ଦୀପାବଳି ପାଳିବାକୁ ନେଉଥିବା ବାଣ ଅଧା ବାଟରେ ସାଜିଲା କାଳ; ଜଣେ ମୃତ, ୬ ଗୁରୁତର

ଦୀପାବଳି ପାଳିବାକୁ ବାଇକରେ ବାଣ ନେଉଥିବାବେଳେ ଅଧାବାଟରେ ଘଟିଲା ବିସ୍ଫୋରଣ। ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଦୀପାବଳି ପାଳିବାକୁ ନେଉଥିବା ବାଣ ଅଧା ବାଟରେ ସାଜିଲା କାଳ; ଜଣେ ମୃତ, ୬ ଗୁରୁତର

ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ଏଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଦୁଇଜଣ ବ୍ୟକ୍ତି ଏକ ସ୍କୁଟିରେ ଓନିୟନ ବମ୍ (ବାଣ) ଭର୍ତ୍ତି ଏକ କାର୍ଟୁନ୍ ନେଇ ଯାଉଥିଲେ। ରାସ୍ତା ସଂକୀର୍ଣ୍ଣ ଥିଲେ ମଧ୍ୟ ଦ୍ରୁତ ଗତିରେ ଉଭୟ ଗାଡ଼ି ଚଳାଇ ଯାଉଥିଲେ। ସଂକୀର୍ଣ୍ଣ ରାସ୍ତାଟି ପ୍ରଶସ୍ତ ହୋଇ ମୁଖ୍ୟ ରାସ୍ତାରେ ମିଶିଛି। ବାଣ ନେଇ ଯାଉଥିବା ସ୍କୁଟି ସେଠାରେ ପହଞ୍ଚିଲା ବେଳକୁ ଏକ ଛୋଟ ଗାତରେ ପଡ଼ି ହଠାତ୍ ବିସ୍ଫୋରଣ ହୋଇଥିଲା। ସେଠାରେ ୫-୬ ଜଣ ଲୋକ ମଧ୍ୟ ଛିଡ଼ା ହୋଇଥିଲେ।

ରିପୋର୍ଟ ଅନୁସାରେ କାର୍ଟୁନରେ ଭର୍ତ୍ତି ପେଟିର ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ସମଗ୍ର ଅଞ୍ଚଳ ଧୂଆଁରେ ପରିପୂର୍ଣ୍ଣ ହୋଇଗଲା। ବିସ୍ଫୋରଣ ହେବା ମାତ୍ରେ ଦୁଇଜଣ ଲୋକ କୌଣସି ପ୍ରକାରେ ଏକ ସୁରକ୍ଷିତ ସ୍ଥାନକୁ ଦୌଡ଼ିଗଲେ। ଏ ସମସ୍ତ ଦୃଶ୍ୟ ସ୍ଥାନୀୟ ଏକ ସିସିଟିଭିରେ ମଧ୍ୟ କଏଦ ହୋଇଛି। ଫୁଟେଜରେ ବାଇକ୍ ଏବଂ ବାଇକ ଆରୋହୀଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ଛିନ୍ନଭିନ୍ନ ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି।

ମୃତ ବାଇକ୍ ଆରୋହୀ ଜଣକ ସୁଧାକର ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୬ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।