ଦିଲ୍ଲୀରେ ଜିଲ୍ଲା ପ୍ରବାସ ଆରମ୍ଭ କଲେ ବୈଜୟନ୍ତ

ତୃଣମୂଳସ୍ତରରେ ବିଭିନ୍ନ ରଣନୀତି ଆରମ୍ଭ କଲେ ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ସଂଗଠନର କୋର ଗ୍ରୁପ, ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ତୃଣମୂଳସ୍ତରର ନେତାଙ୍କ ସହ କରୁଛନ୍ତି ବୈଠକ।

ଦିଲ୍ଲୀରେ ଜିଲ୍ଲା ପ୍ରବାସ ଆରମ୍ଭ କଲେ ବୈଜୟନ୍ତ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି। ଦଳ ପକ୍ଷରୁ ତୃଣମୂଳସ୍ତରରେ ବିଭିନ୍ନ ରଣନୀତି ଆରମ୍ଭ ହୋଇଛି। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ପ୍ରବାସ ଆରମ୍ଭ କରିଛନ୍ତି। ଆଜି ଏହି କ୍ରମରେ ସେ ମହରୋଲିଠାରେ ଦଳର ବିଭିନ୍ନ ବୈଠକରେ ସାମିଲ ହୋଇଥିଲେ। ସଂଗଠନର କୋର ଗ୍ରୁପ, ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ତୃଣମୂଳସ୍ତରର ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ବୈଠକ କରିଥିଲେ।

ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସହ ବୈଠକରେ ପୂର୍ବତନ ସାଂସଦ ରମେଶ ବିଦୁଡ଼ି, ନିର୍ବାଚନ ସହପ୍ରଭାରୀ ଏବଂ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ନଜଫଗଡ, ବାହରୀ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଜିଲ୍ଲା ପ୍ରବାସ କାର୍ଯ୍ୟକ୍ରମରେ ସାମିଲ ହେବେ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ତଥା ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ, ଜଳକଷ୍ଟ ଓ ସଡ଼କ ସମସ୍ୟାକୁ ଚଳିତ ନିର୍ବାଚନରେ ପ୍ରମୁଖ ଅସ୍ତ୍ର କରିବ ବିଜେପି।

ପ୍ରକାଶ ଥାଉ, ଆସନ୍ତା ବର୍ଷ ଫେବୃଆରୀରେ ସମ୍ଭବତଃ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ବଡ଼ ଦାୟିତ୍ୱ ମିଳିଛି। ଦାୟିତ୍ୱ ନେଉ ନେଉ ବିଜେପି ପାଇଁ ବଳ ଗୋଟାଇବାରେ ଲାଗିପଡ଼ିଛନ୍ତି ବୈଜୟନ୍ତ। ପ୍ରଥମେ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ନେତା ତଥା ପୂର୍ବତନ ମନ୍ତ୍ରୀ ହରସରନ ସିଂହ ବାଲି ଓ ତାଙ୍କ ପୁଅ ଗୁର୍ମିତ ସିଂହ ବିଜେପିକୁ ଫେରିଥିଲେ। ଏହାପରେ କୈଳାଶ ଗେହଲଟଙ୍କ ଭଳି ହେଭିୱେଟ୍ ମଧ୍ୟ ପଦ୍ମ ଧରିଛନ୍ତି।