ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ

ବରଗଡ଼,୨9।୧୨(ପ୍ରେମାନନ୍ଦ ଖମାରୀ): ଆଉ ୩ଦିନ ପରେ ନବବର୍ଷ ପାଦ ଥାପିବ। ଜାନୁୟାରୀ ପହିଲାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲକୁ ପାଣି ଛାଡ଼ିବ। ପାଣି ଆସିଲେ ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ପାରିନାହାନ୍ତି। ଜିଲାର ଚାଷୀମାନେ ଧାନ ଅମଳ କରିଛନ୍ତି। ଅମଳ ଧାନକୁ କିଏ କ୍ଷେତ, ଖଳାକୁ ଆଣିଛନ୍ତି ତ ଆଉ କେହି ଚାଷୀ ଟୋକନରେ ନିର୍ଦ୍ଧାରିତ ଦିବସ ଅନୁସାରେ ବିକ୍ରି ପାଇଁ ବିଭିନ୍ନ […] The post ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ appeared first on Dharitri Odia News.

ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ

ବରଗଡ଼,୨9।୧୨(ପ୍ରେମାନନ୍ଦ ଖମାରୀ): ଆଉ ୩ଦିନ ପରେ ନବବର୍ଷ ପାଦ ଥାପିବ। ଜାନୁୟାରୀ ପହିଲାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲକୁ ପାଣି ଛାଡ଼ିବ। ପାଣି ଆସିଲେ ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ପାରିନାହାନ୍ତି। ଜିଲାର ଚାଷୀମାନେ ଧାନ ଅମଳ କରିଛନ୍ତି। ଅମଳ ଧାନକୁ କିଏ କ୍ଷେତ, ଖଳାକୁ ଆଣିଛନ୍ତି ତ ଆଉ କେହି ଚାଷୀ ଟୋକନରେ ନିର୍ଦ୍ଧାରିତ ଦିବସ ଅନୁସାରେ ବିକ୍ରି ପାଇଁ ବିଭିନ୍ନ ମଣ୍ଡିରେ ଧାନ ଗଦା କରିଛନ୍ତି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ୫ସପ୍ତାହ ବିତିଯାଇଥିବା ସତ୍ତ୍ୱେ ଜିଲାରେ ଧାନ ବିକ୍ରିବଟା ସମସ୍ୟା ସମସ୍ୟାରେ ରହିଯାଇଛି। ଟୋକନ ଆଧାରରେ ମଣ୍ଡିକୁ ଆସୁଥିବା ଧାନ ଉଠୁନାହିଁ। ଅଥଚ କଟନୀଛଟନୀରେ ରାଜି ହେଲେ ମଣ୍ଡିକୁ ନ ଆସି ଧାନ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲକୁ ଯାଉଛି ଏବଂ ଏଥିରେ ମୋଟାଅଙ୍କର କମିଶନି କାରବାର ଚାଲୁଛି। ସଂଗୃହୀତ କମିଶନି ଟଙ୍କା ମଣ୍ଡିର କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଏବଂ କେତେକ ଜନପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ଅନୁପାତରେ ଭାଗବଣ୍ଟା ହେଉଥିବା ଚାଷୀ ପ୍ରତିନିଧିମାନେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସମ୍ପାଦକ ଗୋବିନ୍ଦ ନାଗଙ୍କୁ ପଚାରିବାରୁ ସେ କହିଥିଲେ, ଧାନ କିଣାବିକା ଠିକ୍‌ ଚାଲିଛିି। କିନ୍ତୁ ଧାନ ଉଠାଣରେ ଟିକିଏ ମନ୍ଥରତା ଦେଖାଯାଇଛି। ମଣ୍ଡିକୁ ଧାନ ଆସୁଛି। ମଣ୍ଡିକୁ ଧାନ ଆସି ପଳାଉଛି। କେତେକ ମଣ୍ଡିରେ ଧାନ ଲୋଡ୍‌, ଅନଲୋଡ୍‌ ହେଉଛି ଏବଂ କେତେକ ଜାଗାରେ ଷ୍ଟାଣ୍ଡ୍‌ବାୟ ମଧ୍ୟ ଧାନ ପଳାଉଛି। ତେବେ ବରଗଡ଼ ମଣ୍ଡି ସବୁବେଳେ କାହିଁକି ଖାଲି ପଡ଼ୁଛି ବୋଲି ପଚାରିବାରୁ ଗୋଦାମରେ ଧାନ ରହିଛି ବୋଲି କହିଥିଲେ। ଅନ୍ୟପଟେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୪୦୫୪୪୭ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇ ନ ଥିଲେ।

ବରଗଡ଼ ଜିଲାରେ ନଭେମ୍ବର ୨୦ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ ଏବଂ ପଦ୍ମପୁର ଆରଏମ୍‌ସିର ୨୨୯ ମଣ୍ଡିରେ ଧାନ କିଣାବିକା ଚାଲିଛି। ଚାଷୀମାନେ ନଭେମ୍ବର ମାସ ପହିଲାରୁ ଧାନ ଅମଳ କରିସାରିଥିଲେ ସୁଦ୍ଧା ଟୋକନ କଟକଣା ଯୋଗୁ ଅନେକ ଚାଷୀ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି। ଜିଲାର ବହୁ ଚାଷୀଙ୍କୁ ମିଳିଥିବା ଟୋକନରେ ଧାନର ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ରହିଛି। କଲାପାଣି ଗ୍ରାମର ଚାଷୀ ସୁରେଶୁ ନେକାଣ୍ଟି କହିଛନ୍ତି, ତାଙ୍କୁ ମିଳିଥିବା ଏକ ଟୋକନରେ ବିକ୍ରି ଦିବସ ଡିସେମ୍ବର ୩୦ରୁ ୨୦୨୫ ଜାନୁୟାରୀ ୨୮ତାରିଖ ପର୍ଯ୍ୟନ୍ତ ରହିଛି। ଆଗରୁ ଏକ ଟୋକନ ମିଳିଥିଲା ଏବଂ ଦୀର୍ଘଦିନ ଅପେକ୍ଷା ପରେ ସେ ତାହା ବିକ୍ରି କରିଥିବା କହିଛନ୍ତି। ଏପରିକି କଟନୀଛଟନୀରେ ରାଜି ହେଲେ ଧାନର ବିନା ଗୁଣମାନ ନିର୍ଦ୍ଧାରଣରେ ସେହି ଧାନକୁ ଉଠାଣ କରାଯାଇ ସିଧାସଳଖ ରାଇସ୍‌ ମିଲ୍‌କୁ ନିଆଯାଉଛି ଏବଂ ଯେଉଁମାନେ କଟନୀଛଟନୀରେ ରାଜି ନ ହେଲେ ସେହି ଧାନ ଉଠାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଜିଲାର ଅନେକ ମଣ୍ଡିକୁ ବସ୍ତାଟିଏ ଧାନ ଆସୁନାହିଁ, କିନ୍ତୁ କମିଶନି କାରବାର ଏବଂ କଟନୀଛଟନୀରେ ସେହି ମଣ୍ଡିରୁ ଧାନ ଉଠାଣ ହେଉଥିବା ନେଇ କାଗଜାତ୍‌ରେ ଉଲ୍ଲେଖ ରହୁଛି ବୋଲି ନେକାଣ୍ଟି ଅଭିଯୋଗ କରିଛନ୍ତି।

ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଜିଲାରେ ଏଥର ୭୪ଲକ୍ଷ କୁଇଣ୍ଟାଲ ଧାନ ଉଠାଣ ଲକ୍ଷ୍ୟ ରଖାଯାଇଛି। ଶୁକ୍ରବାର ସୁଦ୍ଧା ଜିଲାରେ ୭୫ହଜାର ଚାଷୀଙ୍କଠାରୁ ପ୍ରାୟ ୩୫ଲକ୍ଷ କୁଇଣ୍ଟାଲ ଧାନ ଉଠାଯାଇଥିବା ସରକାରୀ ଭାବେ ଉଲ୍ଲେଖ କରାଯାଇଛି। କିନ୍ତୁ ବାସ୍ତବରେ ବ୍ୟତିକ୍ରମ ହୋଇଥିବା ସେ କହିଛନ୍ତି। କଟ୍‌ନୀଛଟ୍‌ନୀରେ ରାଜି ହେଲେ ଚାଷୀଙ୍କ ଧାନ ଉଠାଯାଉଛି। କୁଇଣ୍ଟାଲ ପ୍ରତି ୨ରୁ ୩ କି.ଗ୍ରା ପର୍ଯ୍ୟନ୍ତ ଧାନ କଟନୀଛଟନୀ କରାଯାଉଛି। ଏଥିରେ ଯେଉଁମାନେ ରାଜି ନ ହେଲେ ମଣ୍ଡିରୁ ଧାନ ଉଠାଯାଉନାହିଁ ଏବଂ ଏଫଏକ୍ୟୁ ଆଳ ଦେଖାଯାଉଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ଏଭଳି ଦୋମୁହାଁ ନୀତି ପ୍ରତିବାଦରେ ସଂଯୁକ୍ତ କୃଷକ ସଙ୍ଗଠନ ଗୁରୁବାରଠାରୁ ଧାନ ଉଠାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛି । ଜିଲାର ପ୍ରତ୍ୟେକ ମଣ୍ଡିରେ ଧାନ ଉଠାଣ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି। ସେହିପରି ଚାଷୀନେତା ନିରଞ୍ଜନ ପ୍ରଧାନ କହିଛନ୍ତି, ଯେଉଁ ଚାଷୀମାନେ ମଧ୍ୟସ୍ଥ ଜରିଆରେ ଧାନ ବିକୁଛନ୍ତି, ସେମାନଙ୍କ ଧାନ ସୁରୁଖୁରୁରେ ଉଠିଯାଉଛି। କିନ୍ତୁ ଯେଉଁମାନେ ବିନା ମଧ୍ୟସ୍ଥରେ ଧାନ ବିକିବା ପାଇଁ ମଣ୍ଡିକୁ ଆସୁଛନ୍ତି, ସେମାନଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ଫଳରେ ସେହି ଧାନକୁ ଚାଷୀ ଶୀତ, କାକରରେ ଜଗି ରହୁଛି ଏବଂ ପରବର୍ତ୍ତୀ ଫସଲ ପାଇଁ ପ୍ରସ୍ତୁତ ହୋଇପାରୁନାହିଁ।

The post ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ appeared first on Dharitri Odia News.