ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

 ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରିଲା ବେଳେ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ।

 ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି।  ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ
ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ।

ସୂଚନାଯୋଗ୍ୟ, ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା। ଏହି ସମୟରେ କଳା ପଲର୍ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଆଈକୁ ଧକ୍କା ମାରି ତାକୁ ଉଠାଇ ନେଇଥିଲେ। ପରିବାରେ ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା। 

ସବୁଠୁ ଖୁସିର କଥାଯେ ପରିବାର ଲୋକଙ୍କର ଫୋନ୍ ନମ୍ବର ଛୋଟ ଝିଅଟି ମନେ ରଖିଥିଲା। ଫୋନ୍ ନମ୍ବର ମାଧ୍ୟମରେ ସ୍ଥାନୀୟ ଲୋକେ ପରିବାର ଲୋକଙ୍କ ସହ କଥା ହୋଇଥିଲେ।  ଝିଅକୁ ଆଣିବାକୁ ପରିବାର ଲୋକେ ଓ ଦେବଗଡ଼ ପୁଲିସ ଟିମ୍‌ ବାହାରିଛନ୍ତି। 

କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କଲେ ତାର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତମାଦନେ କୁନିଝିଅକୁ ଅପହରଣ କରି କାହିଁକି ରାସ୍ତାକଡ଼ରେ ଛାଡ଼ି ଚମ୍ପଟ ମାରିଲେ ତାର କାରଣ ବି ଅସ୍ପଷ୍ଟ ରହିଛି।  ପୁଲିସ ଘଟଣାର ତଦନ୍ତ କରୁଛି।