ନକଲି ତେଲ, ନାମୀ ବ୍ରାଣ୍ଡ୍‌

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ):ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଚିନ୍ତା ବଢ଼ାଇଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଥିବାରୁ ଯେକୌଣସି ଜିନିଷ କିଣିବା ବେଳେ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ସହରରେ ପୂର୍ବରୁ ନକଲି ଚା’ପତି, ଅମୁଲ, ଘିଅ, ହଳଦୀଗୁଣ୍ଡ, ମସଲାଗୁଣ୍ଡ, ଟମାଟୋ ସସ୍‌, ଚିଲିସସ୍‌, ମୃତ୍ୟୁପାନୀୟ ଓ ପାଣି ବୋତଲ କାରଖାନା ସିଲ୍‌ ହୋଇଥିବାବେଳେ ମଙ୍ଗଳବାର ଅପମିଶ୍ରିତ ଖାଇବା ତେଲ କାରଖାନା ଠାବ ହୋଇଛି। ବଡ଼ବଜାର ଅଞ୍ଚଳର […] The post ନକଲି ତେଲ, ନାମୀ ବ୍ରାଣ୍ଡ୍‌ appeared first on Dharitri Odia News.

ନକଲି ତେଲ, ନାମୀ ବ୍ରାଣ୍ଡ୍‌

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ):ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଚିନ୍ତା ବଢ଼ାଇଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଥିବାରୁ ଯେକୌଣସି ଜିନିଷ କିଣିବା ବେଳେ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ସହରରେ ପୂର୍ବରୁ ନକଲି ଚା’ପତି, ଅମୁଲ, ଘିଅ, ହଳଦୀଗୁଣ୍ଡ, ମସଲାଗୁଣ୍ଡ, ଟମାଟୋ ସସ୍‌, ଚିଲିସସ୍‌, ମୃତ୍ୟୁପାନୀୟ ଓ ପାଣି ବୋତଲ କାରଖାନା ସିଲ୍‌ ହୋଇଥିବାବେଳେ ମଙ୍ଗଳବାର ଅପମିଶ୍ରିତ ଖାଇବା ତେଲ କାରଖାନା ଠାବ ହୋଇଛି। ବଡ଼ବଜାର ଅଞ୍ଚଳର ଏହି କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ଅପମିଶ୍ରିତ ପାମୋଲିନ ତେଲ, ସୋରିଷ ତେଲ, ରାଶି ତେଲ ଜବତ କରିଛି। ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବ୍ୟବସାୟୀ ଜଣକ ୬ ବର୍ଷ ହେଲା ଭେଜାଲ ତେଲ ପ୍ରସ୍ତୁତ କରି ନାମୀଦାମୀ ବ୍ରାଣ୍ଡ୍‌ ଲଗାଇ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିବା ତାଙ୍କୁ ଜେରାବେଳେ ଜଣାପଡିଛି। ପୋଲିସ ପ୍ରଶାସନ ଚଢ଼ାଉ ପରେ ଚୁପ୍‌ ବସିଯାଉଥିବାବେଳେ ନକଲି ସାମଗ୍ରୀ କାରବାରରେ ଗିରଫ ବ୍ୟକ୍ତିମାନେ ଜାମିନରେ ମୁକୁଳି ପୁଣି ଜାଲିଆତିରେ ଲିପ୍ତ ରହୁଥିବା କୁହାଯାଉଛି। ବ୍ରହ୍ମପୁର ବଡ଼ବଜାର ପୋଲିସ ସପ୍ତାହକ ମଧ୍ୟରେ ପୃଥକ୍‌ ପୃଥକ୍‌ ୩ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଥିଲା।

ଗତ ୧୬ ତାରିଖରେ ଶାସ୍ତ୍ରୀନଗର ୪ର୍ଥ ଲାଇନସ୍ଥିତ ନକଲି ନଡ଼ିଆ ତେଲ କାରଖାନାରେ ଚଢ଼ାଉ ହୋଇଥିଲା। କାରଖାନା ମାଲିକ ଏ. ରଞ୍ଜନ ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରଞ୍ଜନ ସାଲିମାର ନଡ଼ିଆ ତେଲ ବୋତଲ ଓ ପାଉଚ ନକଲ କରି ଶିବାନୀ କୋକାନଟ ଅଏଲ ବ୍ରାଣ୍ଡ ଲେଖି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏ ନେଇ ସାଲିମାର କମ୍ପାନୀର ସହକାରୀ ମ୍ୟାନେଜର ସୋମନାଥ ବାନାର୍ଜୀ ଅଭିଯୋଗ କରିଥିଲେ। ସେହିପରି ଗତ ୨୦ ତାରିଖରେ ପ୍ରହଲ୍ଲାଦନଗର ଅଞ୍ଚଳରେ ଚାଲିଥିବା ନକଲି ହଳଦୀଗୁଣ୍ଡ କାରଖାନାରେ ଚଢାଉ କରାଯାଇଥିଲା। ମଙ୍ଗଳବାର ନକଲି ଖାଇବା ତେଲ କାରଖାନାରେ ଚଢ଼ାଉ ଜାରି ରହିଛି। ଏ ନେଇ ବଡ଼ବଜାର ଥାନାଧିକାରୀ ବାବା ଶଙ୍କର ସରାଫଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କିଛିଦିନ ହେବ ସହରରେ ଖାଦ୍ୟ ଅପମିଶ୍ରଣ କାରବାର ଉପରେ ଜୋରଦାର ଚଢ଼ାଉ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ, ପ୍ରୋହିବିସନ ଅଫ ଆଡ୍‌ଭର୍ଟାଇଜମେଣ୍ଟ ଆଣ୍ଡ ରେଗୁଲେଶନ ଅଫ ଟ୍ରେଡ୍‌ ଆଣ୍ଡ କମର୍ସ, ପ୍ରଡକ୍ସନ ସପ୍ଲାଇ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ ଆକ୍ଟ, ଲିଗାଲ ମେଟ୍ରୋଲୋଜି ପ୍ୟାକେଟିଂ ଅଫ କମୋଡିଟି ଆକ୍ଟ, ଟ୍ରେଡ୍‌ ମାର୍କସ ଆକ୍ଟ ଆଦିରେ କେସ୍‌ କରାଯାଉଛି। ଲୋକେ ଏଭଳି ନକଲି କାରବାର ସମ୍ପର୍କରେ ପୋଲିସକୁ ଜଣାନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନକଲି ତେଲ, ହଳଦୀଗୁଣ୍ଡ ଭଳି ଭେଜାଲ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ୍‌ ହୋଇଛି। ମାଲିକ ଓ କର୍ମଚାରୀ ଗିରଫ ହୋଇଛନ୍ତି। ହେଲେ ବଜାରକୁ କେତେ ପରିମାଣର ଭେଜାଲ ସାମଗ୍ରୀ ଯାଇଛି, ସେ ସବୁ କେଉଁ ସ୍ଥାନରେ ବିକ୍ରି ହୋଇଛି, କେଉଁଠାରେ କେତେ କଞ୍ଚାମାଲ ଗଚ୍ଛିତ ରହିଛି ତାହା ଜଣାପଡୁନାହିଁ। ନକଲି ସାମଗ୍ରୀ କାରବାରରେ ଗିରଫ ହୋଇଥିବା କେତେଜଣ ମାଲିକ ଓ କର୍ମଚାରୀ ଏବେ ଜାମିନରେ ମୁକୁଳି ସାରିଲେଣି। କାରଖାନା ଚଢ଼ାଉ ଅଭିଯାନ ପରେ ଉଭୟ ପୋଲିସ ଓ ପ୍ରଶାସନ ଚୁପ୍‌ ବସିଯାଉଛନ୍ତି ବୋଲି ଆଇନଜୀବୀ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ଖାଡଙ୍ଗା କହିଛନ୍ତି, ବଡ଼ବଜାର ଅଞ୍ଚଳର କେତେକ ସାହିରେ ଛୋଟଛୋଟ କୁଟୀରଶିଳ୍ପ ରହିଛି। ସେମାନେ ଏଥିପାଇଁ ବିଇଏମ୍‌ସିରୁ ଲାଇସେନ୍ସ ନେଇଛନ୍ତି। ବର୍ତ୍ତମାନ ତେଲ, ହଳଦୀଗୁଣ୍ଡ ସହ ଖାଦ୍ୟ ସାମଗ୍ରୀ ନକଲି ହେଉଥିବା ଅଭିଯୋଗ ପରେ ଉକ୍ତ ଶିଳ୍ପଗୁଡିକରେ ଚଢ଼ାଉ କରାଯାଉଛି। ସେମାନେ ଯେଉଁଥିପାଇଁ ଲାଇସେନ୍ସ ନେଉଛନ୍ତି ତାହାକୁ ଅବମାନନା କରି ସେହି ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରୁଥିବା ନଜରକୁ ଆସିଛି। ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ମିଳିବା ପରେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ପୁଣି ସେମାନେ ଯେଭଳି ଲାଇସେନ୍ସ ନ ପାଇବେ ସେଥିପାଇଁ ପଦକ୍ଷେପ ନିଆଯିବ। ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ବ୍ୟବସାୟୀମାନଙ୍କୁ ଅପମିଶ୍ରଣ ନ କରିବା ପାଇଁ ସଚେତନତା ନୋଟିସ ଦିଆଯିବ ବୋଲି କହିଛନ୍ତି। କେଉଁଠି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଚାଲିଥିବା ସମ୍ପର୍କରେ କେହି ଖବର ଦେଲେ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ସେ କହିଛନ୍ତି।

The post ନକଲି ତେଲ, ନାମୀ ବ୍ରାଣ୍ଡ୍‌ appeared first on Dharitri Odia News.