ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା

ଆଜି ଲୁଟ୍‌ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହେଲା।

ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା

ଏଟିଏମ୍‌ ଲୁଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଚମ୍ପଟ ମାରିଥିବା ଦୁଇ ଦୋଷୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚକିଂ ଓ ବ୍ଲକିଂ କରି ଯାଞ୍ଚ କରୁଛି। ହେଲେ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ।

୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ନବରଙ୍ଗପୁର ବ୍ଲକ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା। ଏହି ମାମଲାରେ ନବରଙ୍ଗପୁର ଟାଉନ୍‌ ଥାନା ପୁଲିସ୍‌ ହରିଆଣାର ସକିଲ ଖାଁ, ଶାହାରୁଖ ଖାଁ, ଫଜଲ ଖାଁ, ଜାହୁଲ ଖାଁ ଓ ବିହାର ନିଖିଲ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ସକିଲ ଖାଁ ଓ ଶାହାରୁଖ ଖାଁ ବେଲ୍‌ରେ ଆସିଥିଲେ।

ଆଜି ଲୁଟ୍‌ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହୋଇଥିଲା। ଜବାଲ ସବାଲ୍‌ ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର CJM କୋର୍ଟ ରାୟ ଶୁଣାଇଲେ। ଏଟିଏମ୍‌ ଲୁଟ୍‌ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

ରାୟ ଶୁଣିବା ପରେ ସମସ୍ତ ଅଭିଯୁକ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଜାମିନ୍‌ରେ ଥାଇ କୋର୍ଟରେ ହାଜର ହୋଇଥିବା ସକିଲ ଖାଁ ଓ ଶାହାରୁଖ ଖାଁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଦୁଇ ଦୋଷୀ ଚମ୍ପଟ ମାରିବା ପରେ ପୁଲିସ୍‌ର ଚେତା ପଶିଲା। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁଇ ଦୋଷୀଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ୍‌।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ