ହେଉଛି AAPର ଲୋକସଭା ନିର୍ବାଚନ ପ୍ରଚାରକୁ ବନ୍ଦ କରିବା । ମିଥ୍ୟା ଅଭିଯୋଗ ଏବଂ ନକଲି ସମନ ପଠାଇ ସଚ୍ଚୋଟତା ଉପରେ ଆକ୍ରମଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି

ତେବେ ଆଜି କେଜ୍ରିୱାଲ ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଠକେଇ ବିରୋଧରେ ବିଜେପି ମୁଖ୍ୟାଳୟ ବାହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଏକ ବିକ୍ଷୋଭରେ ଭାଗ ନେବେ । ଗତ ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ପ୍ରାର୍ଥୀ ମନୋଜ ସୋନକର ୧୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ-ଏଏପି ସହଯୋଗୀ ପ୍ରାର୍ଥୀ କୁଲଦୀପ କୁମାର ୧୨ଟି ଭୋଟ ପାଇଛନ୍ତି। ତେବେ ଆଠଟି ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା। ଏହା ପରେ ବିରୋଧୀ ଦଳ ଚଣ୍ଡିଗଡ଼ ପ୍ରଶାସନ ଏବଂ ସରକାରଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପହଞ୍ଚିଛି।