ଧସିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ, ଅନେକ ପୋତି ହୋଇରହିଥିବା ସୂଚନା
ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଛତିଶଗଡର ଦାନ୍ତେୱାଡା ଜିଲ୍ଲାର ବାଲାଡିଲାରେ ଧସିଲା ଖଣି। ଲୁହାପଥର ଖଣିରେ ଖନନ ସମୟରେ ପଥର ଭୁଶୁଡି ପଡିବାରୁ ୪ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟଜଣଙ୍କର ମୃତଦେହ ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଛି। ଏଯାଏ ନିଖୋଜ ଶ୍ରମିକଙ୍କର ପତ୍ତା ମିଳିପାରିନି।
କିରାଣ୍ଡୁଲ ଥାନା ଅଂଚଳରେ ଥିବା ଲୁହାପଥର ଖଣିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ପଶ୍ଚିମବଙ୍ଗର ବିଟା ବାଲା, ନିର୍ମଳ ବାଲା ଓ ତୁସର ବାଲା । ଚତୁର୍ଥ ବ୍ୟକ୍ତି ସନ୍ତୋଷ କୁମାର ଦାସଙ୍କ ପତ୍ତା ମିଳିନି। ସେ ମାଟି ତଳେ ପୋତି ହୋଇଯାଇଥିବା ଅନୁମାନ କରାଯାଉଛି।
ଖନନ କାର୍ଯ୍ୟ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା କରାଯାଉଥିଲା। ଦୁର୍ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବରିଷ୍ଠ ଅଧିକାରୀ ଏବଂ SDRF ଟିମ୍ ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଘଟଣାସ୍ଥଳର ଅନେକ ଫଟୋଗ୍ରାଫ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରିଲିଫ୍ କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି । ଜିଲ୍ଲାପାଳ ମାୟାନକ ଚତୁର୍ବେଦୀ କହିଛନ୍ତି ଏନେଇ ଏକ ମାମଲା ପଞ୍ଜିକୃତ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଛି।